୩୨୦ ଟଙ୍କା ଟିକେଟ୍‌ ବିକ୍ରି : ବଲାଙ୍ଗୀର- ବିଛୁପାଲି ଟ୍ରେନ୍‌, ମିଳୁନାହାନ୍ତି ଯାତ୍ରୀ

ବଲାଙ୍ଗୀର : ବଲାଙ୍ଗୀରରୁ ବିଛୁପାଲିକୁ ଟ୍ରେନ ଗଡ଼ିଛି। ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଛି। ବଲାଙ୍ଗୀର ପଟୁ ଖୋର୍ଦ୍ଧା ଲାଇନରେ ଟ୍ରେନ ଗଡ଼ି ବହୁ ଦିନର ସ୍ୱପ୍ନ ପୂରା ହୋଇଛି। କିନ୍ତୁ ବିଛୁପାଲି ଯାଏଁ ୧୫କିମି ରାସ୍ତା ଯିବାକୁ ଶହଶହ ଯାତ୍ରୀ ହେଉ ନାହାନ୍ତି। ରେଳ ବିଭାଗ ପ୍ରତ୍ୟହ ଟ୍ରେନରେ ଇନ୍ଧନ ବାବଦକୁ ଯେତେ ଖର୍ଚ୍ଚ କରିବ ସେତିକି ଟଙ୍କା କିଭଳି ରୋଜଗାର କରିବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ନୂଆ ଟ୍ରେନର ଶୁଭାରମ୍ଭ କରିଥିଲେ। ପ୍ରଥମ ଦିନରେ ଶହଶହ ଯାତ୍ରୀ ଟ୍ରେନରେ ଯିବା ଆସିବା କରିଥିଲେ। କିନ୍ତୁ ପ୍ରଆଜି ଦ୍ୱିତୀୟ ଦିନରେ ମାତ୍ର ୩୨୦ ଟଙ୍କା ଟ୍ରେନ୍‌ ସେହି ରୁଟରେ ଆୟ ହୋଇଛି । ଦିନ ସାରା ଉଭୟ ଷ୍ଟେସନରେ ସମୁଦାୟ ୩୨ଟି ଟିକଟ ବିକ୍ରି ହୋଇଛି।

ସୂଚନା ଯୋଗ୍ୟ ଯେ, ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସକାଳ ଓ ଅପରାହ୍‌ଣରେ ଦୁଇ ଥର ଟ୍ରେନ ବଲାଙ୍ଗୀରରୁ ବିଛୁପାଲି ଏବଂ ବିଛୁପାଲିରୁ ବଲାଙ୍ଗୀରକୁ ଯିବା ଆସିବା କରିଥିଲା। ଦ୍ୱିତୀୟ ଦିନରେ ସକାଳ ୬ଟା ଟ୍ରେନରେ ବଲାଙ୍ଗୀର ପଟୁ ୫ ଜଣ ଯାତ୍ରୀ ବିଛୁପାଲିକୁ ଯାଇଥିଲେ। ସେପଟୁ ସକାଳ ୭ଟାରେ ଟ୍ରେନ ଫେରିବା ବେଳେ କୌଣସି ଯାତ୍ରୀ ନଥିଲେ। ଗୋଟିଏ ମଧ୍ୟ ଟିକଟ ବିଛୁପାଲିରୁ ସକାଳ ଟ୍ରେନରେ କଟିନଥିଲା। ଅପରାହ୍ଣ ୧ଟାରେ ବଲାଙ୍ଗୀର ଷ୍ଟେସନରୁ ଗାଡ଼ି ପୁଣି ବିଛୁପାଲିକୁ ଛାଡ଼ିଥିଲା। ସେଥିରେ ୧୩ ଜଣ ଯାତ୍ରୀ ଟିକଟ କାଟି ବିଛୁପାଲିକୁ ଯାଇଥିଲେ। ସେଥିମଧ୍ୟରୁ ଅନେକ ବିଛୁପାଲି ଷ୍ଟେସନ ବୁଲିବାକୁ ଏବଂ ନୂତନ ଟ୍ରେନରେ ବସିବା ପାଇଁ ଯାଇଥିଲେ। ଅପରାହ୍‌ଣରେ ବିଛୁପାଲିରୁ ଫେରିବା ସମୟରେ ବିଛୁପାଲି ଷ୍ଟେସନ ଦେଖିବାକୁ ଯାଇଥିବା କେତେ ଜଣ ଯାତ୍ରୀ ଓ ସେପଟୁ ଆଉ କେତେ ଜଣ ଯାତ୍ରୀ ମିଶି ସମୁଦାୟ ୧୪ ଜଣ ଟିକଟ କାଟି ଟ୍ରେନରେ ବିଛୁପାଲିରୁ ବଲାଙ୍ଗୀର ଫେରିଥିଲେ। ସମୁଦାୟ ବଲାଙ୍ଗୀର ଷ୍ଟେସନରେ ୧୮ଟି ଟିକଟ ବିକ୍ରି ହୋଇଥିବା ବେଳେ ବିଛୁପାଲି ଷ୍ଟେସନରେ ୧୪ ଟିକଟ ଏଭଳି ମୋଟ ୩୨ଟି ଟିକଟ ବିକ୍ରି ହୋଇଛି। ଗୋଟିଏ ଟିକଟର ମୂଲ୍ୟ ୧୦ ଟଙ୍କା ରହିଛି ଓ ଟ୍ରନର ଆୟ ମାତ୍ର ୩୨୦ ଟଙ୍କା ହୋଇଛି। ଯାହାକୁ ନେଇ ଏବେ ଅନେକ ବୁଦ୍ଧିଜୀବୀ ଭିନ୍ନ ମତ ରଖୁଛନ୍ତି। ରେଳ ବିଭାଗ ତୁରନ୍ତ କାମକୁ ତ୍ୱରାନ୍ୱିତ କରି ଝାରତରଭା-ସୋନପୁର-ବୌଦ୍ଧ ଯାଏଁ ଲାଇନ ବିଛାଇ ଟ୍ରେନ ଆଗକୁ ଗଲେ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇବ। ଏହାସହ ଲୋକେ ଆହୁରି ଉପକୃତ ହୋଇପାରିବେ‌ ବୋଲି ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର