ମହିଳାଙ୍କୁ ଦୁଷ୍କର୍ମ ମାମଲା : ବଳଙ୍ଗା ଥାନା ଏଏସ୍‌ଆଇଙ୍କୁ ଜାମିନ

କଟକ : ‌ଜଣେ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଜେଲରେ ଥିବା ବଳଙ୍ଗା ଥାନାର ଏଏସ୍‌ଆଇ ଚିତ୍ତରଂଜନ ଦାଶଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜାମିନ ଆବେଦନର ଶୁଣାଣି କରି ଆବେଦନକାରୀଙ୍କୁ ଆବଶ୍ୟକ ସର୍ତ୍ତ ରଖି ଜାମିନରେ ଛାଡ଼ିବା ପାଇଁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ନିହାର ରଂଜନ ଓଝା ମାମଲା ପରିଚାଳନା କରୁଥିଲେ।

ପୁରୀ ଜିଲ୍ଲା ବଳଙ୍ଗା ଥାନାରେ କାର୍ଯ୍ୟରତ ଥିବା ଆବେଦନକାରୀଙ୍କ ବିରୋଧରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ କରିଥିଲେ। ତାଙ୍କୁ ମାମଲାରେ ସାହାଯ୍ୟ କରିବାକୁ କହି ପୁଲିସ କର୍ମଚାରୀ ଦୁଷ୍କର୍ମ କରିଥିଲେ ବୋଲି ମହିଳା ଅଭିଯୋଗ କରିବା ପରେ ଏଏସ୍‌ଆଇ ଚିତ୍ତରଂଜନ ଦାଶଙ୍କୁ ୨୦୨୦ ଜାନୁଆରି ୪ରେ ବଳଙ୍ଗା ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାନୁଆରି ୧୭ରେ ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର