ଶିକ୍ଷା ପାଇଁ ନୁହେଁ, ସମାଜକୁ ଆଗେଇ ନେବାକୁ ଇତିହାସ ଜାଣିବାର ଆବଶ୍ୟକତା ରହିଛି : ଆର. ବାଲାକ୍ରିଷ୍ଣନ୍

ଓଡ଼ିଶା ନିର୍ମାଣ କନକ୍ଲେଭ-୨୦୨୧

ଭୁବନେଶ୍ବର: ଇତିହାସଠାରୁ ଆପଣ ଦୂରେଇ ରହିପାରିବେନି । ଇତିହାସ ବାବଦରେ ଜାଣିବା ନିହାତି ଜରୁରୀ । କେବଳ ଶିକ୍ଷା ପାଇଁ ନୁହେଁ ବରଂ ସମାଜକୁ ଆଗେଇ ନେବାକୁ ଇତିହାସ ବାବଦରେ ଜାଣିବାର ଆବଶ୍ୟକତା ରହିଛି । ୨୦୨୧ରେ ଯେଉଁ ବିଷୟବସ୍ତୁକୁ ନିଅନ୍ତୁ ନା କାହିଁକି ପ୍ରତିଟି କ୍ଷେତ୍ରର ଇତିହାସ ରହିଛି। ତେଣୁ ଇତିହାସକୁ ବୁଝିବା ଦ୍ୱାରା ଉନ୍ନତ ଭବିଷ୍ୟତର ବାଟ ଫିଟିଥାଏ । ଆଜି କନକ ନ୍ୟୁଜ ପକ୍ଷରୁ ଆୟୋଜିତ ଓଡ଼ିଶା ନିର୍ମାଣ କନକ୍ଲେଭ-୨୦୨୧ରେ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ମୁଖ୍ୟ ଉପଦେଷ୍ଟା ଆର. ବାଲାକ୍ରିଷ୍ଣନ୍ ଏହି କଥା କହିଛନ୍ତି।

ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକଙ୍କ ସହ  ‘ଅଣ୍ଡରଷ୍ଟାଂଡି ହିଷ୍ଟ୍ରି ଟୁ ଇନୋଭେଟ୍ ଦ୍ ଫ୍ୟୁଚର’ ପ୍ରସଙ୍ଗରେ ଆଲୋଚନା କରି ଓଡିଶାର କଳା ସଂସ୍କୃତି ଓ ପ୍ରାକୃତିକ ବିପର୍ଯ୍ୟୟ ସଂପର୍କରେ ମତ ରଖିଛନ୍ତି ସେ। ଓଡ଼ିଶାରେ ନିଜର ୩୭ ବର୍ଷର ଚାକିରି ଜୀବନରେ ସେ ଅର୍ଜିଥିବା ଅଭିଜ୍ଞତା ଓ ଅନୁଭବକୁ ଉପସ୍ଥାପିତ କରିଥିଲେ ଆର୍. ବାଲାକ୍ରିଷ୍ଣନ୍।

ବିଭିନ୍ନ ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ଓଡ଼ିଶା ମୋ ପାଇଁ ନୂଆ ନୁହେଁ । ପାଖାପାଖି ୩୭ ବର୍ଷ ହେବ ଓଡ଼ିଶାରେ ରହିଲିଣି । ତେଣୁ ଓଡ଼ିଶାର ଇତିହାସ ବାବଦରେ ଅନେକ କିଛି ଜାଣିଛି ।  ଇତିହାସକୁ ମନେ ପକାଇବା ସହ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଏକ ମନ୍ତବ୍ୟ ସଂପର୍କରେ ଉଲ୍ଲେଖ କରିଥିଲେ ଆର. ବାଲାକ୍ରିଷ୍ଣନ। ଯେତେବେଳେ ଶ୍ରୀଲଙ୍କାରେ ଖାଦ୍ୟ ସଙ୍କଟ ଦେଖାଦେଇଥିଲା ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନିର୍ଦ୍ଦେଶକ୍ରମେ ଖାଦ୍ୟ ପୁଡିଆ ପକାଯାଇଥିଲା । କିନ୍ତୁ ସେତେବେଳେ ଶ୍ରୀଲଙ୍କା ରାଷ୍ଟ୍ରପତି ଓଡ଼ିଶାର କଳାହାଣ୍ଡିର ଉଦାହରଣ ଦେଇଥିଲେ ।  କଳାହାଣ୍ଡିରେ ଖାଦ୍ୟ ପୁଡିଆ ପକାନ୍ତୁ ବୋଲି ରାଜୀବଙ୍କୁ ପରାମର୍ଶ ଦେଇଥିଲେ । ସେତେବେଳେ ତାଙ୍କୁ ଏହା ବହୁତ ବାଧିଥିଲା ବୋଲି କହିଥିଲେ ଶ୍ରୀଯୁକ୍ତ ବାଲାକ୍ରିଷ୍ଣନ୍ । କିନ୍ତୁ ଏବେ ଓଡ଼ିଶା ଆଉ ପୂର୍ବଭଳି ଖାଦ୍ୟ ସଙ୍କଟର ସାମ୍ନା କରୁ ନାହିଁ । ଧାନ ଉତ୍ପାଦନରେ ଓଡ଼ିଶା ଏବେ ଦେଶରେ ୩ ନମ୍ବର ସ୍ଥାନରେ ରହିଛି । ଏବେ ଖାଦ୍ୟବଳକା ରାଜ୍ୟ ଭାବେ ଓଡ଼ିଶା ପରିଗଣିତ ହେଉଛି।

ଏହାଛଡା ବାଲାକ୍ରିଷ୍ଣନ କହିଛନ୍ତି, ମାତୃଭାଷା ପାଇଁ ସ୍ୱର ଉଠାଇବା ଅର୍ଥ ମା’ ପାଇଁ ସ୍ୱର ଉଠାଇବା । ମୁଁ ମଧ୍ୟ ତାମିଲରେ ପରୀକ୍ଷା ଦେଇ ପ୍ରଥମ ପ୍ରୟାସରେ ସର୍ବଭାରତୀୟ ପ୍ରଶାସନିକ ସେବାରେ ପାସ୍ କରିଥିଲି । ଆଉ ମୋ ସଫଳତାକୁ ନେଇ ତାମିଲନାଡୁ ବିଧାନସଭାରେ ଆଲୋଚନା ହୋଇଥିଲା । ମୁଁ ମୋ ମାତୃଭାଷାକୁ ନେଇ ବହୁତ ଗର୍ବିତ । କାରଣ ଆଜି ମୁଁ ଯେଉଁ ସ୍ଥାନରେ ପହଞ୍ଚିଛି ତାହା କେବଳ ମୋ ମାତୃଭାଷା ପାଇଁ ସମ୍ଭବ ହୋଇଛି । ଏହାଛଡା ମୁଁ ପ୍ରତିଟି ମାତୃଭାଷାକୁ ସମ୍ମାନ ଦିଏ ବୋଲି ସେ ମତ ରଖିଥିଲେ । ଚୀନ, ଜାପାନ, ଜର୍ମାନୀରେ ମାତୃଭାଷାକୁ ଗୁରୁତ୍ୱ ଦିଅନ୍ତି । ସେଠାରେ ଇଂରାଜୀ ଭାଷାରେ ଏତେ କଥାବାର୍ତ୍ତା ହୁଅନ୍ତି ନାହିଁ । ସେମାନେ ମାତୃଭାଷାରେ କଥା ହେବାକୁ ପ୍ରାଥମିକତା ଦିଅନ୍ତି । ଏପରିକି ଅତ୍ୟାଧୁନିକ ଜ୍ଞାନକୌଶଳରେ ମାତୃଭାଷାକୁ ସ୍ଥାନ ଦେଇଥାନ୍ତି ।
କରୋନା କାଳରେ ରାଜ୍ୟବାସୀ ସମସ୍ତେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ସେତେବେଳେ କରୋନାର କୌଣସି ଟିକା ଆସି ନଥିଲା । ତେଣୁ ଲୋକଙ୍କ ମନୋବଳ ବଢାଇବା ସକାଶେ ସାମୁହିକ ଭାବ‌େ  ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଏହାଛଡା ମାତୃଭାଷାକୁ ସରକାର କିଭଳି ଗୁରୁତ୍ୱ ଦେଉଛନ୍ତି ତାହାର ଏକ ଛୋଟ ଉଦାହରଣ ଦେଇ ବାଲାକ୍ରିଷ୍ଣନ କହିଛନ୍ତି, ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା କ୍ଷେତ୍ରରେ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସରକାର ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । କାରଣ ସରକାରୀ ସ୍କୁଲରେ ଅଧିକାଂଶ ଓଡ଼ିଆ ଛାତ୍ରଛାତ୍ରୀ ହିଁ ପଢୁଛନ୍ତି ।
ଏହାଛଡା ଓଡ଼ିଶା ନିର୍ମାଣ କନକ୍ଲେଭ-୨୦୨୧ରେ ମହାବାତ୍ୟାର କାହାଣୀ ମନେ ପକାଇଛନ୍ତି ଆର. ବାଲାକ୍ରିଷ୍ଣନ । ମହାବାତ୍ୟା ସମୟରେ ଦେଶର ବିଭିନ୍ନ ପ୍ରାନ୍ତରୁ ପୁରୁଣା ପୋଷାକ, ଚପଲ ଓଡ଼ିଶା ଆସିଥିଲା । ସେତେବେଳେ ଓଡ଼ିଶାକୁ ଲୋକେ ଏମିତି ଚିହ୍ନୁଥିଲେ ।  କିନ୍ତୁ ଏବେ ସ୍ଥିତି ବଦଳିଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ହେବା ମାତ୍ରେ ଓଡ଼ିଶା ମଡେଲ ଖୋଜା ପଡୁଛି । ପୂର୍ବରୁ ଓଡ଼ିଶା ଅନ୍ୟ ରାଜ୍ୟର ସହାୟତାକୁ ଅପେକ୍ଷା କରୁଥିଲା, ଏବେ ଓଡ଼ିଶା ଦେଶର ବିଭିନ୍ନ ରାଜ୍ୟକୁ ସହଯୋଗର ହାତ ବଢାଉଛି ।  ଇତିହାସରୁ ଶିକ୍ଷା ଲାଭ କରି କିଛି ଏମିତି ଢଙ୍ଗରେ ଓଡ଼ିଶା ଆଗକୁ ବଢୁଥିବା କହିଛନ୍ତି ବାଲାକ୍ରିଷ୍ଣନ ।
ସମ୍ବନ୍ଧିତ ଖବର