କେନ୍ଦୁଝର: କେନ୍ଦୁଝରର ରାଷ୍ଟ୍ର ଦେବତା ଶ୍ରୀ ବଳଦେବଜିଉଙ୍କ ୮୨ଟି ଗାଁରେ ଜମି ରହିଥିବା ବେଳେ ପ୍ରାୟ ୩୨ କିଲୋଗ୍ରାମ ସୁନା ଅଳଙ୍କାର ରହିଥିବା ସୂଚନା ମିଳିଛି। କେନ୍ଦୁଝରର ଶ୍ରୀ ବଳଦେବଜିଉଙ୍କ ମନ୍ଦିର ପରିଚାଳନା ଭାର ପୂର୍ବେ ରାଜାମାନଙ୍କ ଅଧୀନରେ ଥିଲା। ପ୍ରାୟ ୩୦୦ ବର୍ଷ ଧରି ରାଜାମାନଙ୍କ ଦ୍ବାରା ପରିଚାଳିତ ହେବା ପରେ ଗତ ୬୦ବର୍ଷ ହେଲା ରାଜ୍ୟ ସରକାରଙ୍କ ଆଇନ ବିଭାଗ ଦ୍ୱାରା ଏହା ପରିଚାଳିତ ହେଉଛି। ଏହି ମନ୍ଦିର ଅଧୀନରେ ଜିଲ୍ଲାର ୨୦ଟି ମଠ ଓ ମନ୍ଦିର ରହିଛି । କେନ୍ଦୁଝରର ଭୂତପୂର୍ବ ରାଜା ନୃସିଂହ ନାରାୟଣ ଭଞ୍ଜଦେଓ ୨୦ ଧାର୍ମିକ ମନ୍ଦିର ବା କୋଠା ସମେତ ୮୬ଟି ବଡ଼କୋଠା ଓ ୧୧୮୭ଟି ସାନକୋଠାର ପରିଚାଳନା ଦାୟିତ୍ୱ ୧୯୭୦ ମସିହାରେ ଦେବୋତ୍ତର ବିଭାଗକୁ ହସ୍ତାନ୍ତର କରିଥିଲେ।
ଏହାର ପରିଚାଳନା ପାଇଁ ସ୍ୱତନ୍ତ୍ର ଅଧିକାରୀ ନ ଥିବାରୁ କେନ୍ଦୁଝର ଉପଜିଲ୍ଲାପାଳ ଓଡିଶା ହିନ୍ଦୁ ଧର୍ମାନୁଷ୍ଠାନ ଆଇନର ୫୨ ଧାରା ଅନୁଯାୟୀ ନିର୍ବାହୀ ଅଧିକାରୀ ଭାବରେ ଅତିରିକ୍ତ ଦାୟିତ୍ୱ ତୁଲାଇ ଆସୁଛନ୍ତି। ଶ୍ରୀ ବଳଦେବଜିଉଙ୍କର ରହିଛି ଅମାପ ସଂପତ୍ତି। ଜିଲ୍ଲାର ୮୨ଟି ଗ୍ରାମରେ ଶ୍ରୀଜିଉଙ୍କ ଜମିଜମା ରହିଛି। ସମୁଦାୟ ଜମିର ପରିମାଣ ୨୦,୭୭୫.୭୮ ଏକର ହେବ। ଏହି ଜମି ମଧ୍ୟରୁ ୧୫,୮୯୭.୮୮ ଏକର ଜଙ୍ଗଲ ଓ ହୁଡି କିସମ, ୧୬୭.୫୩ ଏକର ପୋଖରୀ, ୪୪୮୨.୬୭ ଏକର ଚାଷଜମି ଥିବା ଜଣାପଡ଼ିଛି। ଏହାଛଡା ଶ୍ରୀଜିଉଙ୍କ ୩୨ କିଲୋଗ୍ରାମରୁ ଊର୍ଦ୍ଧ୍ୱ ଓଜନର ହୀରା,ନୀଳା,ମୋତିମାଣିକ୍ୟ ଖଚିତ ସୁନା ଅଳଙ୍କାର ରହିଛି। ମନ୍ଦିର ଅଧୀନରେ ବହୁ ଦୋକାନ, ବଜାର ମଧ୍ୟ ରହିଛି।
କେନ୍ଦୁଝରର ରାଜାଙ୍କ ପୃଷ୍ଠପୋଷକତାରେ ୧୯୬୧ ମସିହା ପର୍ଯ୍ୟନ୍ତ ସୁନାବେଶ ହେଉଥିଲା। ଏହାପରେ ୨୦୦୮ ମସିହାରୁ ସୁନାବେଶ ହୋଇଆସୁଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ କେନ୍ଦୁଝର ଶାଖା ଲକରରେ ଏହି ସବୁ ସୁନା ଗହଣା ରହିଛି। ବିଶେଷ କରି ଶ୍ରୀ ବଳଭଦ୍ରଙ୍କର ୧୪ଟି ରତ୍ନପଥର ଖଚିତ ସୁନା ମୁକୁଟ, ଶ୍ରୀ ଜଗନ୍ନାଥଙ୍କ ୧୨ଟି ରତ୍ନପଥର ଥାଇ ସୁନା ମୁକୁଟ, ଦେବୀ ସୁଭଦ୍ରାଙ୍କର ୧୨ଟି ରତ୍ନପଥର ଥାଇ ସୁନା ମୁକୁଟ, ପାଞ୍ଚଗୋଟି କିଆପଥର ଥାଇ ସୁନା କିରୀଟ, ସୁନାର ମରିଚ ହାର, ୧୨ଟି ସୁନାର କିରୀଟ, ୧୬ଟି ଝରା ସହିତ ଜଗନ୍ନାଥ ଓ ବଳଭଦ୍ରଙ୍କ ସୁନାପେଟି, ୧୭ଟି ଝରା ସହିତ ସୁଭଦ୍ରାଙ୍କର ସୁନାପେଟି, ଦୁଇଯୋଡା ସୁନା କୁଣ୍ଡଳ, ୫୬ଟି ମୋହର ଓ ୬୦ଟି କଣ୍ଠି ଥାଇ ଗିରିଗୋଲର ହାର, ୫୧ଟି ରୁଦ୍ରାକ୍ଷ ଥାଇ ସୁନା ରୁଦ୍ରାକ୍ଷ ମାଳ, ୫ଗୋଟି କିଆପତ୍ର, ଏକଯୋଡା କୁଣ୍ଡଳ, ଗୋଟିଏ ରୁପା ମୁକୁଟ,ଚାରିଗୋଟି ରୁପା ହାତ, ଚାରିଗୋଟି ରୁପା ଗୋଡ ଓ ଚାରିଗୋଟି ରୁପା ପୟର ଆଦି ଅଳଙ୍କାର ରହିଛି।