ଆଦିବାସୀ ଓ ପଛୁଆ ଅଞ୍ଚଳର ବିକାଶରେ ବିଜେଡି ବାଧକ: ବଳଭଦ୍ର

ଗୁରୁବାର ପ୍ରଶଂସା କରିଥିଲେ, ଆଜି ନିନ୍ଦିଲେ

ଭୁବନେଶ୍ବର : ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ବିଜେଡି ଛାଡ଼ି ବିଜେପିରେ ମିଶିବା ପରେ ଆଜି ଓଡ଼ିଶାରେ ପ୍ରଥମ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରୁ ହିଁ ସେ ବିଜେଡିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଆଦିବାସୀ ଓ ପଛୁଆ ଅଞ୍ଚଳର ବିକାଶରେ ବିଜେଡି ସବୁଠୁ ବଡ଼ ବାଧକ ସାଜିଛି। ଯାହା ସବୁ ଉନ୍ନତିମୂଳକ କାର୍ଯ୍ୟ ହୋଇଛି କେବଳ ‌ବ‌ିଜେପିର କେନ୍ଦ୍ର ସରକାରଙ୍କ ଯୋଗୁଁ ହୋଇପାରିଛି।

ଶ୍ରୀ ମାଝୀ କହିଛନ୍ତି ଯେ, ନବରଙ୍ଗପୁରରେ ଯାହା ସବୁ ବିକାଶମୂଳକ କାର୍ଯ୍ୟ ହୋଇଛି ତାହା କେବଳ କେନ୍ଦ୍ରୀୟ ଯୋଜନା ଦ୍ବାରା ହୋଇଛି। ଜୟପୁର-ମାଲକାନଗିରି, ଜୟପୁର-ନବରଙ୍ଗପୁର, ରେଳ ପ୍ରକଳ୍ପ ମୋ ଉଦ୍ୟମରେ ହୋଇଛି। ଗତ ୫ବର୍ଷରେ ପ୍ରାୟ ୨୫୦୦ କିମି ଗ୍ରାମ୍ୟ ରାସ୍ତା ନିର୍ମାଣ ହୋଇଛି। ପ୍ରାୟ ସବୁ ଗାଁକୁ ବିଦ୍ୟୁତ ସଂଯୋଗ କରାଯାଇଛି। ହେଲେ କେନ୍ଦ୍ର ସରକାର ଯୋଗାଉଥିବା ଆର୍ଥିକ ସହାୟତାକୁ ରାଜ୍ୟ ସରକାର ଠିକ୍‌ ଭାବେ ବିନିଯୋଗ କରିବାରେ ବିଫଳ ହୋଇଛନ୍ତି। ଆଦିବାସୀ ଓ ପଛୁଆ ଅଞ୍ଚଳର ବିକାଶରେ ରାଜ୍ୟ ସରକାର ବାଧକ ସାଜିବାରୁ ମୁଁ ବିଜେଡି ଛାଡ଼ି ବିଜେପିରେ ମିଶିଲି ବୋଲି ଶ୍ରୀ ମାଝୀ କହିଛନ୍ତି।

ଏହାସହ ଶ୍ରୀ ମାଝୀ କହିଛନ୍ତି ‌େଯ, ନବରଙ୍ଗପୁର ଜିଲ୍ଲାରେ ଆଜି ବି ୪ଟି ବ୍ଲକ ଅଛି ଯେଉଁଠି ଲକ୍ଷ ଲକ୍ଷ ଲୋକ ବାସ କରୁଛନ୍ତି। ହେଲେ ସେଠାରେ ଗୋଟିଏ ବି କଲେଜ ନିର୍ମାଣ ହୋଇପାରିଲାନି। ସବୁ ବ୍ଲକରେ ସରକାରୀ କଲେଜ ଖୋଲିବା ମୋର ଲକ୍ଷ୍ୟ ଥିଲା। କିନ୍ତୁ ବିଜେଡି ସରକାର ଓ ପ୍ରଶାସନ ସରକାରୀ କଲେଜ ପ୍ରତିଷ୍ଠା କରିବା ପାଇଁ କିଛି ଯୋଜନା କଲେ ନାହିଁ କି ଚାହିଁଲେ ନାହିଁ। ତେଣୁ ହୋଇପାରିଲାନି।

ଅପରପକ୍ଷେ ଶ୍ରୀ ମାଝୀ ଗୁରୁବାର ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକଙ୍କୁ ପଠାଇଥିବା ୪ପୃଷ୍ଠାର ଇସ୍ତଫା ପତ୍ରରେ ଲେଖିଥି‌ଲେ ଯେ, ତାଙ୍କୁ ସାଂସଦ ହେବାର ସୁଯୋଗ ଦେଇଥିବାରୁ ସେ ଚିର ଉପକୃତ। ଆପଣଙ୍କ ସହଯୋଗରେ ମୁଁ ନବରଙ୍ଗପୁରରେ ବିଭିନ୍ନ କ୍ଷେତ୍ରରେ ବହୁ ଉନ୍ନତିମୂଳକ କାର୍ଯ୍ୟ କରିପାରିଛି। ଇସ୍ତଫା ଦେବା ଦିନ ନବୀନ ଯୋଗୁଁ ସେ ସଫଳତା ପାଇଛନ୍ତି ବୋଲି କହିବାର ୭୨ଘଣ୍ଟା ପରେ ହଠାତ୍ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦି ଶ୍ରୀ ମାଝି ଓଲଟିଯାଇଛନ୍ତି।

ସମ୍ବନ୍ଧିତ ଖବର