ବଜ୍ରକାପ୍ତା ଚୋରାଚାଲାଣ ଘଟଣା : ଅଲ୍ଲୀ ଓ ନୀଳ ଭାଇକୁ ସାମ୍ନାସାମ୍ନି ଜେରା

ଜେଲରୁ ବାହାରିଲେ ସୂଚନାକାରୀଙ୍କୁ ମାରିଦେବାକୁ ଅଲ୍ଲୀ ଦେଉଛି ଧମକ
ରାକେଟ୍‌ରେ କଟକ, ଭୁବନେଶ୍ବରର ୨୦ ଅଟୋ ଚାଳକ
ବଜ୍ରକାପ୍ତା ସହ ଗଂଜେଇ, ଜାଲ୍ ନୋଟ, ହନୁମାନ ପଇସା କାରବାରରେ ବି ସଂପୃକ୍ତ

କଟକ : ବଜ୍ରକାପ୍ତା ଚୋରାଚାଲାଣ ଘଟଣାରେ ଆଜି ୪ ଜଣଙ୍କୁ ରିମାଣ୍ଡରେ ଆଣି ଜେରା କରିଛି ଆଠଗଡ଼ ବନବିଭାଗ। ରାକେଟ୍‌ର ମୁଖ୍ୟ କୁହାଯାଉଥିବା ମହମ୍ମଦ ଅଲ୍ଲୀ, ତାର ଦୁଇ ସହଯୋଗୀ ସନ୍ତୋଷ ଦାସ ଓ ହାଡ଼ିବନ୍ଧୁ ଜେନାଙ୍କ ସମେତ ଭୁବନେଶ୍ବରର ନୀଳ ଭାଇ ଓରଫ୍‌ ନୀଳକଣ୍ଠ ନାୟକକୁ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିଛି ବନବିଭାଗ। ଜେରା ସମୟରେ ଅଲ୍ଲୀ ଓ ନୀଳ ଭାଇ ମୁହାଁମୁହିଁ ହୋଇଥିବାବେଳେ ପରସ୍ପର ପରସ୍ପରକୁ ଦୋଷ ଦେଇଥିଲେ। ଏପରିକି ମୁଖ୍ୟ ଅଭିଯୁକ୍ତ କୁହାଯାଇଯାଉଥିବା କଟକ ବକ୍ସିବଜାରର ମହମ୍ମଦ ଅଲ୍ଲୀ ଜେଲରୁ ବାହାରିଲେ ମାରିଦେବା ପାଇଁ ଅନ୍ୟ ଅଭିଯୁକ୍ତଙ୍କୁ ଖୋଲାଖୋଲି ଧମକ ଦେଉଥିବା ସହ ବାରମ୍ବାର ତାର ବୟାନ ବଦଳାଉଥିବା ଜେରାରୁ ଜଣାପଡ଼ିଥିଲା। ଏହି ରା‌କେଟ୍‌ରେ ଭୁବନେଶ୍ବର ଓ କଟକର ପାଖାପାଖି ୨୦ଜଣ ଅଟୋ ଚାଳକ ଭୁବନେଶ୍ବର ବରମୁଣ୍ଡା ବସ୍‌ଷ୍ଟାଣ୍ଡ, କଟକ ବାଦାମ୍‌ବାଡ଼ି ଓ ଷ୍ଟେସନ୍‌ ପର୍ଯ୍ୟନ୍ତ ବଜ୍ରକାପ୍ତାକୁ ଚାଲାଣ କରିଥାନ୍ତି। ଏହି କାରବାର ପଛରେ ଏକ ବଡଧରଣର ରାକେଟ୍‌ କାମ କରୁଥିବାବେଳେ ଏହି ରା‌କେଟ୍‌କୁ ଧରିବା ନେଇ ଅଲ୍ଲୀ ଜେରା ସମୟରେ ବନବିଭାଗକୁ ପୁଣି ଖୋଲା ଚାଲେଞ୍ଜ ଦେଇଛି। ତେବେ କଟକ, ଭୁବନେଶ୍ବର, ନୟାଗଡ଼ ତଥା ବିଭିନ୍ନ ଜିଲ୍ଲା ଦେଇ ଭଦ୍ରକ ଆଉ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଲମ୍ବିଛି ଅଲ୍ଲୀର ନେଟୱାର୍କ।

କଟକର ନରାଜ ହିଁ ଏହି କାରବାରର ପେଣ୍ଠସ୍ଥଳୀ ଥିବାବେଳେ ନରାଜରୁ କଟକ, ଭୁବନେଶ୍ବର ଓ ସେଠାରୁ ଭଦ୍ରକ ଯାଉଥିଲା ବଜ୍ରକାପ୍ତା। ଭଦ୍ରକରୁ ପଶ୍ଚିମବଙ୍ଗ ଓ ବିଭିନ୍ନ ରାଜ୍ୟକୁ ଚାଲାଣ ହେଉଥିଲା। ସନ୍ତୋଷ ଦାସକୁ ଗୋଡିସାହି ଅଞ୍ଚଳରୁ ବନବିଭାଗ ଗିରଫ କରିବା ପରେ ତାର ସୂଚନା ଆଧାରରେ ରାକେଟ୍‌ର ମୁଖ୍ୟ ଅଲ୍ଲୀକୁ ନରାଜରୁ ଗିରଫ କରାଯାଇଥିଲା। ଗିରଫ ପରେ ଅଲ୍ଲୀ ଜେରା ସମୟରେ ବଡବଡିଆଙ୍କୁ ଧରିବା ପାଇଁ ବନବିଭାଗକୁ ଖୋଲା ଚା‌ଲେଞ୍ଜ ଦେଇଥିଲା। ଅନ୍ୟପଟେ ଜେରା ସମୟରେ ନୀଳ ଭାଇ ଖୁଲମ୍‌ଖୁଲା ଏହି ରାକେଟ୍‌ରେ ବଡବଡ଼ିଆଙ୍କ ସଂପୃକ୍ତି ରହିଥିବା କହୁଥିବାବେଳେ ଅଲ୍ଲୀ ହିଁ ରାକେଟ୍‌ର ମୁଖ୍ୟ ବୋଲି କହିଥିଲା। ଏଥିସହ ହନୁମାନ ପଇସା, ପୁରୁଣା ନୋଟ, ଜାଲ ଟଙ୍କା, ଗଞ୍ଜେଇ କାରବାର ଏହି ରାକେଟ୍‌ କରୁଥିବାବେଳେ ଏବେ ୨ବର୍ଷ ହେଲା ବଜ୍ରକାପ୍ତାର ଚୋରା ଚାଲାଣ ରାକେଟ୍‌ରେ ସେମାନେ ପଶିଥିବା ଅଭିଯୁକ୍ତମାନେ ଜେରା ସମୟରେ ସ୍ବୀକାର କରିଥିଲେ। ଏବେ ବି ଗଞ୍ଜେଇ ସହ ବଜ୍ରକାପ୍ତାକୁ ଏକାଠି କରି ସେମାନେ ରାଜ୍ୟ ବାହାରକୁ ଚାଲାଣ କରୁଥିଲେ। ଶନିବାର ଆଠଗଡ ବନଖଣ୍ଡ କାର୍ଯ୍ୟାଳୟରେ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ୪ଜଣ ଅଭିଯୁକ୍ତଙ୍କୁ ଜେରା କରିଥିଲେ ଆଠଗଡ ଡିଏଫ୍‌ଓ ସସ୍ମିତା ଲେଙ୍କା। ଜେରାରେ ଅନେକ ଗୋପନୀୟ ତଥ୍ୟ ବନବିଭାଗ ହାତରେ ଲାଗିଛି ଓ ସେହି ଆଧାରରେ ବନବିଭାଗ ତାର ତଦନ୍ତ ପ୍ରକ୍ରିୟା ଆଗକୁ ନେବ ବୋଲି ଡିଏଫ୍‌ଓ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର