ବଜ୍ରକାପ୍ତା ଚୋରା ଚାଲାଣ ଘଟଣା : ଆଜି ରିମାଣ୍ଡରେ ଆସିବେ ଅଲ୍ଲୀ, ନୀଳଭାଇଙ୍କ ସହ ୨ ସହଯୋଗୀ

କଟକ : ବଜ୍ରକାପ୍ତା ଚୋରାଚାଲାଣ ରାକେଟ୍‌ର ମୁଖ୍ୟ କୁହାଯାଉଥିବା ମହମ୍ମଦ ଅଲ୍ଲୀ, ତାର ଦୁଇ ସହଯୋଗୀ ସନ୍ତୋଷ ଦାସ ଓ ହାଡ଼ିବନ୍ଧୁ ଜେନାଙ୍କ ସମେତ ଭୁବନେଶ୍ବରର ନୀଳଭାଇ ଓରଫ୍‌ ନୀଳକଣ୍ଠ ନାୟକକୁ ଶନିବାର ରିମାଣ୍ଡରେ ଆଣିବ ବନବିଭାଗ। ୭ ଦିନ ରିମାଣ୍ଡରେ ଆଣିବା ପାଇଁ ଆଠଗଡ ବନବିଭାଗ ଆବେଦନ କରିଥିବାବେଳେ ଆଠଗଡ ଏସ୍‌ଡିଜେଏମ୍‌ଙ୍କ ଅଦାଲତ କିନ୍ତୁ ଗୋଟିଏ ଦିନ ରିମାଣ୍ଡରେ ନେବାପାଇଁ ଅନୁମତି ଦେଇଛନ୍ତି। ନୀଳଭାଇ ଓ ଅଲ୍ଲୀଙ୍କୁ ସାମ୍ନାସାମ୍ନି ଜେରା କରାଯିବ ବୋଲି ଆଠଗଡ ଡିଏଫ୍‌ଓ ସସ୍ମିତା ଲେଙ୍କା ସୂଚନା ଦେଇଛନ୍ତି।

ଅନ୍ୟପଟେ ନୀଳଭାଇକୁ ଜେରା ସମୟରେ ସେ ଦେଇଥିବା ତଥ୍ୟ ଅନୁସାରେ ଅଲ୍ଲୀ ହିଁ ରାକେଟ୍‌ର ମୁଖ୍ୟ। ଏଥିରେ ଆହୁରି ୨୦ରୁ ଅଧିକ ସଂପୃକ୍ତ ରହିଛନ୍ତି। ପୂର୍ବରୁ ଚଳିତ ମାସ ୨୪ ତାରିଖ ଦିନ ଅଲ୍ଲୀ ଓ ତାର ଦୁଇ ସହଯୋଗୀଙ୍କୁ ରିମାଣ୍ଡରେ ଅଣାଯାଇ ଜେରା କରାଯାଇଥିଲା। ଅଲ୍ଲୀ ଓ ସନ୍ତୋଷର ତଥ୍ୟ ଅନୁସାରେ ନୀଳଭାଇକୁ ନୟାଗଡରୁ ଗିରଫ କରିଥିଲା ବନବିଭାଗ। ଅନ୍ୟପଟେ ବଜ୍ରକାପ୍ତା ଚୋରା ଚାଲାଣ ରାକେଟ୍‌ର ବିଦେଶ ଲିଙ୍କ ଓ ବାହାର ରାଜ୍ୟ ସହିତ ରହିଥିବା ଲିଙ୍କରର ତଦନ୍ତ କରିବା ପାଇଁ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌କୁ ଚିଠି ଲେଖିବା ଘଟଣାକୁ ଦୀର୍ଘଦିନ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କେବଳ ବନବିଭାଗ ଘଟଣାର ତଦନ୍ତ କରୁଛି। ପୂର୍ବରୁ ଏସ୍‌ଟିଏଫ୍‌ର ଦୁଇ ଜଣିଆ ଟିମ୍ ଓ ଡବ୍ଲୁସିସିବିର ଦୁଇଜଣିଆ ଟିମ୍‌ ଆଠଗଡରେ ପହଞ୍ଚି ଘଟଣାର ତଦନ୍ତ କରି ଫେରିଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ଏସଟିଏଫ୍ ପକ୍ଷରୁ ତଦନ୍ତ ଆଗକୁ ବଢି ପାରୁନି।

ସୂଚନା ଯୋଗ୍ୟ ଯେ, ଆଠଗଡ ବନବିଭାଗ ବଜ୍ରକାପ୍ତା ଚୋରା ଚାଲାଣ ଘଟଣାରେ ୨୦ ଜଣଙ୍କୁ ଗିରଫ କରିଛି। ତେବେ ଚୋରାଚାଲାଣ ଘଟଣାର ମୁଖ୍ୟ ଅଭିଯୁକ୍ତ କଟକ ବକ୍ସିବଜାରର ମହମ୍ମଦ ଅଲ୍ଲୀକୁ ୧୭ ତାରିଖ ଦିନ ବନବିଭାଗ ନରାଜଠାରୁ ଗିରଫ କରିବା ପରେ କାରବାରର ଅନେକ ଗୋପନୀୟ ତଥ୍ୟ ଜଣାପଡିଥିଲା।

ସମ୍ବନ୍ଧିତ ଖବର