ନୂଆଦିଲ୍ଲୀ/ଭୁବନେଶ୍ବର : ଗତକାଲି ବିଜେଡିରୁ ଇସ୍ତଫା ଦେଲା ପରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଆଜି ବିଜେପିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ କାର୍ଯ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଉତ୍ତରୀୟ ଓ ସଦସ୍ୟତା ପତ୍ର ଦେଇ ବିଜେପିରେ ସାମିଲ କରାଇଥିଲେ। ଏହି ଯୋଗଦାନ ଉତ୍ସବରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ବିଜେପିର ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଉପସ୍ଥିତ ଥିଲେ। ଏହା ପରେ ଶ୍ରୀ ମାଝୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିଥିଲେ।
ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ବିକାଶ ପାଇଁ ଗତ ୫ ବର୍ଷରେ ଶ୍ରୀ ମାଝୀ ବହୁତ କାମ କରିଛନ୍ତି। ତାଙ୍କରି ବଳିଷ୍ଠ ପଦକ୍ଷେପ ଯୋଗୁ ସେ ଅଞ୍ଚଳରେ ରେଳ କ୍ଷେତ୍ରରେ ବହୁତ ବିକାଶ ହୋଇଛି। ତାଙ୍କ ଯୋଗଦାନ ବିଜେପିକୁ ଆହୁରି ମଜବୁତ କରିବ।
ଶ୍ରୀ ମାଝୀ କହିଥିଲେ, ବିଜେଡିର ଜିଲ୍ଲା ଓ ରାଜ୍ୟସ୍ତରରେ ମୋତେ ଅଣଦେଖା କରାଗଲା। ଜଣେ ସାଂସଦ ଭାବେ ମୋର କୌଣସି ମତାମତ ନିଆଗଲା ନାହିଁ। ଫଳରେ ମୋର ସେଠି ଆବଶ୍ୟକତା ନ ଥିବା ଅନୁଭବ ହେଲା। ସେଥିପାଇଁ ବିଜେଡିେର ରହିବାକୁ ଚାହିଁଲି ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଶୈଳୀରେ ପ୍ରଭାବିତ ହୋଇ ବିଜେପିରେ ଯୋଗ ଦେବାକୁ ନିଷ୍ପତ୍ତି ନେଲି। ବିଜେପି ଏକ ଜାତୀୟ ଦଳ ହୋଇଥିବାରୁ ଜନସାଧାରଣଙ୍କ ସେବା କରିବାକୁ ଅଧିକ ସୁଯୋଗ ମିଳିବ।