ବଲାଙ୍ଗୀର : ସମାଜ ପାଇଁ ସାମ୍ବାଦିକମାନଙ୍କ ଯେତିକି ଦାୟିତ୍ୱ ରହିଛି ରାଜନେତାମାନଙ୍କ ବି ଦାୟିତ୍ୱ ରହିଛି। ସମାଜ ପାଇଁ ସମର୍ପିତ ହୋଇ କାମ କଲେ ଅଂଚଳର ବିକାଶ ସହ ଲୋକଙ୍କ ସମସ୍ୟାର ସମାଧାନ ନିଶ୍ଚିତ ହୋଇପାରିବ। ସାମ୍ବାଦିକର କର୍ତ୍ତବ୍ୟ ପରାୟଣତା ସମାଜ ପାଇଁ ଦିଗଦର୍ଶନ ଦିଏ ବୋଲି ସ୍ଥାନୀୟ ସାମ୍ବାଦିକ ଭବନରେ ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘର ୫୮ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି ସାହୁ ମତବ୍ୟକ୍ତ କରିଛନ୍ତି।
ସାମ୍ବାଦିକ ସଂଘର ସଭାପତି ହରିନାରାୟଣ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ବରିଷ୍ଠ ସାମ୍ବାଦିକ ମନୋରଂଜନ ଯୋଷୀ ସଭା ସଂଚାଳନ କରିଥିବା ବେଳେ ଉଦ୍ଘାଟକ ଭାବେ ମନ୍ତ୍ରୀ ଶ୍ରୀମତୀ ସାହୁ ଓ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ, ଶ୍ରମ ଏବଂ ଇଏସ୍ଆଇ ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦାନ କରିଥିଲେ। ସଂଘର ସାଧାରଣ ସଂପାଦକ ବଳରାମ ମିଶ୍ର ସଂପାଦକୀୟ ବିବରଣୀ ପାଠ କରିଥିଲେ। ସଂଘର ପ୍ରତିଷ୍ଠାତା ସଦସ୍ୟ ସତ୍ୟନାରାୟଣ ବେହେରା ତଥା ବରିଷ୍ଠ ସଦସ୍ୟ ସୁବାସ ଚନ୍ଦ୍ର ପଣ୍ଡା, ଗୋପବନ୍ଧୁ ଶତପଥୀ, ନବୀନ କୁମାର ପଶାୟତ, ଦୟାନିଧି ସାହୁ, ସତ୍ୟସୁନ୍ଦର ଭଂଜ ମଞ୍ଚାସୀନ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଉଦ୍ଘାଟକ ମନ୍ତ୍ରୀ ଶ୍ରୀମତୀ ସାହୁ ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘର ବିଭିନ୍ନ ପ୍ରକାର ବୌଦ୍ଧିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହି ସଂଘର ସଦସ୍ୟମାନେ ସମାଜକୁ ସମସ୍ତ ଦିଗରୁ ବଳିଷ୍ଠ କରି ଗଢ଼ି ତୋଳିବା କ୍ଷେତ୍ରରେ ବିଶେଷ ସହଯୋଗ ପ୍ରଦାନ କରି ଆସୁଥିବା ପ୍ରକାଶ କରିଥିଲେ। ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସିଂ ସାମ୍ବାଦିକମାନଙ୍କ ଜୀବନବ୍ୟାପୀ ସଂଘର୍ଷ ଉପରେ ଗଭୀର ଆଲୋକପାତ କରିଥିବା ବେଳେ ନିର୍ଭୀକ ଓ ନିରପେକ୍ଷ ସାମ୍ବାଦିକତା କରିବା ପାଇଁ ସାମ୍ବାଦିକମାନେ ଆଗଭର ହେବା ଏକାନ୍ତ ଆବଶ୍ୟକ ବୋଲି ମତ ରଖିଥିଲେ।
ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ରଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ, କନକ ନ୍ୟୁଜ ଆଙ୍କର ଅଭିନ୍ନ ଆଶୁତୋଷ ଶତପଥୀଙ୍କୁ ନାରାୟଣ ପୃଷେଠ୍ ସ୍ମୃତି ସମ୍ମାନ, ବରିଷ୍ଠ ସାମ୍ବାଦିକ ଦିଲୀପ କୁମାର ପୁରୋହିତଙ୍କୁ ସପନ ବହିଦାର ସ୍ମୃତି ସମ୍ମାନ ଓ ଫଟୋ ସାମ୍ବାଦିକ କରୁଣାକର ପଧାନଙ୍କୁ ବାଳକୃଷ୍ଣ ହୋତା ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଉପ-ସଭାପତି ଆନନ୍ଦ ଚନ୍ଦ୍ର ସାହୁ, ସମ୍ବାଦ ଜିଲ୍ଲା ପ୍ରତିନିଧି ବିଶ୍ୱଜିତ ଦାଶ, ସଦସ୍ୟ ସନ୍ଦୀପ କୁମାର କୁଅଁର ଏବଂ କାର୍ଯ୍ୟକାରୀ କମିଟି ସଭ୍ୟ ପୂର୍ଣ୍ଣଚନ୍ଦ୍ର ପଣ୍ଡା ମାନପତ୍ର ପଠନ କରିଥିଲେ। ବାଲୁକା ଶିଳ୍ପୀ ଓମ୍ପ୍ରକାଶ ସାହୁ ଅତିଥିମାନଙ୍କୁ ନିଜ କୃତିର ଫଟୋଚିତ୍ର ଉପହାର ସ୍ୱରୂପ ପ୍ରଦାନ କରିଥିଲେ। ଉପ-ସଭାପତି ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।