ସମ୍ବଲପୁରରୁ ବର୍ମାକୁ ଲମ୍ବିଛି ବଜ୍ରକାପ୍ତା ଚାଲାଣ ଚେର : ୧୩ ବଜ୍ରକାପ୍ତା କାତି, ବନ୍ଧୁକ ଓ ଖଣ୍ଡା ଜବତ, ଜଣେ ଗିରଫ

ରିମାଣ୍ଡରେ ଆଣିବ ପୁଲିସ୍‌, ଗଞ୍ଜାମ ଓ ଦେବଗଡ଼ ଗଲା ଟିମ୍‌

ସମ୍ବଲପୁର : ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରୁ ବିଲୁପ୍ତ ବଜ୍ରକାପ୍ତା ଚାଲାଣ ହେଉଥିବା ସମୟରେ ଶନିବାର ଏହି ଚାଲାଣର ଲିଙ୍କ୍‌ ସମ୍ବଲପୁରରୁ ବର୍ମା ଯାଏଁ ଲମ୍ବିଥିବା ପ୍ରମାଣ ମିଳିଛି। ବର୍ମାରେ ବୁଲେଟ ପ୍ରୁଫ୍‌ ଜ୍ୟାକେଟ ପାଇଁ ସମ୍ବଲପୁରରୁ ବଜ୍ରକାପ୍ତା ଦୀର୍ଘଦିନ ହେବ ଚାଲାଣ ହେଉଥିଲା। ଧନୁପାଲି ଥାନା ସୁନାପାଲି ଫରେଷ୍ଟ କଲୋନିର ଫୈଜୁଲ ହସନ୍‌ର ଘରେ ଏଭଳି କିଛି ସାମଗ୍ରୀ ଥିବା ନେଇ ସମ୍ବଲପୁର ପୁଲିସ୍‌କୁ ସୂଚନା ମିଳିଥିଲା। ଏନେଇ ଧନୁପାଲି ପୁଲିସ୍‌ ଓ ସ୍ପେସାଲ ସ୍କ୍ବାଡ୍‌ର ଏକ ଟିମ୍‌ ଫୈଜୁଲ୍‌ର ଘରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଫୈଜୁଲ୍‌ର ଘରୁ ୧୩ଟି ବଜ୍ରକାପ୍ତା କାତି ମିଳିଛି। ଯାହାର ଅନ୍ତର୍ଜାତିକ ବଜାର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି କୁହାଯାଉଛି। କେବଳ ଏତିକି ନୁହେଁ ବରଂ ଫୈଜୁଲ୍‌ ଘରୁ ୩ଟି ଖଣ୍ଡା, ଗୋଟିଏ ଗୁଫ୍‌ତୀ ଓ ଗୋଟିଏ ଏୟାର ଗନ୍‌ ମଧ୍ୟ ଜବତ କରାଯାଇଛି। ଏସମ୍ପର୍କରେ ଧନୁପାଲି ପୁଲିସ୍‌ ଏସମ୍ପର୍କରେ ଏକ ମାମଲା ରୁଜୁ କରି ଫୈଜୁଲ୍‌କୁ ଗିରଫ କରିଥିବା ସମୟରେ ବଜ୍ରକାପ୍ତା ଓ ମାରଣାସ୍ତ୍ର ଜବତ କରିଛି। ସେପଟେ, ବଜ୍ରକାପ୍ତା ଚାଲାଣ ବନ୍ୟଜନ୍ତୁ ସୁରକ୍ଷା ଆଇନ୍‌ ଅନ୍ତର୍ଗତ ଥିବାରୁ ଏନେଇ ବନବିଭାଗକୁ ମଧ୍ୟ ସୂଚନା ପ୍ରଦାନ କରାଯାଇଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

ଫୈଜୁଲ୍‌ ଜଣେ ଗୋରୁ ବ୍ୟବସାୟୀ ହୋଇଥିବା ସମୟରେ ୭ ବର୍ଷ ତଳେ ବରଗଡ଼ ହାଟରୁ ଜଣେ ବ୍ୟବସାୟୀଠାରୁ ସେ ଏହି ବଜ୍ରକାପ୍ତା କିଣିଥିବା ପଚରାଉଚରା ସମୟରେ ପୁଲିସ୍‌କୁ କହିଥିଲା। ମାତ୍ର ଜବତ ହୋଇଥିବା ବଜ୍ରକାପ୍ତା କାତି ୭ ବର୍ଷ ପୁରୁଣା ଭଳି ଜଣାପଡ଼ୁନଥିବାରୁ ଫୈଜୁଲ୍‌ ନିୟମିତ ଭାବେ ଏହି ବ୍ୟବସାୟ କରୁଥିବା ଆଶଙ୍କା କରାଯାଉଛି। ସମ୍ବଲପୁର ଜିଲ୍ଲାର ଚାନ୍ଦଲି ଡୁଙ୍ଗୁରି ଓ ଡେବ୍ରିଗଡ଼ରେ ବଜ୍ରକାପ୍ତା ମିଳୁଥିବାରୁ ଫୈଜୁଲ୍‌ ସେଗୁଡ଼ିକୁ ସଂଗ୍ରହ କରି ବାହାର ଦେଶକୁ ଚାଲାଣ କରୁଥିବା କୁହାଯାଉଛି। ଏହାସହିତ ଫୈଜୁଲ ଜଣେ ଗୋରୁ ବ୍ୟବସାୟୀ ସାଙ୍ଗକୁ କେନ୍ଦୁପତ୍ର ଓ ଗଞ୍ଜେଇ କାରବାରରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଫୈଜୁଲ୍‌ ନିକଟରୁ ଜବତ ହୋଇଥିବା ଏହି ବଜ୍ରକାପ୍ତା କାତି ଗୁଡ଼ିକ ସହ ଦେବଗଡ଼ ଓ ଗଞ୍ଜାମ ଜିଲ୍ଲାର ମଧ୍ୟ ଲିଙ୍କ୍‌ ରହିଥିବା ସୂଚନା ମିଳିଛି। ଏହାପରେ ସମ୍ବଲପୁର ପୁଲିସ୍‌ର ୮ ଜଣିଆ ଟିମ୍‌ ଗଠନ କରି ଦେବଗଡ଼ ଓ ଗଞ୍ଜାମକୁ ପଠାଇଛି। ସେପଟେ, ଏହି ଘଟଣାର ଅଧିକ ତଥ୍ୟ ପାଇଁ ପୁଲିସ୍‌ ଅଭିଯୁକ୍ତ ଫୈଜୁଲ୍‌କୁ ରିମାଣ୍ଡରେ ଆଣିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର