ବଲାଙ୍ଗୀର : ପଶ୍ଚିମ ଓଡ଼ିଶା ମହିଳା ସଂଗଠନ ପକ୍ଷରୁ ବଲାଙ୍ଗୀର ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ସଂପନ୍ନ ହୋଇଛି। ୧୨ ଘଣ୍ଟା ଧରି ସହରରେ ଅଖଚକ, ସରକାରୀ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ ଓ କଲେଜ ବନ୍ଦ ରହିଥିଲା। ସକାଳୁ ସହର ସାରା ବିଭିନ୍ନ ସଂଗଠନ ପକ୍ଷରୁ ବାଇକ୍ ରାଲି, ପିକେଟିଂ କରି ବନ୍ଦ କରାଯାଇଥିଲା। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଶ୍ଚିମ ଓଡ଼ିଶା ମହିଳା ସଂଗଠନ, ନଗର କଂଗ୍ରେସ, ଲକ୍ଷେଘର ଗଣ୍ଡା ସମାଜ ସହ ବିଭିନ୍ନ ଅନୁଷ୍ଠାନ କର୍ମକର୍ତ୍ତାମାନେ ଯୋଗଦେଇ ଆନ୍ଦୋଳନ କରିଥିଲେ। ମହିଳାଙ୍କ ପ୍ରତି ବଢ଼ିଚାଲିଥିବା ନିର୍ଯାତନାର ପ୍ରତିବାଦ କରି ମହିଳାମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ବନ୍ଦକୁ ସମର୍ଥନ କରି ସହରର ବିଭିନ୍ନ ସଂଗଠନ ଏଥିରେ ସାମିଲ ହୋଇଥିଲେ।
ବଲାଙ୍ଗୀର ସହରରେ ପ୍ରଥମ କରି ମହିଳା ସଂଗଠନ ବନ୍ଦ ଡାକରା ଦେଇଥିଲା। ସ୍ନେହଲତା ଛତ୍ରିଆ ଗଣଦୁଷ୍କର୍ମ ଓ ହତ୍ୟା, ଆଶା ମେହେର, ମମିତା ମେହେର ଓ କନକ ନିଆଲ ହତ୍ୟାକାଣ୍ଡ ସହ ଜିଲ୍ଲାରେ ନିର୍ଯାତନାର ଶିକାର ହୋଇଥିବା ସମସ୍ତ ମହିଳାଙ୍କୁ ନ୍ୟାୟ ଦାବିରେ ଗର୍ଜିଥିଲା ମହିଳା ସଂଗଠନ। ସେପଟେ ଦାବିଗୁଡ଼ିକୁ ବିଚାରକୁ ନେଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଏସ୍ଡିପିଓ ତୋଫାନ ବାଗ। ବଲାଙ୍ଗୀର ସହରର ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପୁଲିସ ମୁତୟନ କରାଯାଇଥିଲା।