ଭୁବନେଶ୍ବର: ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବଳଙ୍ଗା ପୀଡ଼ିତା ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କେହି ଦୁର୍ବୃତ୍ତ ନୁହେଁ ବରଂ ପୀଡ଼ିତା ନିଜ ଦେହରେ କିରୋସିନ ଢାଳି ନିଆଁ ଲଗେଇ ଦେଇଥିଲେ। ନୂଆଦିଲ୍ଲୀର ସାକେତ କୋର୍ଟରେ ପୀଡ଼ିତାଙ୍କ ଜମାନବନ୍ଦୀ ଓ ଦିଲ୍ଲୀ ଏମ୍‌ସରେ ଚିକିତ୍ସା କରୁଥିବା ଡାକ୍ତର ପୀଡ଼ିତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀରେ ପୀଡ଼ିତା ଏହି ବୟାନ ଦେଇଥିବା ବିଧାନସଭାରେ ଲିଖିତଭାବେ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ଏହି ମାମଲାକୁ ଚୂଡ଼ାନ୍ତ ରିପୋର୍ଟ ମିଷ୍ଟେକ୍ ଅଫ୍‌ ଫ୍ୟାକ୍ଟ ବା ତଥ୍ୟରେ ଭୁଲ୍‌ ଭାବେ କୋର୍ଟରେ ଦାଖଲ କରାଯାଇଛି। 

Advertisment

ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ଯେ ଗତ ଜୁଲାଇ ମାସ ୧୯ତାରିଖରେ ପୁରୀଜିଲ୍ଲା ନୂଆ ଗୋପାଳପୁର, ବଳଙ୍ଗାର ହିମତ ଅଲ୍ଲୀଙ୍କ ପତ୍ନୀ(ପୀଡ଼ିତାଙ୍କ ମା’) ତାଙ୍କ ଝିଅକୁ କିଛି ଅଜଣା ବ୍ୟକ୍ତି ବଳପୂର୍ବକ ନଦୀ କୂଳକୁ ନେଇ କିରୋସିନ ଓ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ କରିଥିଲେ। ଏହି ଆଧାରରେ ବଳଙ୍ଗା ଥାନା କେସ୍‌ ନମ୍ବର ୧୬୨/୨୦୨୫ରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା। ସ୍ଥାନୀୟ ଗ୍ରାମବାସୀ ପୀଡ଼ିତାକୁ ପୋଡ଼ି ଯାଇଥିବା ଅବସ୍ଥାରେ ପିପିଲି ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ସେହିଦିନ ପୀଡ଼ିତାଙ୍କୁ ଭୁବନେଶ୍ବର ଏମ୍‌ସକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା। ପରବର୍ତ୍ତୀ ସମୟରେ ଜୁଲାଇ ୨୦ରେ ପୀଡ଼ିତାଙ୍କ ଉନ୍ନତ ଚିକିତ୍ସା ପାଇଁ ବିମାନ ଯୋଗେ ଦିଲ୍ଲୀର ଏମ୍‌ସକୁ ପଠାଯାଇଥିଲା। ସେଠାରେ ପ୍ରାୟ ୧୪ଦିନ ଚିକିତ୍ସା ଚାଲିଥିବା ବେଳେ ଅଗଷ୍ଟ ୨ରେ ପୀଡ଼ିତା ପ୍ରାଣ ହରାଇଥିଲେ। 

ବଳଙ୍ଗା ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଲେ ମୁଖ୍ୟମନ୍ତ୍ରୀ
ପୀଡ଼ିତା ଆତ୍ମହତ୍ୟା କରିଥିବା କଥା ସିଧାସଳଖ କହି ନ ଥିଲା ପୁଲିସ

ବଳଙ୍ଗା ପୀଡ଼ିତାଙ୍କୁ ନେଇ ଓଡ଼ିଶା ରାଜନୀତି ସରଗରମ ହୋଇଥିଲା। ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ସରକାର ବେଶ୍‌ ସମାଲୋଚନାର ଶିକାର ହୋଇଥିଲେ। ପୁଲିସ ଏହାର ତଦନ୍ତ କରି କିଛି କୂଳକିନାରା ପାଇ ନଥିଲା। ତେବେ ପୀଡ଼ିତା ଆଖି ବୁଜିବା ଆଗରୁ ପୁଲିସ ଆଗରେ କ’ଣ ସ୍ବୀକାର କରିଥିଲେ, ତାହା ବି ଲୋକଲୋଚନକୁ ଆସି ନଥିଲା। ଘଟଣାଟି ଏକପ୍ରକାର ରହସ୍ୟାବୃତ୍ତ ହୋଇ ରହିଯାଇଥିଲା। ପୀଡ଼ିତାଙ୍କ ମୃତ୍ୟୁ ପରେ ଓଡ଼ିଶା ପୁଲିସ‌ ମାପିଚୁପି ବୟାନ ଦେଇଥିଲା। ପୁଲିସ ପକ୍ଷରୁ ସିଧାସଳଖ ପୀଡ଼ିତା ଜଣକ ନିଜେ ଆତ୍ମହତ୍ୟା କରିଥିବା କୁହାଯାଇ ନ ଥିଲା। ସାମାଜିକ ଗଣମାଧ୍ୟମରେ ହୋଇଥିବା ପୋଷ୍ଟରେ ପୁଲିସ ପକ୍ଷରୁ କୁହାଯାଇଥିଲା ଯେ ‘ଏହି ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ପରେ ଅନ୍ୟ କାହାର ସଂପୃକ୍ତି ନ ଥିବା ଜଣାପଡ଼ିଛି। ତେଣୁ ଏହି ସମ୍ବେଦନଶୀଳ ଘଟଣା ଉପରେ ମନଇଚ୍ଛା ମନ୍ତବ୍ୟ ଦେବାରୁ ଲୋକମାନେ ଦୂରେଇ ରୁହନ୍ତୁ।’ ଘଟଣାର ପ୍ରାୟ ଦେଢ଼ ମାସ ପରେ ଏହା ଆତ୍ମହତ୍ୟା ଥିଲା ବୋଲି ପ୍ରଥମ ଥର ପାଇଁ ଆଜି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।