ବାହୁଡ଼ିଲେ ଶ୍ରୀବଳଦେବଜିଉ

କେନ୍ଦ୍ରାପଡା :ଗତକାଲିର ପହଣ୍ତି ବିଳମ୍ବ ସତ୍ତ୍ବେ ଆଜି ନିର୍ଦ୍ଧାରିତ ସମୟର ସମାନ୍ୟ ବିଳମ୍ବରେ ଶ୍ରୀ ବଳଦେବଜିଉଙ୍କ ବାହୁଡ଼ା ଯାତ୍ରା ସଂପନ୍ନ ହୋଇଛି। ଡାକୁହା ବାବାଜୀ ବ୍ରହ୍ମଚାରୀ ଓ ଅଙ୍କୁର ବ୍ରହ୍ମଚାରୀଙ୍କ ନିର୍ଦ୍ଦେଶ କ୍ରମେ ହଜାରହଜାର ଶ୍ରଦ୍ଧାଳୁ ଅପରାହ୍ନ ୨ଟା ୪୦ ମିନିଟରେ ରଥଟଣା ଆରମ୍ଭ କରିଥିଲେ। ସନ୍ଧ୍ୟା ୭ଟା ୧୫ ସୁଦ୍ଧା ବ୍ରହ୍ମତାଳଧ୍ବଜ ରଥ ଚକଡ଼ାଠାରୁ ୨ଶହ ମିଟର ଦୂରରେ ଅଟକି ଥିବା ଜଣାପଡ଼ିଛି। ଆସନ୍ତାକାଲି ତିନି ଠାକୁରଙ୍କୁ ଅଧରପଣା ଲାଗି ପରେ କାଠି ମୁକୁଟ ଓ ଧାଡ଼ି ପହଣ୍ତିରେ ନିଆଯାଇ ନୀଳାଦ୍ରି ବିଜେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

ଆଜି ରଥଟଣା ଆରମ୍ଭ ହୋଇ ଅପରାହ୍ନ ସାଢେ଼ ୩ଟା ସୁଦ୍ଧା ଚନ୍ଦନପୋଖରୀ ଟପି କମାରଖଣ୍ତି ନିକଟରେ ପହଞ୍ଚିଥିଲା। ସେଠାରେ ପାରମ୍ପରିକ ରୀତିରେ ଶ୍ରୀଜିଉଙ୍କୁ ଚୂଡ଼ାଘସା ଭୋଗ ଲାଗି କରାଯାଇଥିଲା। ଏହାପରେ ରଥ ବଡ଼ଦାଣ୍ତର ଡାହାଣ ପଟକୁ ମାଡ଼ି ଚାଲିଥିଲା । ଠିକ୍ ଦୋବୋତ୍ତର କାର୍ଯ୍ୟାଳୟ ନିକଟରେ ରଥ ଅଟକିଥିଲା। ସେଠାରେ ଦେବୋତ୍ତର ସଂସ୍ଥା ପକ୍ଷରୁ ପଂକ୍ତି ଭୋଗ ଅର୍ପଣ କରାଯାଇଥିଲା। ମହାପ୍ରଭୁ ଏଠାରୁ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ଆଜି ବାହୁଡ଼ା ଯାତ୍ରା ପାଇଁ ଇଚ୍ଛାପୁର ବଡ଼ଦାଣ୍ତରେ ପୁଲିସ୍‌ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ତେବେ ଗତବର୍ଷ ଭଳି ଏଥର ମଧ୍ୟ ରଥ ଉପରେ ସଂଖ୍ୟାଧିକ ଲୋକଙ୍କ ପ୍ରବେଶକୁ ନେଇ ପୂଜାପଣ୍ଡା ଓ କେତେକ ସେବକ ଆପତ୍ତି ଉଠାଇଥିଲେ। ପହଣ୍ଡି ବିଭ୍ରାଟ ସମ୍ପର୍କରେ ମନ୍ଦିର ଟ୍ରଷ୍ଟି ଧୀରେନ୍ ସାହୁ କହିଛନ୍ତି ଯେ, ଗଲା କାଲି ପ୍ରଥମରୁ ରଥକୁ ଠିକଣା ଢଙ୍ଗରେ ଦକ୍ଷିଣ ମୋଡ଼ କରାଯାଇ ପାରି ନ ଥିଲା। ଏଥିଯୋଗୁ ପହଣ୍ତି ବିଳମ୍ବ ହୋଇଥିଲା।

ସମ୍ବନ୍ଧିତ ଖବର