ଗୁଣିଗାରେଡ଼ି ସନ୍ଦେହରେ ନିମୁର୍ଲା ଗାଁର ଗୋଟିଏ ପରିବାର ବାସନ୍ଦ ଘଟଣା: ୮୪ ଦିନ ପରେ ଥଇଥାନ କଲା ପୁଲିସ

ସିନ୍ଧେକେଲା : ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ନିମୁର୍ଲା ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହକୁ କରି ଗତ ଜୁଲାଇ ୧ ତାରିଖ ବ୍ରଜ ଭୋଇଙ୍କ ପରିବାରକୁ ଗାଁରୁ ବାସନ୍ଦ କରାଯାଇଥିଲା। ଘଟଣାର ୮୪ ଦିନ ପରେ ସିନ୍ଧେକେଲା ପୁଲିସ ଉକ୍ତ ପରିବାରକୁ ନିଜ ଗାଁ ନିମୁର୍ଲା‌ରେ ନେଇ ତାଙ୍କ ନିଜ ଘରେ ଥଇଥାନ କରିଛି।

ସୂଚନାଯୋଗ୍ୟ ଯେ, ଘଟଣା ପରଠାରୁ ପୁଲିସ ସମାଧାନ ଉଦ୍ୟମ କରିଥିଲା। ଏଏସ୍‌ପିଙ୍କ ନେତୃତ୍ବରେ ଟିଟିଲାଗଡ଼ ଏସ୍‌ଡିପିଓ ସୁରେନ୍ଦ୍ରନାଥ ଶତପଥୀ, ଅତିରିକ୍ତ ତହସିଲଦାର କର୍ଣ୍ଣ ମଲ୍ଲିକ, ସିନ୍ଧେକେଲା ଆଇଆଇସି ପଞ୍ଚାନନ ନାଏକ ପ୍ରମୁଖ ଗତ ଜୁଲାଇ ୧୫ ତାରିଖ ଉକ୍ତ ଗାଁକୁ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ଗ୍ରାମବାସୀ ବାସନ୍ଦ ପରିବାରକୁ ଗାଁରେ ପୂରାଇ ଦେବେ ନାହିଁ ବୋଲି ଜିଦ୍‌ରେ ଅଟଳ ରହିଥିଲେ। ଏପଟେ ପୀଡ଼ିତ ପରିବାରର ୧୩ ଜଣ ସଦସ୍ୟ ଅନ୍ୟ ଉପାୟ ନପାଇ ବଙ୍ଗୋମୁଣ୍ଡା ବ୍ଲକ୍‌ ମୁଣ୍ଡପଦର ଗାଁର ଏକ କ୍ଲବ୍‌ ଘରେ ଆଶ୍ରୟ ନେଇଥିଲେ। ପରେ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ସଂଘ, ଟିଟିଲାଗଡ଼ ବ୍ଲକ୍‌ ସରପଞ୍ଚ ସଂଘ କର୍ମକର୍ତ୍ତା ପ୍ରମୁଖ ନିମୁର୍ଲା ଗ୍ରାମରେ ପହଞ୍ଚି ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରିଥିଲେ। ସେତେବେଳେ ମଧ୍ୟ ଆଲୋଚନା ବିଫଳ ହୋଇଥିଲା।

ସିନ୍ଧେକେଲା ଥାନା ଅଭ୍ୟର୍ଥନା କକ୍ଷରେ ନିମୁର୍ଲା ଗ୍ରାମର ପ୍ରତିନିଧି ଦଳ ଓ ବାସନ୍ଦ ପରିବାର ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଆଲୋଚନା ହେବାର ଥିଲା। କିନ୍ତୁ ବାସନ୍ଦ ପରିବାରକୁ ପୁଲିସ ଠାବ କରି ପାରିନଥିଲା। ସେହିପରି ଗତ ଅଗଷ୍ଟ ୧୬ ତାରିଖ କନ୍ଧସମାଜ ଯୁବ ସଂଗଠନ ପକ୍ଷରୁ ଥାନା ଘେରାଉ କରାଯାଇଥିଲା। ବାସନ୍ଦ ପରିବାରକୁ  ଥଇଥାନ ସହ ଦୋଷୀଙ୍କୁ ଗିରଫ କରିବା ପାଇଁ ପ୍ରତିଶ୍ରୁତି ଦିଆଯିବା ପରେ ଘେରାଉ ପ୍ରତ୍ୟାହାର ହୋଇଥିଲା। ଏବେ ଘଟଣାର ୮୪ ଦିନ ପରେ ପୁଲିସ ଉକ୍ତ ପରିବାରକୁ ଗାଁରେ ଥଇଥାନ କରିଛି ବୋଲି ଥାନାଧିକାରୀ ପଞ୍ଚାନନ ନାଏକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର