ବଲାଙ୍ଗୀର ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ଭିତ୍ତିପ୍ରସ୍ତର ଆଜି

ବଲାଙ୍ଗୀର : ବଲାଙ୍ଗୀର ସହର ଉପକଣ୍ଠ ବରକାନି ଗାଁରେ ଭାରତ ପେଟ୍ରୋଲିୟମ୍‌ କର୍ପୋରେସନ୍‌ ଲିମିଟେଡ (ବିପିସିଏଲ୍‌) ଏକ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ନିର୍ମାଣ କରିବାକୁ ଯାଉଛି। ୨୧ ତାରିଖରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଥାୱରଚନ୍ଦ ଗେହଲଟ, ବିପିସିଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ରାଜକୁମାର ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବାର ଅଛି।

ସ୍ଥାନୀୟ ସାମ୍ବାଦିକ ଭବନରେ ବିପିସିଏଲ୍‌ର ଏସ୍‌.ଏସ୍‌.ସୁନ୍ଦରରାଜନ, ବିପିସିଏଲ୍‌ର ରାଜ୍ୟ ମୁଖ୍ୟ ସଂଜୟ ଏସ୍‌, ଆଞ୍ଚଳିକ ପରିଚାଳକ ଅତୁଲ କୁମାର, ଭିତ୍ତିଭୂମି ବିକାଶ ମୁଖ୍ୟ ମାନସ ମହାନ୍ତି, ଡିଜିଏମ୍‌ ଇଂଜିନିୟରିଂ ଏଚ୍‌.କେ.ଜେନା ପ୍ରମୁଖ ଏହି ବଟଲିଂ ପ୍ଲାଣ୍ଟ ସଂପର୍କରେ ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ ସୂଚନା ଦେଇଛନ୍ତି। ୧୦୩ କୋଟି ଟଙ୍କାରେ ବ୍ୟୟରେ ହେଉଥିବା ଏହି ବଟଲିଂ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ୨୦୨୦ ମସିହା ସୁଦ୍ଧା ଶେଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି। ବଲାଙ୍ଗୀର ଷ୍ଟେସନରୁ ୧୨ କିଲୋମିଟର ଦୂରରେ ୨୩ ଏକର ଅଞ୍ଚଳରେ ଏହି ପ୍ଲାଣ୍ଟ ନିର୍ମାଣ ହେବ। ବାର୍ଷିକ ୪୨ଲକ୍ଷ ସିଲିଣ୍ଡର ଏଠାରେ ଉତ୍ପାଦନ କରାଯିବ। ବଲାଙ୍ଗୀର ଜିଲ୍ଲା ସହ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ, କଳାହାଣ୍ଡି, ସୋନପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବୌଦ୍ଧ, କନ୍ଧମାଳ, ରାୟଗଡା, ସୁନ୍ଦରଗଡ, ନୂଆପଡ଼ା ଜିଲ୍ଲାର ଉପଭୋକ୍ତାଙ୍କୁ ଏଲ୍‌ପିଜି ସିଲିଣ୍ଡର ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ପୂର୍ବରୁ ରାଜ୍ୟର ଖୋର୍ଦ୍ଧାରେ ବିପିସିଏଲ୍‌ର ଗୋଟିଏ ବଟଲିଂ ପ୍ଲାଣ୍ଟ ଥିବା ବେଳେ ବାଲେଶ୍ୱର, ଝାରସୁଗୁଡ଼ା, ଖୋର୍ଦ୍ଧା ଓ ଜଟଣୀରେ ଅନ୍ୟ ତେଲ କଂପାନିର ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ରହିଛି।

ସେହିପରି ଆସନ୍ତାକାଲି ବଲାଙ୍ଗୀର କେନ୍ଦ୍ରୀୟ ବିଦ୍ୟାଳୟରେ ସ୍ୱାମୀ ବିବେକାନନ୍ଦ ନିରତାର ସେଟେଲାଇଟ୍‌ ସେଣ୍ଟରର ଭିତ୍ତପ୍ରସ୍ତର ସ୍ଥାପନ ବି ହେବ। ଦିନ ୧୨ଟାରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଥାୱରଚନ୍ଦ ଗେହଲଟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି ଦୁଇ ମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ସମ୍ବନ୍ଧିତ ଖବର