ବିଜେପିରେ ମିଶିଲେ ବଳଭଦ୍ର ମାଝୀ, ନୂଆଦିଲ୍ଲୀରେ ହେଲା ମିଶ୍ରଣ ପର୍ବ

ନୂଆଦିଲ୍ଲୀ/ଭୁବନେଶ୍ବର : ଗତକାଲି ବିଜେଡିରୁ ଇସ୍ତଫା ଦେଲା ପରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଆଜି ବିଜେପିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ କାର୍ଯ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଉତ୍ତରୀୟ ଓ ସଦସ୍ୟତା ପତ୍ର ଦେଇ ବିଜେପିରେ ସାମିଲ କରାଇଥିଲେ। ଏହି ଯୋଗଦାନ ଉତ୍ସବରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ବିଜେପିର ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ବିଧା‌ୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଉପସ୍ଥିତ ଥିଲେ। ଏହା ପରେ ଶ୍ରୀ ମାଝୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିଥିଲେ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ବିକାଶ ପାଇଁ ଗତ ୫ ବର୍ଷରେ ଶ୍ରୀ ମାଝୀ ବହୁତ କାମ କରିଛନ୍ତି। ତାଙ୍କରି ବଳିଷ୍ଠ ପଦକ୍ଷେପ ଯୋଗୁ ସେ ଅଞ୍ଚଳରେ ରେଳ କ୍ଷେତ୍ରରେ ବହୁତ ବିକାଶ ହୋଇଛି। ତାଙ୍କ ଯୋଗଦାନ ବିଜେପିକୁ ଆହୁରି ମଜବୁତ କରିବ।

ଶ୍ରୀ ମାଝୀ କହିଥିଲେ, ବିଜେଡିର ଜିଲ୍ଲା ଓ ରାଜ୍ୟସ୍ତରରେ ମୋତେ ଅଣଦେଖା କରାଗଲା। ଜଣେ ସାଂସଦ ଭାବେ ମୋର କୌଣସି ମତାମତ ନିଆଗଲା ନାହିଁ। ଫଳରେ ମୋର ସେଠି ଆବଶ୍ୟକତା ନ ଥିବା ଅନୁଭବ ହେଲା। ସେଥିପାଇଁ ବିଜେଡି‌େର ରହିବାକୁ ଚାହିଁଲି ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଶୈଳୀରେ ପ୍ରଭାବିତ ହୋଇ ବିଜେପିରେ ଯୋଗ ଦେବାକୁ ନିଷ୍ପତ୍ତି ନେଲି। ବିଜେପି ଏକ ଜାତୀୟ ଦଳ ହୋଇଥିବାରୁ ଜନସାଧାରଣଙ୍କ ସେବା କରିବାକୁ ଅଧିକ ସୁଯୋଗ ମିଳିବ।

ସମ୍ବନ୍ଧିତ ଖବର