ବଜ୍ରକାପ୍ତା ଚୋରାଚାଲାଣ ପ୍ରସଙ୍ଗ : ଜେରା ବେଳେ ଖୋଲା ଚ୍ୟାଲେଞ୍ଜ ଦେଲା ଅଲ୍ଲୀ, ବଡ଼ବଡ଼ିଆଙ୍କୁ ଧରିକି ଦେଖ

ଭଦ୍ରକ ଯାଏ ଚେର ଲମ୍ବିଛି, ଦିନରେ ଚାଲିଛି ବେପାର
ହାତବାନ୍ଧି ବସିଛନ୍ତି ବନ ବିଭାଗର ବଡ଼ବାବୁ, ଏସ୍‌ଟିଏଫ୍

ଭୁବନେଶ୍ବର/କଟକ : ବହୁଚର୍ଚ୍ଚିତ ବିରଳ ବଜ୍ରକାପ୍ତା ଚୋରା ଚାଲାଣ ଘଟଣାରେ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ, କ୍ରାଇମବ୍ରାଞ୍ଚ ଏସଟିଏଫ୍ ଅଧିକାରୀଙ୍କ ଉଦାସୀନତା ସତ୍ତ୍ବେ ଦିନକୁ ଦିନ ସାଂଘାତିକ ତଥ୍ୟ ହସ୍ତଗତ ହେବାରେ ଲାଗିଛି। ଏହି ଘଟଣାରେ ଧରାପଡ଼ିଥିବା କିଙ୍ଗ୍‌ପିନ୍ ଅଲ୍ଲୀ ସମେତ ଅନ୍ୟ ଦୁଇ ଅପରାଧୀଙ୍କୁ ଆଜି ଆଠଗଡ଼ ଡିଏଫ୍ଓ ସସ୍ମିତା ଲେଙ୍କା ଦିନିକିଆ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିଥିଲେ। ଏହି ଜେରା ବେଳେ ଅଲ୍ଲୀର ତଥ୍ୟ ବନ ବିଭାଗ ଅଧିକାରୀଙ୍କ ମୁଣ୍ଡ ଗୋଳମାଳ କରିଦେଇଛି। ଅଧିକାରୀମାନେ ଏ ସଂପର୍କରେ ଗଣମାଧ୍ୟମକୁ ଉଁ କି ଚୁଁ କିଛି କହିବାକୁ ଚାହୁନାହାନ୍ତି। ତଦନ୍ତରେ ବ୍ୟାଘାତ ହେବା ଆଳରେ ଗଣମାଧ୍ୟମକୁ ଏଡ଼ାଇ ଯାଇଛନ୍ତି।

ହେେଲ ଅତି ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି ଯେ ଜେରାବେଳେ ଅଲ୍ଲୀ ଅତି ନିର୍ଭୀକ ଭାବେ କହିଛି, ଏହି କାରବାରରେ ତା’ ଭଳି େଛାଟ ଛୋଟ ଅପରାଧୀଙ୍କୁ ଧରିଲେ ବିଶେଷ ସଫଳତା ମିଳିବ ନାହିଁ କି ବନ ବିଭାଗର ବାହାଦୁରି ନାହିଁ। ବରଂ ଏହି ଘଟଣା ସହିତ ବହୁତ ବଡ଼ ବଡ଼ ଲୋକ ସଂପୃକ୍ତ ଅଛନ୍ତି, ଯଦି ପାରୁଛ ତାଙ୍କୁ ଧର ବୋଲି ଓଲଟା ଚ୍ୟାଲେଞ୍ଜ ଦେଇଛି ଅଲ୍ଲୀ। କଟକରୁ ଭଦ୍ରକ ଯାଏ ଏଭଳି ୮ଜଣ ଲୋକଙ୍କ ନାମ ଦେଇଛି, ଯାହା ବନ ବିଭାଗର ନିଦ ହଜାଇ ଦେଲାଣି।

କେବଳ ସେତିକି ନୁହେଁ; ଅଲ୍ଲୀ ଆହୁରି କହିଛି, କଟକରେ ମାଛ ବଜାରରେ ବଜ୍ରକାପ୍ତା ଦିନ ଦି ପହରେ ବିକ୍ରି ହେଉଛି। କାହିଁ ବନବିଭାଗ ସେଠାରେ ଧରିପାରୁନି ତ? ମାଛ ଭିତରେ କିଭଳି ବଜ୍ରକାପ୍ତା ଚୋରାଚାଲାଣ ହେଉଛି, ସେ ସଂପର୍କରେ ସେ ଅନେକ ସତ ଓଗାଳିଛି।

ଆଠଗଡ଼ ବନଖଣ୍ଡ ଅଧିକାରୀମାନେ ତା’ଠାରୁ ଜବତ ମୋବାଇଲର ସମସ୍ତ ତଥ୍ୟ ସଂପର୍କରେ ପଚାରିଥିଲେ। କିଛି ନିର୍ଦିଷ୍ଟ ଅପରାଧୀଙ୍କ ଫଟୋ ସେ ଦେଇଛି। କିନ୍ତୁ ସେ କେବଳ ନରାଜ ଉପରେ କାରବାର କରେ, ମାଂସ ଫିଙ୍ଗିଦିଏ ବା ପୋତିଦିଏ ବୋଲି ଜେରାବେଳେ ସୂଚନା ଦେଇଛି।

ଅଲ୍ଲୀ କହିଛି, ଚାରି ଇଞ୍ଚରୁ ବଡ଼ ଆକାରର କାତି ହେଲେ ୧୦ହଜାର ଟଙ୍କା ଦେଇଥାଏ। ସେ ମୂଳତଃ ଗଞ୍ଜେଇ ବେପାର କରୁଥିଲା। ଅଧିକ ରୋଜଗାର ନିଶାରେ ବଜ୍ରକାପ୍ତା କାରବାର ଭିତରକୁ ପଶିଛି। ଜଙ୍ଗଲରୁ କଟକ ଯାଏ ତା ମାଧ୍ୟମରେ ହିଁ ବଜ୍ରକାପ୍ତା କାତି ଆସିଥାଏ ବୋଲି କହିଛି। ସ୍ଥଳବିଶେଷରେ ମାର୍ଥାପୁର ଷ୍ଟେସନ ଦେଇ ଭଦ୍ରକ ଯାଏ ଏହାକୁ ଚାଲାଣ କରିଥାଏ। ରିମାଣ୍ଡରେ ଆସିଥିବା ଅନ୍ୟ ଦୁଇ ମାଫିଆ ନରସିଂହପୁର ଅଞ୍ଚଳର ଆଉ କିଛି ସହଯୋଗୀଙ୍କ ନାମ ଜେରା ବେଳେ କହିଛନ୍ତି।

ବନ ବିଭାଗର ଅସମ୍ଭବ ନିରବତା ଓ ଅଲ୍ଲୀର ବୟାନ ପରେ ଦୁଇଟି ବଡ଼ ପ୍ରଶ୍ନ ଏବେ ସାମ୍ନାକୁ ଆସିଲାଣି। ପ୍ରଥମତଃ, କଟକରେ ହେଉଥିବା କାରବାର ଆଠଗଡ଼ ଡିଏଫ୍ଓଙ୍କ ଅଧୀନରେ ଆସୁନାହିଁ। ଏଣୁ ତାଙ୍କର ସୀମା ଭିତରେ ଆସୁନଥିବା କାରଣରୁ ଆଠଗଡ଼ ଅଧିକାରୀମାନେ ଏହାକୁ ନେଇ ଆଉ ଆଗକୁ ବଢ଼ିବାକୁ ଚାହୁନଥିବା ସୂଚନା ମିଳୁଛି। ଆହୁରି ସ୍ପଷ୍ଟ ଭାବେ କହିଲେ, ବନଖଣ୍ଡ ସୀମା ବିବାଦ କାରଣରୁ ବଜ୍ରକାପ୍ତା ମାଫିଆ ଖସିଯିବା ଆଶଙ୍କା ଦେଖାଦେଲାଣି।

ଯେହେତୁ ଏ ଘଟଣାର ଅଲ୍ଲୀ ବହୁତ ବଡ଼ ବଡ଼ ଲୋକଙ୍କ ନାମ ନେଇଥିବା ସୂଚନା ମିଳୁଛି, ବନ ବିଭାଗ ବିବାଦରୁ ଦୂରେଇ ରହିବା ପାଇଁ ସୀମା ସଙ୍କେତ ଦେଉଛି କି ବୋଲି ପ୍ରଶ୍ନ ଉଠିଲାଣି। ତେବେ ଅଲ୍ଲୀ କେଉଁ ବଡ଼ବଡ଼ିଆଙ୍କ ନାମ ନେଇଛି? ସେ ମଧ୍ୟରେ ରାଜନେତା ଅଛନ୍ତି କି? ଦୁର୍ଦାନ୍ତ ଗ୍ୟାଙ୍ଗଷ୍ଟରମାନଙ୍କର ହାତ ନାହିଁ ତ?

କଟକ ସିଟି ଡିଏଫ୍ଓ ଅଶୋକ ମିଶ୍ର କହିଛନ୍ତି, ଯଦି ଆଠଗଡ଼ ଡିଏଫ୍ଓ ସହଯୋଗ ଲୋଡ଼ନ୍ତି, ସେ େଯାଗାଇ ଦେବେ। ଅନ୍ୟଥା ଗଣମାଧ୍ୟମରୁ ଜାଣିବା ପରେ ସେ ଏହି ଘଟଣାରେ ତନାଘନା ପାଇଁ ଯୋଜନା କରୁଥିବା କହିଛନ୍ତି। ହେଲେ ଅଲ୍ଲୀର ଅଭିଯୋଗ ଯଦି ସତ ହୁଏ, ତେବେ କଟକରେ ସତରେ କଣ ଦିନ ଦି’ ପହରେ ବଜ୍ରକାପ୍ତା ଚୋରାଚାଲାଣ କାରବାର ହେଉଛି କି ବୋଲି ସନ୍ଦେହ ସୃଷ୍ଟି ହେଲାଣି। ଯଦି େହଉଥାଏ, ତେବେ ଆଜିଯାଏ କାହିଁକି ଅଧିକାରୀମାନେ ଗୋଟିଏ ବ ଚଢ଼ଉ କରିନାହାନ୍ତି। ଅଲ୍ଲୀର କିଛି ପୁଲିସ ଲିଙ୍କ୍ ଥିବା ମଧ୍ୟ ଚର୍ଚ୍ଚା ହେଲାଣି।

ହେଲେ ରାଜଧାନୀର କଡ଼ରେ ଅତ୍ୟନ୍ତ ସମ୍ବେଦନଶୀଳ ତଥା ବିରଳ ପ୍ରଜାତିର ପ୍ରାଣୀ ଚୋରା ଚାଲାଣ ବେଧଡ଼କ ଭାବେ ଚାଲିଥିବା ବେଳେ କାହିଁକି ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷଣ ଏହି ଘଟଣାରେ ପ୍ରତ୍ୟକ୍ଷ ଭାବେ ସାମ୍ନାକୁ ଆସୁନାହାନ୍ତି? କାହା ସ୍ବାର୍ଥରେ ବନ ବିଭାଗ କାର୍ଯ୍ୟ କରୁଛି? କେବଳ ଜାତୀୟ ବା ଅନ୍ତର୍ଜାତୀୟସ୍ତରର ଅପରାଧୀ ଥିଲେ, କ୍ରାଇମବ୍ରାଞ୍ଚର ଏସଟିଏଫ୍ ଟିମ୍ ତନାଘନା କରିବ? କ୍ରାଇମବ୍ରାଞ୍ଚର ବନ୍ୟଜୀବ ଟିମ୍ ବାକି ଦିନ କ’ଣ ହାତବାନ୍ଧି ବସିବ? ଏମିତି ଅନେକ ପ୍ରଶ୍ନ ଉପରୁ ଏଯାଏ ରହସ୍ୟ ଉଠିପାରିନାହିଁ।

ଉଲ୍ଲେଖଯୋଗ୍ୟ, ଦିନିକିଆ ରିମାଣ୍ଡ େଶଷ ପରେ ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଖୁବ୍ ଶୀଘ୍ର ପୁଣି ଥରେ ରିମାଣ୍ଡରେ ଅଣାଯିବ ବୋଲି ଡିଏଫ୍ଓ ସସ୍ମିତା ଲେଙ୍କା କହିଛନ୍ତି।

ସମ୍ବନ୍ଧିତ ଖବର