ପୁରୀ: ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ଶରଧାବାଲିରେ ଶ୍ରୀଜିଉଙ୍କୁ ଅପେକ୍ଷା କରିଛି ତିନି ରଥ। ଏଥିଲାଗି ଶ୍ରୀଗୁଣ୍ଡିଚା ମନ୍ଦିରରୁ ସଅଳ ପହଣ୍ଡି ନିର୍ଦ୍ଧାରିତ ସମୟ ଆଗରୁ ଆରମ୍ଭ ହୋଇ ଏବେ ମଧ୍ୟ ଜାରି ରହିଛି। ଘଣ୍ଟ ଘଣ୍ଟା ବାଦ୍ୟରେ ରଥକୁ ପ୍ରଥମେ ବିଜେ କରିଥିଲେ ଶ୍ରୀସୁଦର୍ଶନ। ସେ ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିରାଜିଥିଲେ। ଚକ୍ରରାଜ ସୁଦର୍ଶନଙ୍କ ପରେ ବଡ଼ଭାଇ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଝୁଲି ଝୁଲି ତାଳଧ୍ୱଜ ରଥକୁ ଆସିଛନ୍ତି ବଡ଼ ଠାକୁର। ଏହାପରେ ମା ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହୋଇଛି। ଶେଷରେ ପହଣ୍ଡିରେ ଆସି ଶ୍ରୀଜଗନ୍ନାଥ ନିଜର ନନ୍ଦିଘୋଷ ରଥରେ ବିରାଜମାନ କରିବେ।
ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ସାଢ଼େ ୨ଟା ଭିତରେ ବାହୁଡ଼ା ପହଣ୍ଡି ଶେଷ ପରେ ସାଢ଼େ ୨ଟାରୁ ସାଢ଼େ ୩ଟା ଭିତରେ ଛେରାପହଁରା ନୀତି ଅନୁଷ୍ଠିତ ହେବ। ଅପରାହ୍ଣ ୩ଟାରୁ ୪ଟା ଭିତରେ ଚାରମାଳ ଫିଟିବା ଓ ଘୋଡ଼ାଲାଗି କାର୍ଯ୍ୟ ସଂପନ୍ନ ହେବ। ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ। ସୂଚନାଯୋଗ୍ୟ, ବାହୁଡ଼ା ଯାତ୍ରା ଶେଷ ପରେ ଜୁଲାଇ ୧୭ ତାରିଖରେ ସୁନାବେଶ, ୧୮ରେ ଅଧରପଣା ଓ ୧୯ରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।