ବଲାଙ୍ଗୀର ଛାତ୍ର କଂଗ୍ରେସ ସଭାପତିଙ୍କ ସନ୍ଦେହଜନକ ମୃତ୍ୟୁ, ଫାର୍ମ ହାଉସ୍‌ରୁ ମିଳିଲା ସୁଶାନ୍ତଙ୍କ ଝୁଲନ୍ତା ଶବ

ବଲାଙ୍ଗୀର : ବଲାଙ୍ଗୀର ଛାତ୍ର କଂଗ୍ରେସର ସଭାପତି ସୁଶାନ୍ତ ମିଶ୍ରଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। ସମ୍ବଲପୁର ରୋଡ୍‌ର ମାଧିଆପାଲିରୁ ସଦେଇପାଲି ଆଡ଼କୁ ଯାଇଥିବା ବାଇପାସ ରାସ୍ତାର ବୀରାମୁଣ୍ଡା ଗାଁ ନିକଟରେ ଥିବା ଫାର୍ମ ହାଉସ୍‌ରୁ ସୁଶାନ୍ତଙ୍କର ମୃତଦେହ ମିଳିଛି। କିନ୍ତୁ ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ ଏହା ଆତ୍ମହତ୍ୟା ନୁହେଁ, ହତ୍ୟା ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି।

ରାଜେନ୍ଦ୍ର କଲେଜରେ ଛାତ୍ର ଥିବା ବେଳେ ଛାତ୍ର କଂଗ୍ରେସ ରାଜନୀତିରେ ସାମିଲ ହୋଇଥିଲେ ସୁଶାନ୍ତ। ୨୫ ବର୍ଷୀୟ ସୁଶାନ୍ତଙ୍କ ଛାତ୍ର ରାଜନୀତିରେ ଥିବା ଦକ୍ଷତାକୁ ଦେଖି ଜିଲ୍ଲା ଛାତ୍ର କଂଗ୍ରେସର ସଭାପତି ଭାବେ ଦାୟିତ୍ୱ ଦିଆଯାଇଥିଲା। ବିଭିନ୍ନ ଛାତ୍ର ଆନ୍ଦୋଳନ ସହ ଛାତ୍ର କଂଗ୍ରେସ ସହ କଂଗ୍ରେସର ବିଭିନ୍ନ ସଂଗଠନ କାର୍ଯ୍ୟକ୍ରମରେ ସେ ସାମିଲ ହେଉଥିଲେ ତାଙ୍କ ସଂଗଠନକୁ ନେଇ। ଇତିମଧ୍ୟରେ ସେ କିଛି କିଛି ଠିକା କାମ ବି କରୁଥିଲେ। ସବୁଦିନ ଭଳି ସେ ନିଜ ଓଡି ୦୩ଏଫ୍‌ ୮୬୪୨ ନମ୍ବର ହିରୋହୋଣ୍ଡା ଡୁଏଟ ଗାଡିରେ ବୁଧବାର ରାମେଶ୍ୱର ନଗର ଘରୁ ବାହାରିଥିଲେ କାମରେ। ଦିନ ୩ଟାରୁ ବାହାରକୁ ଯାଇଥିଲେ ବି ରାତି ଯାଏ ଘରକୁ ଫେରି ନଥିଲେ। ଘର ଲୋକେ ବାରମ୍ବାର ତାଙ୍କ ମୋବାଇଲ୍‌କୁ କଲ୍‌ କରିଥିଲେ। କିନ୍ତୁ ସେ ତାହା ରିସିଭ୍‌ କରି ନଥିଲେ। ରାତି ୧୧ଟା ପରେ ମୋବାଇଲ୍‌ ସୁଇଚ୍‌ ଅଫ୍‌ ହୋଇଯାଇଥିଲା। ତେଣୁ ଘର ଲୋକଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା। ଗୁରୁବାର ସକାଳେ ବୀରାମୁଣ୍ଡାରେ ଥିବା ମଧୁ ବନଛୋରଙ୍କ ଫାର୍ମ ହାଉସ୍‌ର ଦେଖାରେଖା କରୁଥିବା ଜଗୁଆଳି ସକାଳେ ଫାର୍ମ ହାଉସ୍‌ରେ ଥିବା ଗଛଗୁଡ଼ିକୁ ପାଣି ଦେବାକୁ ଆସିଥିଲେ। ଗେଟ୍‌ରେ ତାଲା ପଡିଥିବା ବେଳେ ଫାର୍ମ ହାଉସ୍‌ ଭିତରେ ଥିବା ଘରର କବାଟ ଖୋଲା ଥିଲା। ଜଗୁଆଳିଙ୍କର ସନ୍ଦେହ ହେବାରୁ ସେ ଘର ଭିତରକୁ ଯାଇ ଦେଖିବା ବେଳେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଦେଖିଥିଲେ। ସ୍ଥାନୀୟ ଲୋକଙ୍କୁ ସୂଚନା ଦେବା ପରେ ପୁଲିସକୁ ଖବର ଦିଆଯାଇଥିଲା। ସ୍ଥାନୀୟ ଲୋକେ ମୃତଦେହଟି ଛାତ୍ର କଂଗ୍ରେସ ସଭାପତି ସୁଶାନ୍ତ ମିଶ୍ରଙ୍କର ବୋଲି ଚିହ୍ନଟ କରିଥିଲେ। ସଦର ପୁଲିସ ପ୍ରାଥମିକ ଭାବେ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି। ବିଭୂତିପଡ଼ାଠାରେ ତାଙ୍କର ଶେଷକୃତ୍ୟ କରାଯାଇଛି।

ସମ୍ବନ୍ଧିତ ଖବର