ବଜ୍ରକାପ୍ତା ଚୋରାଚାଲାଣ ପ୍ରସଙ୍ଗ : ରିପୋର୍ଟ ମାଗିଲା କେନ୍ଦ୍ରୀୟ ବନ୍ୟଜୀବ ସଂରକ୍ଷଣ ବୋର୍ଡ

ଭୁବନେଶ୍ବର : ବିରଳ ବଜ୍ରକାପ୍ତା ଚୋରାଚାଲାଣ ନେଇ ପ୍ରଥମେ ତନାଘନା ହେବା ଓ ପରେ ସମସ୍ତେ ଚୁପ୍ ବସିଯିବା ଘଟଣା ସବୁ ମହଲରେ ପ୍ରଶ୍ନ ଉଠାଇଲାଣି। ବନବିଭାଗ, କେନ୍ଦ୍ରୀୟ ବନ୍ୟଜୀବ ନିରାପତ୍ତା ବୋର୍ଡ, କ୍ରାଇମବ୍ରାଞ୍ଚ ଅଧୀନସ୍ଥ ସ୍ବତନ୍ତ୍ର ଟାସ୍କ ଫୋର୍ସ କାହିଁକି ନିରବି ଗଲେ, ତାହା ବୁଝାପଡୁନାହିଁ।

ଠିକ୍ ଏଭଳି ସମୟରେ ଭିନ୍ନ ଏକ ଚିଠି ସାମ୍ନାକୁ ଆସିଛି। କେନ୍ଦ୍ରୀୟ ବନ୍ୟଜୀବ ସଂରକ୍ଷଣ ବୋର୍ଡ ପକ୍ଷରୁ ତଦନ୍ତ ପାଇଁ ଆସିଥିବା ଅଧିକାରୀମାନେ ଏଠାରେ ଦୁଇଦିନ ଧରି ମାଫିଆଙ୍କୁ ଜେରା କରିଥିଲେ ହେଁ ସଂସ୍ଥା ଆଉ ଏକ ଚିଠି କରିଛି। ଏହି କେନ୍ଦ୍ରୀୟ ସଂସ୍ଥାର ଆଞ୍ଚଳିକ ଉପନିର୍ଦେଶକ ଏ ରାୟ ଚୌଧୁରୀ ସମୁଦାୟ ଘଟଣା ସଂପର୍କରେ ପୁଣି ଥରେ ରିପୋର୍ଟ ଲୋଡିଛନ୍ତି।

ଓଡ଼ିଶା ପ୍ରଧାନ ମୁଖ୍ୟ ବନ୍ୟ ପ୍ରାଣୀ ସଂରକ୍ଷକଙ୍କୁ ଏକ ପତ୍ର ଲେଖି ଶ୍ରୀ ଚୌଧୁରୀ ଜଣାଇଛନ୍ତି ଯେ ଆଠଗଡ ବନଖଣ୍ଡରେ ଇତିମଧ୍ୟରେ ଯେତେସବୁ ବଜ୍ରକାପ୍ତା କାତି ଆଦି ଜବତ କରାଯାଇଛି ସେ ସଂପର୍କରେ ବିଶଦ ତଥ୍ୟ ଦିଅ। କେବଳ ସେତିକି ନୁହେଁ, ଏହି ଘଟଣାରେ କେଉଁମାନଙ୍କୁ ଗିରଫ କରାଯାଇଥିଲା, ସର୍ବୋପରି ଜେରା ବେଳେ କି କି ଅଧିକ ତଥ୍ୟ ମିଳିଛି, ସେ ସଂକ୍ରାନ୍ତରେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଜଣାଇବା ଲାଗି ନିର୍ଦେଶ ଆସିଛି।

କେନ୍ଦ୍ରୀୟ ବୋର୍ଡର ଏଭଳି ଚିଠି ପାଇବା ବନ୍ୟଜୀବ ସଂରକ୍ଷଣ ଅଧିକାରୀ ଆଠଗଡ ଡିଏଫ୍‌ଓଙ୍କୁ ଚିଠି ଲେଖି ଏ ସଂପର୍କିତ ତଥ୍ୟ ତୁରନ୍ତ ପ୍ରଦାନ ପାଇଁ କହିଛନ୍ତି। ଼ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଶାଖା ଆଜି ଭିନ୍ନ ମତ ରଖିଛି। ତଦନ୍ତକାରୀ ଅଧିକାରୀ କହିଛନ୍ତି ଯେ ଏହି ଘଟଣାକୁ କେବଳ ଅନୁସନ୍ଧାନ କରିବାକୁ ଯାଇଥିଲୁ। କେନ୍ଦ୍ରୀୟ ବନ୍ୟଜୀବ ସଂସ୍ଥା ଓ ବନବିଭାଗ ଏହାର ତଦନ୍ତ କରୁଛନ୍ତି।

ଉଭୟ ଘଟଣା କେଉଁଠି ନା କେଉଁଠି ସୂଚାଉଛି ଯେ ଏଭଳି ଏକ ବିରଳ ପ୍ରାଣୀର ସୁରକ୍ଷା ନେଇ କର୍ତୃପକ୍ଷ ସେଭଳି ଚିନ୍ତିତ ନୁହନ୍ତି।

ସମ୍ବନ୍ଧିତ ଖବର