ବାଲଗୋପାଳଙ୍କ ନିଆରା ଫୁଲ ବଗିଚା : ଶୋଭା ପାଉଛି ୩୦୦ ପ୍ରକାର ଅର୍କିଡ ଫୁଲ

ରାଉରକେଲା : ଉଦିତନଗର ବାଲଗୋପା‌‌ଳ ମହାପାତ୍ରଙ୍କ ନିଆରା ଫୁଲ ବଗିଚା। ପେଶାରେ ସେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ। ନିଶା କିନ୍ତୁ ସୁନ୍ଦର ଫୁଲ ବଗିଚା ସୃଷ୍ଟି କରିବା। ବର୍ଷେ କି ଦୁଇ ବର୍ଷ ନୁହେଁ ଆଜି ପ୍ରାୟ ୨୦ ବର୍ଷ ଧରି ଫୁଲ ଗଛଗୁଡ଼ିକର ଯତ୍ନ ନେଉଛନ୍ତି ସେ। ଏଥିପାଇଁ ତାଙ୍କ ବଗିଚାରେ ଶୋଭା ପାଉଛି ରଙ୍ଗ ବେରଙ୍ଗର ଦେଶୀ ଓ ବିଦେଶୀ ଫୁଲ। ଦଶଟି କି କୋଡିଏଟି ନୁହେଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ୩୦୦ରୁ ୪୦୦ ପ୍ରକାର ମନଲୋଭା ଫୁଲ ସମ୍ଭାର। ସବୁଠୁ ଆକର୍ଷଣ ସାଜିଛି ଥାଇଲାଣ୍ଡର ଅର୍କିଡ। ଥାଇଲାଣ୍ଡର ବହୁଳ ଭାବେ ଚାଷ ହେଉଥିବା ଏହି ଫୁଲ ବାଲଗୋପାଲଙ୍କ ବଗିଚାର ଶୋଭାବର୍ଦ୍ଧନ କରୁଛି। ପ୍ରାୟ ୩୦୦ ପ୍ରକାରରୁ ଅଧିକ ଅର୍କିଡ ଫୁଲ ବର୍ଷ ସାରା ବାଲଗୋପା‌‌ଳଙ୍କ ବଗିଚାରେ ସାଜିଛି ନିଆରା ଆକର୍ଷଣ। ଯିଏ କି ବି ଥରୁଟିଏ ତାଙ୍କ ଫୁଲ ବଗିଚାକୁ ବୁଲି ଯାଉଛି, ଘଡ଼ିଏ ଠିଆ ନ ହୋଇ ରହି ପାରୁନି। ବାଲଗୋପା‌‌ଳଙ୍କ ଫୁଲ ବଗିଚା କେବଳ ଉଦିତନଗର ଅଞ୍ଚଳ ନୁହେଁ ବରଂ ସ୍ମାର୍ଟସିଟିବାସୀଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରତ୍ୟେକ ଦିନ ସହରରେ କେହିନା କେହି ତାଙ୍କ ବଗିଚାରେ ଶୋଭାବର୍ଦ୍ଧନ କରୁଥିବା ଦେଶ ବିଦେଶର ଫୁଲ ଦେଖିବାକୁ ଆସୁଛନ୍ତି।

ଶୋଭାବର୍ଦ୍ଧନ କରୁଥିବା ଫୁଲଗୁଡ଼ିକ ମଧ୍ୟ ରହିଛି ୨୦୦ ପ୍ରକାର ଗୋଲାପ, ଚମ୍ପା, ଜୁଲି, ଜାଇ, ମଲୀ, ଗୋଲାପ, କଇଁ। ରଙ୍ଗ ବେରଙ୍ଗ କଇଁ ଫୁଲ ପାଇଁ ଛୋଟ ଛୋଟ ପାଣି କୁଣ୍ଡ ତିଆରି କରିଛନ୍ତି। ଶୋଭାପାଉଥିବା ବିଦେଶୀ ଫୁଲ ମଧ୍ୟରେ ରହିଛି ଅର୍କିଡ, ଆଞ୍ଜେଲିଆ, କାମେଲିଆ, ବ୍ରୋମିଲାଇଡ୍‌, ଆନ୍ଥୋରିୟମ ଇତ୍ୟାଦି। ଏପରି ଫୁଲ ବଗିଚା ସୃଷ୍ଟି କରିବା ପଛରେ ତାଙ୍କୁ ଅନେକ କଷ୍ଟ କରିବାକୁ ପଡିଛି। ପ୍ରତ୍ୟେକ ଦିନ ବଗିଚାର ରକ୍ଷଣାବେକ୍ଷଣ ପାଇଁ ୩ରୁ ୪ ଘଣ୍ଟା ପରିଶ୍ରମ କରୁଛନ୍ତି। କେବଳ ସେ ନିଜେ ପରିଶ୍ରମ କରନ୍ତି ନାହିଁ, ତାଙ୍କ ଘରେ କାମ କରୁଥିବା କର୍ମଚାରୀଙ୍କୁ ମଧ୍ୟ ବଗିଚା ସୌନ୍ଦର୍ଯ୍ୟ ବଢ଼ାଇବା କାମରେ ନିୟୋଜିତ କରନ୍ତି। ବିଦେଶୀ ଫୁଲଗୁଡ଼ିକ ଓଡ଼ିଶାର ମିଳୁନଥିବାରୁ ସେ ବାଙ୍ଗାଲୋର, କେରଳ, ପୁନେ ଦିଲ୍ଲୀ ଆଦି ସହରରୁ କୋରିୟର ଜରିଆରେ ମଗାଇଥାନ୍ତି। ସକାଳୁ ବଗିଚାରେ ଫୁଲ ଗଛର ଯତ୍ନ ନ ହେବା ପର୍ଯ୍ୟନ୍ତ, ଖାଇବାକୁ ପିଇବା ଭୁଲି ଯାଆନ୍ତି। ଘରେ ସେମିତି ପିଲାଛୁଆକୁ ଯତ୍ନ ନିଅନ୍ତି, ସେମିତି ବଗିଚାର ଫୁଲଗୁଡ଼ିକୁ ଯତ୍ନ ନିଅନ୍ତି ବୋଲି କହନ୍ତି ସେ।

ଭଦ୍ରକ ଜିଲ୍ଲାର ମୂଳବାସିନ୍ଦା ବାଲଗୋପା‌‌ଳ ମହାପାତ୍ର ପେଶାର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ। ବିଜେପିର ଜଣେ ବରିଷ୍ଠ ନେତା। ପୂର୍ବତନ ଜିଲ୍ଲା ବିଜେପିର କୋଷାଧ୍ୟକ୍ଷ ମଧ୍ୟ ଥିଲେ। ରାଉରକେଲା ଉଦିତନଗରରେ ପରିବାର ସହ ରହନ୍ତି। ତାଙ୍କ ପିତାମାତା ପୂଜାର୍ଚ୍ଚନାକୁ ବେଶ୍‌ ଭଲ ପାଉଥିଲେ। ପୂଜାର୍ଚ୍ଚନା ପାଇଁ ବିଭିନ୍ନ ଦେବାଦେବୀଙ୍କ ନିକଟରେ ଦୈନିକ ଫୁଲ ଆବଶ୍ୟକ ହେଉଥିଲା। ଏଥିପାଇଁ ବାଲଗୋପା‌‌ଳଙ୍କ ପିତାମାତା ବାଡ଼ିରେ କିଛି ଫୁଲ ଗଛ ଲଗାଇଥିଲେ। ଫୁଲ ଗଛ ସହ କିଚେନ୍‌ ଗାର୍ଡେନ ମଧ୍ୟ କରିଥିଲେ। ପିତାମାତାଙ୍କର ଫୁଲ ବଗିଚା ଦେଖି ବାଲଗୋପାଲଙ୍କ ମନରେ ଫୁଲ ପ୍ରତି ଆକର୍ଷଣ ବଢ଼ିଥିଲା। ପିତାମାତାଙ୍କ ବଗିଚାକୁ ନୂଆ ରୂପ ଦେବାକୁ ଆରମ୍ଭ କରିଥିଲେ ପ୍ରୟାସ। ପ୍ରଥମେ ଗୋଲାପ, କଇଁ, ମଲ୍ଲ, ଜୁଇ, ଜାଇ, ଚମ୍ପା, ଟଗର ଆଦି ଫୁଲ ଲଗାଇଥିଲେ। ଧୀରେ ଧୀରେ ଫୁଲ ବଗିଚା ପ୍ରତି ତାଙ୍କର ଆକର୍ଷଣ ବଢ଼ିବାକୁ ଲାଗିଥିଲା। ପରେ ଥାଇଲାଣ୍ଡର ବହୁ ପରିମାଣରେ ଚାଷ ହେଉଥିବା ଅର୍କିଡ ଫୁଲର କେତୋଟି ଗଛ ଲଗାଇଥିଲେ।

ଏହି ଫୁଲ ବଗିଚାର ଆକର୍ଷଣ ବୃଦ୍ଧି କରିବାକୁ ଅର୍କିଡ ବିଭିନ୍ନ ପ୍ରଜାତିର ରଙ୍ଗ ଫୁଲ ସହ ଅନ୍ୟାନ୍ୟ ବିଦେଶୀ ଫୁଲ ଗଛ ଲଗାଇବାକୁ ଇଚ୍ଛା ପ୍ରକାଶ କରିଥିଲେ। ମାତ୍ର ସହର ଓ ରାଜ୍ୟର କୌଣସି ସ୍ଥାନରେ ଏହି ପ୍ରକାର ଫୁଲ ଗଛ ମିଳିନଥିଲା। ଗୁଗ୍‌ଲି ସର୍ଚ୍ଚ ଓ ରାଜ୍ୟ ବାହାରେ ରହୁଥିବା ସମ୍ପର୍କୀଙ୍କ ସହ କଥା ହୋଇ ରାଜ୍ୟ ବାହାରକୁ ଏସବୁ ଗଛ କୋରିୟରରେ ମଗାଇଥିଲେ। ଏମିତି ଭାବେ ୧୦ରୁ ୨୦ଟି କରି ପ୍ରାୟ ୩୦୦ ପ୍ରକାର ଗଛ ମଗାଇ ନିଜ ବଗିଚାରେ ଲଗାଇ ସାରିଛନ୍ତି। ଆଗାମି ଦିନରେ ବିଦେଶର ରଙ୍ଗ ବେରଙ୍ଗ ଫୁଲ ଗଛ ତାଙ୍କ ବଗିଚାରେ ଆହୁରି ଶୋଭବର୍ଦ୍ଧନ କରିବେ ବୋଲି କହିଛନ୍ତି ବାଲଗୋପାଳ।

ସମ୍ବନ୍ଧିତ ଖବର