ଭୁବନେଶ୍ୱର: ହାଇଦ୍ରାବାଦରେ ଅନୁଷ୍ଠିତ ଇଣ୍ଡିଆ ରିଡିଂ ଅଲିମ୍ପିଆଡ଼ର ପଞ୍ଚମ ସଂସ୍କରଣରେ ଓଡ଼ିଶାର ବକୁଲ୍ ଫାଉଣ୍ଡେସନକୁ ‘ମୋଷ୍ଟ ଇନୋଭେଟିଭ୍ ଲାଇବ୍ରେରି’ ପୁରସ୍କାର ପ୍ରଦାନ କରାଯାଇଛି। ରବିବାର ହାଇଦ୍ରାବାଦ ସାହିତ୍ୟ ମହୋତ୍ସବରେ ବକୁଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସୁଜିତ ମହାପାତ୍ର ଏବଂ ଏହାର ଦୁଇ ସ୍ୱେଚ୍ଛାସେବୀ ନୀଲଞ୍ଜନ ଦାସ ଏବଂ ଦେବଜ୍ୟୋତି ବେଜ ଏହି ପୁରସ୍କାର ଗ୍ରହଣ କରିଥିଲେ।
ପୁରସ୍କାର ଗ୍ରହଣ କରି ସୁଜିତ ମହାପାତ୍ର କହିଛନ୍ତି, ‘‘ଯେତେବେଳେ ଆମେ ପଢ଼ିବା ଅଭ୍ୟାସକୁ ପ୍ରୋତ୍ସାହନ ଦେବା ଆରମ୍ଭ କଲୁ,ସେତେବେଳେ ଆମେ ଅନୁଭବ କଲୁ ଯେ ଆମର ଲକ୍ଷ୍ୟ କେବଳ ପୁସ୍ତକକୁ ପାଠକମାନଙ୍କ ନିକଟରେ ପହଞ୍ଚାଇବା ନୁହେଁ, ବରଂ ଆମକୁ ପାଠକ ସୃଷ୍ଟି କରିବାକୁ ହେବ। ତେଣୁ,ଅଭିନବ ଶୈଳୀ ଆପଣାଇ ଲୋକଙ୍କୁ ପୁସ୍ତକପାଖକୁ ଆଣିବା ସହିତ ବିଭିନ୍ନ ପଦ୍ଧତି ମାଧ୍ୟମରେ ଶିଶୁ ଏବଂ ବୟସ୍କମାନଙ୍କୁ ପୁସ୍ତକ ପ୍ରତି ଆକର୍ଷିତ କରିବା ଉଦ୍ୟମ କରିଥିଲୁ।’’
ଇଣ୍ଡିଆ ରିଡିଂ ଅଲିମ୍ପିଆଡ୍ ଭଳି କାର୍ଯ୍ୟକ୍ରମ ଆରମ୍ଭ କରିଥିବା ‘ଫୁଡ୍ ଫର୍ ଥଟ୍ ଫାଉଣ୍ଡେସନ୍’ ପଠନ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟକ୍ତିବିଶେଷ ତଥା ସଂଗଠନର ପ୍ରୟାସକୁ ପୁରସ୍କାର ମାଧ୍ୟମରେ ସ୍ୱୀକୃତି ଦେଇଥାଏ। ଏହି ବର୍ଗରେ ଭାରତର ଏହା ଏକମାତ୍ର ପୁରସ୍କାର ଓ ୧୪ଟି ବିଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି। ବକୁଲ ଫାଉଣ୍ଡେସନ ଥିଲା ଏକମାତ୍ର ସଂଗଠନ ବା ବ୍ୟକ୍ତିବିଶେଷ, ଯାହାକି ‘ଶ୍ରେଷ୍ଠ ଏନଜିଓ’ ଏବଂ ‘ମୋଷ୍ଟ ଇନୋଭେଟିଭ୍ ଲାଇବ୍ରେରୀ’ ଆଦି ଦୁଇଟି ବର୍ଗରେ ତାଲିକାଭୁକ୍ତ ହୋଇଥିଲା। ତେବେ ପଠନକୁ ପ୍ରୋତ୍ସାହିତ କରିବାରେ ଏହାର ଅଭିନବ ପଦକ୍ଷେପପାଇଁ ଏହା “ମୋଷ୍ଟ ଇନୋଭେଟିଭ୍ ଲାଇବ୍ରେରୀ” ପୁରସ୍କାର ଲାଭ କଲା।
ଏହି ପୁରସ୍କାର ଲାଗି ଚୟନିତ ବିଚାରକମଣ୍ଡଳୀଙ୍କୁ ବକୁଲ୍ ଫାଉଣ୍ଡେସନ ଦ୍ବାରା ଭୁବନେଶ୍ବରର ଏକାମ୍ର ହାଟରେ କରାଯାଇଥିବା ରେଫ୍ରିଜରେଟରରେ ମାନବ ବିହୀନ ଲାଇବ୍ରେରି, ଫରେଷ୍ଟ ପାର୍କରେ ବୃକ୍ଷ ଲାଇବ୍ରେରି ଏବଂ କଳାଭୂମି ପାର୍କିଂ ଅଞ୍ଚଳରେ ଥିବା ଏକ ପୁରୁଣା ପରିତ୍ୟକ୍ତ ବସ୍ରେ ଲାଇବ୍ରେରି ବେଶ୍ ପ୍ରଭାବିତ କରିଥିଲା। ଏଭଳି ଅଭିନବ ପ୍ରୟାସ ଦ୍ବାରା ବିଭିନ୍ନ ବର୍ଗର ଲୋକଙ୍କୁ ବହି ନିକଟକୁ ଆଣିବା ଓ ସେମାନଙ୍କ ଭିତରେ ପଢ଼ିବା ଲାଗି ଆଗ୍ରହ ସୃଷ୍ଟି କରିବା ନିଶ୍ଚିତ ଭାବେ ଏକ ପ୍ରଶଂସନୀୟ ପଦକ୍ଷେପ । ଫୁଡ୍ ଫର୍ ଥଟ୍ ଫାଉଣ୍ଡେସନର ନିର୍ଦ୍ଦେଶିକା ମାଧବୀ ଶର୍ମା କହିଛନ୍ତି,‘‘ବିଚାରକମଣ୍ଡଳୀରେ ଥିବା ସମସ୍ତ ସଦସ୍ୟ ସର୍ବସମ୍ମତି କ୍ରମେ ଏହି ପୁରସ୍କାର ଲାଗି ବକୁଲ୍ ଫାଉଣ୍ଡେସନକୁ ମନୋନୀତ କରିଥିଲେ।’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/bakul-foundation.jpg)