ଗଜପତିଙ୍କୁ ଚିଠି ଲେଖିଲେ ବଳଭଦ୍ରଙ୍କ ବାଡ଼ଗ୍ରାହୀ, ରଥଯାତ୍ରା, ସ୍ନାନଯାତ୍ରା ପ୍ରସଙ୍ଗରେ ଆଲୋଚନା ପାଇଁ ନିବେଦନ

ପୁରୀ : ବହୁଦିନର ନିରବତା ପରେ ରଥଯାତ୍ରା ପ୍ରସଙ୍ଗରେ ବରିଷ୍ଠ ଦଇତାପତି ସେବକ ତଥା ବଡ଼ଠାକୁର ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସମହାପାତ୍ର ମୁହଁ ଖୋଲିଛନ୍ତି। କରୋନା ପାଇଁ ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ନେଇ ଦ୍ବନ୍ଦ୍ବାତ୍ମକ ପରିସ୍ଥିତି ସୃଷ୍ଟି ହେବାପରେ ଏ ପ୍ରସଙ୍ଗରେ ଶ୍ରୀ ଦାସମହାପାତ୍ର ଗଜପତି ମହାରାଜ ଦିବ୍ୟସିଂହଙ୍କ ଦେବଙ୍କ ସହ ସମୂହ ଆଲୋଚନା କରିବାକୁ ଚିଠି ଲେଖିଛନ୍ତି। ଏଥିପାଇଁ ସମୟ ଧାର୍ଯ୍ୟ କରିବାକୁ ନିବେଦନ କରିଛନ୍ତି।

ଶ୍ରୀ ଦାସମହାପାତ୍ର ଚିଠିରେ ଉଲ୍ଲେଖ କରିଛନ୍ତି, ସାମ୍ପ୍ରତିକ ପରିସ୍ଥିତିରେ କରୋନା ମହାମାରୀ ଦେଶରେ ଉଗ୍ରରୂପ ଧାରଣ କରିଛି। ଯେଉଁଥିପାଇଁ ସମସ୍ତ ଧାର୍ମିକ ଅନୁଷ୍ଠାନକୁ ସର୍ବସାଧାରଣଙ୍କ ପ୍ରବେଶ ନିଷେଧ କରାଯାଇଛି। ଶ୍ରୀମନ୍ଦିରକୁ ବି ଭକ୍ତଙ୍କ ବାରଣ କରାଯାଇଛି। କେବଳ ନୀତିକାନ୍ତି ଯଥାରୀତି ଚାଲିଛି। ଏଭଳି ଏକ ଭୟାବହ ପରିସ୍ଥିତିରେ ରଥଯାତ୍ରା ପଡ଼ୁଛି। ଆସନ୍ତା ଜୁନ୍‌ ୨୩ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏହାପୂର୍ବରୁ ଅର୍ଥାତ୍‌ ଆସନ୍ତା ଜୁନ୍‌ ୫ରେ ସ୍ନାନପୂର୍ଣ୍ଣିମା ପଡ଼ୁଛି। ଏହାକୁ ଯଥାବିଧି କିପରି ପାଳନ କରାଯିବ, ସେ ଉପରେ ବରିଷ୍ଠ ଦଇତାପତି ସେବକମାନଙ୍କ ସହ ସେ ଆଲୋଚନା କରିଛନ୍ତି। କେଉଁଭଳି କଟକଣା ଭିତରେ ସ୍ନାନପୂର୍ଣ୍ଣିମା ଅନୁଷ୍ଠିତ ହେବ ତାହା ଉପରେ ସେ ଓ କିଛି ବରିଷ୍ଠ ଦଇତାପତି ସେବକ ତାଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ଆଲୋଚନା ପାଇଁ ସ୍ଥାନ ଓ ସମୟ ସ୍ଥିରୀକୃତ କରି ଆଲୋଚନା ପାଇଁ ସୁଯୋଗ ଦେବାକୁ ଶ୍ରୀ ଦାସମହାପାତ୍ର ଗଜପତି ମହାରାଜଙ୍କୁ ନିବେଦନ କରିଛନ୍ତି।

ଅତୀତରେ ନବକଳେବର ମହାବିଭ୍ରାଟକୁ ନେଇ ଚର୍ଚ୍ଚା ଓ କାର୍ଯ୍ୟାନୁଷ୍ଠାନ ସମୟରେ ହିଁ ଶ୍ରୀ ଦାସମହାପାତ୍ର ଗଣମାଧ୍ୟମ ଆଗରେ ମୁହଁ ଖୋଲିଥିଲେ। ସେବେ ଠାରୁ ଶ୍ରୀ ଦାସମହାପାତ୍ର ଗଣମାଧ୍ୟମ ଠାରୁ ଦୂରେଇ ରହିଥିଲେ। ହଠାତ୍ ଶ୍ରୀ ଦାସମହାପାତ୍ର ଗଜପତିଙ୍କୁ ରଥଯାତ୍ରା ସଂପର୍କରେ ଚିଠି ଲେଖି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି।

ସମ୍ବନ୍ଧିତ ଖବର