ମାଲକାନଗିରି: ୩ ଦଶନ୍ଧି ଧରି ଓଡ଼ିଶାରେ ସକ୍ରିୟ ଥିଲା ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ତଥା ଓଡ଼ିଶା ରାଜ୍ୟ କମିଟି ସଚିବ ମନୋଜ ଓରଫ୍ ବାଲକ୍ରିଷ୍ଣା। ପୁଲିସ୍‌ ଓ ଯବାନଙ୍କ ଘନଘନ ଏନ୍‌କାଉଣ୍ଟର୍‌ ପରେ ୨୦୨୧ରେ ଛତିଶଗଡ଼ ପଳାଇଥିଲା। ଛତିଶଗଡ଼ ସୀମାନ୍ତରେ ରହି ଓଡ଼ିଶାରେ ମାଓ ନେଟୱର୍କକୁ ପରିଚାଳନା କରୁଥିଲା। ମାଓ ପ୍ରଭାବିତ ରାଜ୍ୟ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିବା ବାଲକ୍ରିଷ୍ଣାକୁ ଶେଷରେ ଏନ୍‌କାଉଣ୍ଟର୍ କରିବାରେ ସଫଳ ହୋଇଛି ଛତିଶଗଡ଼ ପୁଲିସ। 

Advertisment

ଗୁରୁବାର ଛତିଶଗଡ଼ ଗରିଆବନ୍ଧ ମେନପୁର ଥାନା ମାତାଲ ପାହାଡ଼ରେ ହୋଇଥିବା ବଡ଼ଧରଣର ଏନ୍‌କାଉଣ୍ଟର୍‌ରେ ବାଲକ୍ରିଷ୍ଣା, ଓଡ଼ିଶା ରାଜ୍ୟ କମିଟି ସଦସ୍ୟ ପ୍ରମୋଦ ଓରଫ୍ ପାଣ୍ଡୁଙ୍କ ସମେତ ୧୦ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଯାହା ମାଓ ସଂଗଠନ ପାଇଁ ଶକ୍ତ ଧକ୍କା ବୋଲି କୁହାଯାଉଛି। ଗତ ୮ ମାସ ତଳେ ଏହି ପାହାଡ଼ରେ ହିଁ ଏନ୍‌କାଉଣ୍ଟର୍‌ରେ ଟଳି ପଡ଼ିଥିଲେ କେନ୍ଦ୍ରୀୟ କମିଟି ସଦସ୍ୟ ଚଲପତି। ୨ ପ୍ରମୁଖ କେନ୍ଦ୍ରୀୟ କମିଟି ସଦସ୍ୟଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଛି ମାଓବାଦୀଙ୍କ ଗରିଆବନ୍ଧ ସଂଗଠନ। ନିହତ ବାଲକ୍ରିଷ୍ଣାଙ୍କ ମୁଣ୍ଡରେ ଥିଲା ଏକ କୋଟି ପୁରସ୍କାର। ୨୦୦୩ରୁ ୨୦୦୬ ପର୍ଯ୍ୟନ୍ତ ଏଓବି (ଆନ୍ଧ୍ର ଓଡ଼ିଶା ବର୍ଡର୍‌ ଡିଭିଜନ୍‌)ର ସଂପାଦକ ଭାବେ କାର୍ଯ୍ୟ କରିଥିଲା ବାଲକ୍ରିଷ୍ଣା। ସେହି ସମୟରେ ମାଲକାନଗିରି ଜିଲ୍ଲାର କାଲିମେଳା ଓ ପାପଲୁର ଅଞ୍ଚଳରେ ସକ୍ରିୟ ଥିଲା। ପରେ ନୟାଗଡ଼, କନ୍ଧମାଳ, ନୂଆପଡ଼ାରେ ସକ୍ରିୟ ଥିଲା। ଏନ୍‌କାଉଣ୍ଟର୍‌ରେ ନିହତ ହୋଇଥିବା ୧୦ ନକ୍ସଲଙ୍କ ପରିଚୟ ମିଳିଛି।

ଛତିଶଗଡ଼ ସୀମାନ୍ତରେ ରହି ଚଳାଇଥିଲା ନେଟ୍‌ୱର୍କ
ଏଓବି ସମ୍ପାଦକ ସମୟରେ ମାଲକାନଗିରିରେ ଜମାଇଥିଲା ଆଡ଼ା
ତ୍ରିସ୍ତରୀୟ ସୁରକ୍ଷାକୁ ଭେଦି ମାରିବା ପରେ ଚିନ୍ତାରେ ମାଓବାଦୀ ସଂଗଠନ

ନିହତଙ୍କ ମଧ୍ୟରେ ୨୫ ଲକ୍ଷ ଘୋଷିତ ଓଡ଼ିଶା ରାଜ୍ୟ କମିଟି ସଦସ୍ୟ ପ୍ରମୋଦ ଓରଫ ପାଣ୍ଡୁ, ୮ ଲକ୍ଷ ଘୋଷିତ ଡିଭିସିଏମ୍‌ ବିମଳ ଓରଫ ମଙ୍ଗନା, ୫ ଲକ୍ଷ ଘୋଷିତ ନନ୍ଦେ ଓରଫ ମଞ୍ଜୁ, ୫ ଲକ୍ଷ ଘୋଷିତ ଡେପୁଟି କମାଣ୍ଡର ଉମେଶ, ୫ ଲକ୍ଷ ଘୋଷିତ ଏସିଏମ୍‌ ରଜିତା, ୫ ଲକ୍ଷ ଘୋଷିତ ଏସିଏମ୍‌ ଅଞ୍ଜଳି, ୫ ଲକ୍ଷ ଘୋଷିତ ସିନ୍ଧୁ, ୧ ଲକ୍ଷ ଘୋଷିତ ପାର୍ଟି ମେମ୍ବର ସରିତା ଓ ସମୀର ରହିଛନ୍ତି। ଛତିଶଗଡ଼ ସରକାର ଏହି ୧୦  ନକ୍ସଲଙ୍କ ନାମରେ ୧ କୋଟି ୬୦ ଲକ୍ଷ ଟଙ୍କାର ପୁରସ୍କାର, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ସରକାର ୭୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିଲେ। ଘଟଣାସ୍ଥଳରୁ ସୁରକ୍ଷାବାହିୀ ଏକେ-୪୭, ଏସ୍‌ଏଲ୍‌ଆର୍‌, ଇନ୍‌ସାସ୍‌ ପରି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ବର୍ଷକ ମଧ୍ୟରେ ୪୦୦ରୁ ଊର୍ଦ୍ଧ୍ବ ମାଓବାଦୀଙ୍କ ଏନ୍‌କାଉଣ୍ଟର୍‌ରେ ମୃତ୍ୟୁ ହୋଇଥିବା ବେଳେ ୫୦୦ରୁ ଊର୍ଦ୍ଧ୍ବ ଗିରଫ ହୋଇଛନ୍ତି। ୭୦୦ରୁ ଊର୍ଦ୍ଧ୍ବ ଆତ୍ମସମର୍ପଣ କରିଛନ୍ତି। ଯାହା ମାଓ ସଂଗଠନକୁ ଦୋହଲାଇ ଦେଇଛି। ବାଲକ୍ରିଷ୍ଣା ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ରହିଥିବା ବେଳେ ପୁଲିସ୍‌ ଏନ୍‌କାଉଣ୍ଟର୍‌ କରିବାରେ କିପରି ସଫଳ ହେଲା ତାକୁ ନେଇ ନକ୍ସଲ ହଡ଼ବଡ଼େଇ ଯାଇଛନ୍ତି। ନକ୍ସଲଙ୍କ ତ୍ରିସ୍ତରୀୟ ସୁରକ୍ଷାକୁ ଭେଦିବା ସମ୍ଭବ ନଥିଲେ ମଧ୍ୟ ପୁଲିସର ସ୍ବତନ୍ତ୍ର ରଣନୀତି ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଚାରିପଟରୁ ପୁଲିସ ଓ ଯବାନ ଘେରି ଗୋଟିଏ ପରେ ଗୋଟିଏ ସୁରକ୍ଷା କବଚକୁ ଭାଙ୍ଗି ବାଲକ୍ରିଷ୍ଣା ପର୍ଯ୍ୟନ୍ତ ପହଞ୍ଚିଥିଲେ। ଚଲପତିକୁ କରାଯାଇଥିବା ଏନ୍‌କାଉଣ୍ଟର୍ ରଣନୀତି ଭଳି ବାଲକ୍ରିଷ୍ଣାକୁ ମଧ୍ୟ ପୁଲିସ ଅନୁରୂପ ଢଙ୍ଗରେ ମାରିଥିଲା।