ବନବିଭାଗର ଜାଣତରେ ନୂଆପଡ଼ା ଜିଲ୍ଲାରୁ ଚୋରାଚାଲାଣ ହେଉଛି ବଜ୍ରକାପ୍ତା!

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରୁ ବହୁ ପରିମାଣରେ ବଜ୍ରକାପ୍ତା ଚୋରାଚାଲଣ ହେଉଥିବା ଦେଖିବାକୁ ମିଳିଛି। କିନ୍ତୁ ବନବିଭାଗର ଆଖି ଆଗରେ ଜିଲ୍ଲାରୁ ଅନ୍ୟରାଜ୍ୟକୁ ବଜ୍ରକାପ୍ତା ଚାଲଣ ହେଉଥିବା ମଧ୍ୟ ବିଭାଗ ଜାଣିପାରୁ ନାହିଁ। ଯାହାକି ଜିଲ୍ଲାର ବଜ୍ରକାପ୍ତାକୁ ନେଇ ଅନ୍ୟରାଜ୍ୟରେ ବିକ୍ରି କରୁଥିବା ବେଳେ ସେଠାକାର ପୁଲିସ ଗିରଫ କରୁଥିବା ଦେଖିବାକୁ ମିଳିଛି।
ଏଥିରୁ ଜଣାପଡ଼େ ଯେ ନୂଆପଡ଼ା ବନ ବିଭାଗ ଓ ବନ୍ୟଜନ୍ତୁ ବିଭାଗ ବଜ୍ରକାପ୍ତା ଚୋରା ଚାଲାଣ ହେଉଥିବା ଜାଣି ମଧ୍ୟ ଅଜଣା ହେଉଛନ୍ତି । ତାସହ ବଜ୍ରକାପ୍ତା ବେପାରୀମାନେ କିଛି କର୍ମଚାରୀଙ୍କୁ ହାତ କରି ଜିଲ୍ଲାରୁ ବହୁ ସଂଖ୍ୟରେ ବଜ୍ରକାପ୍ତା ଚୋରାଚାଲାଣା କରି ଅନ୍ୟରାଜ୍ୟକୁ ବିକ୍ରି ପାଇଁ ନେଉଥିବା ବର୍ତ୍ତମାନ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।
ପ୍ରକାଶ ଯେ ସୁନାବେଡ଼ା ଅଭୟାରଣ୍ୟରେ ବେଧଡ଼କ ଭାବେ ବେପାରୀମାନେ ବ୍ରଜକାପ୍ତା ଶିକାର କରି ଲକ୍ଷ ଲକ୍ଷ ଟଙ୍କାରେ ଦେଶ ବାହାରେ ବିକ୍ରି କରୁଥିବା ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ବ୍ୟାଘ୍ର ପ୍ରକଳ୍ପ ଘୋଷଣା ହୋଇଥିବା ବେଳେ ଏହି ଅଭୟାରଣ୍ୟରେ ମାଓବାଦୀ ଗତିବିଧି ଥିବା ଯୋଗୁଁ ଅଭୟାରଣ୍ୟକୁ ବନବିଭାଗ କର୍ମଚାରୀ ମାନେ ଠିକ୍ ଭାବରେ ଯାଉନଥିବା କୁହାଯାଉଛି। ଏହାର ସୁଯୋଗ ନେଇ ସୁନାବେଡ଼ା ଅଭୟାରଣ୍ୟରେ ଥିବା ବନ୍ୟଜନ୍ତୁ ଉପରେ ବେପାରୀମାନଙ୍କ ନଜର ପଡ଼ିଛି। ସୁନାବେଡ଼ା ଅଭୟାରଣ୍ୟରେ ଏକ ବର୍ଷ ହେବ ବେପାରୀମାନେ ବ୍ରଜକାପ୍ତା ଶିକାର କରୁଥିବା ଜଣାପଡ଼ିଛି। କିଛି ମାସ ତଳେ ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରୁ କିଛି ବେପାରୀ ଏକ ବ୍ରଜକାପ୍ତାକୁ ଦଉଡ଼ିରେ ବାନ୍ଧି ଚୋରାଚାଲାଣ ପାଇଁ ପ୍ରସ୍ତୁତି କରିଥିବା ଦେଖିବାକୁ ମିଳିଥିଲା।


ଏଥିରୁ ଜଣାଯାଏ ଯେ ଅଭୟାରଣ୍ୟରୁ ବେପାରୀମାନେ ବହୁ ବନ୍ୟଜନ୍ତୁ ଶିକାର କରି ରାଜ୍ୟ ବାହାର ତଥା ଅନ୍ୟ ଦେଶକୁ ଚାଲଣା କରୁଛନ୍ତି। ଏପରିକି ଗତ ଅକ୍ଟୋବର ୩୧ତାରିଖ ଦିନ ଖରିଆର ରୋଡ଼ ଜୋଙ୍କ ପୁଲିସ ଗୌତମା ଉଡ଼ାଜାହାଜ ପଡ଼ିଆଠାରେ ୩ ଜଣ ବ୍ୟକ୍ତିଙ୍କୁ ସନ୍ଦେହରେ ଧରିଥି‌ଲେ। ସେମାନଙ୍କୁ ଥାନାକୁ ନେଇ ପଚରାଉଚୁରା ବେଳେ ଜଣାପଡ଼ିଥିଲା ଯେ ଏହି ବ୍ୟକ୍ତିମାନେ ଆନ୍ତରାଜ୍ୟ ବଜ୍ରକାପ୍ତା କାତିକୁ ନେଇ ବାହାର ରାଜ୍ୟରେ ବିକ୍ରି କରୁଥିଲେ। ପରେ ଜୋଙ୍କ ପୁଲିସ ଖରିଆର ରୋଡ଼ ବନ ବିଭାଗଙ୍କୁ ଡାକି ହସ୍ତାନ୍ତର କରିଥିଲେ।
ଏହାପରେ ବନ ବିଭାଗ ତଦନ୍ତ କରି ଆନ୍ତରାଜ୍ୟ ବ୍ରଜକାପ୍ତା କାତି ଚାଲଣ କରୁଥିବା ଅଭିଯୋଗରେ ବରଗଡ଼ ଜିଲ୍ଲାର ଝାରବନ୍ଧ ଗ୍ରାମର ପ୍ରେମାନନ୍ଦ ବେହେରା, ଝାରବନ୍ଧ ଗ୍ରାମର ଡୁବୁରୀ ଗ୍ରାମର ହରେକୃଷ୍ଣ ପ୍ରଧାନ, ନୂଆପଡ଼ା ପଞ୍ଚମପୁର ଗ୍ରାମର ଭରତ ଦାସଙ୍କୁ ବନ ବନବିଭାଗ ବନ୍ୟପ୍ରାଣୀ ସୁରକ୍ଷାର ଆଇନ ଅନୁଯାୟୀ ୩ ଜଣଙ୍କୁ ଗିରଫ କରି ସେମାନଙ୍କଠାରୁ ଏକ ଓଡି ୧୭ କ୍ବୁ ୫୧୩୭ ସ୍କର୍ପିଓ ଗାଡ଼ି ଜବତ କରିଥିଲେ।
ଛତିଶଗଡ଼ ଗରିଆବନ୍ଧ ପୁଲିସ ପୁଣି ଜିଲ୍ଲାରୁ ବଜ୍ରକାପ୍ତା ଜବତ କରିବା ସହ ନୂଆପଡ଼ା ଜିଲ୍ଲା ସିନାପାଲିର ଜଣେ ଯୁବକଙ୍କୁ ଗିରଫ କରିଛନ୍ତି। ଏଥିରୁ ଜଣାପଡ଼ିଛି ଯେ ଜିଲ୍ଲାରୁ ବହୁ ସଂଖ୍ୟକ ବଜ୍ରକାପ୍ତା ରାଜ୍ୟ ବାହାରକୁ ଚୋରାଚାଲଣ ହେଉଛି। ଏହା ଉପରେ ଜିଲ୍ଲାପ୍ରଶାସନ ତୁରନ୍ତ ଧ୍ୟାନ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର