ବଲାଙ୍ଗୀରରେ ଫସଲ ବୀମା ବାବଦ ଅର୍ଥ ହଡ଼ପ ଅଭିଯୋଗ, ହାଇକୋର୍ଟରେ ମାମଲା

କଟକ : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ତହସିଲ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବ୍ୟାପକ ଜାଲିଆତି ଅଭିଯୋଗ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଅନ୍ୟର ଜମିକୁ ନିଜର ଦେଖାଇ ଫସଲ ବୀମା ବାବଦ ଅର୍ଥ ଦୁର୍ବୃତ୍ତମାନେ ହଡ଼ପ କରୁଥିବା ଦର୍ଶାଇ ହାଇକୋର୍ଟର ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ଦାୟର କରିଛନ୍ତି।

ଆବେଦନରେ ଦର୍ଶାଯାଇଛି ଯେ ଆବେଦନକାରୀଙ୍କ ବାପା ଓ ମାଙ୍କ ନାଁରେ ଲଖନା ମୌଜାରେ ଚାଷ ଜମି ରହିଛି। ଆବେଦନକାରୀ ବୃତ୍ତିଗତ କାରଣରୁ କଟକରେ ରହୁଥିବାବେ‌ଳେ ପରିବାର ସଦସ୍ୟ ଗାଁରେ ରହୁଛନ୍ତି। ଆବେଦନକାରୀଙ୍କ ପରିବାରର ଜମିରେ ବିଭିନ୍ନ ଫସଲ କରାଯାଉଥିବାବେଳେ ସେ ନିକଟରେ ମୁରିବାହାଲ ପ୍ରାଇମେରି ଏଗ୍ରିକଲଚର କ୍ରେଡିଟ ସୋସାଇଟିରେ ସଦସ୍ୟ ହୋଇଥିଲେ। ସେ ସୋସାଇଟି ମାଧ୍ୟମରେ କୃଷିବୀମା ପାଇଁ ଆବେଦନ କରିବା ସହିତ ଏ ବାବଦ ଅର୍ଥ ସୋସାଇଟି ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। ସୋସାଇଟି ସଂପାଦକ ଆବେଦନକାରୀଙ୍କୁ ଅବଗତ କରିଥିଲେ ଯେ ତାଙ୍କ ଜମି ସବୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପୂର୍ବରୁ ବୀମାଭୁକ୍ତ ହୋଇ ସାରିଛି ବୋଲି ୱେବ୍‌ସାଇଟରୁ ତଥ୍ୟ ମିଳୁଛି। ଅନ୍ୟ‌ କେତେକ ବ୍ୟକ୍ତି ଏହି ସବୁ ଜମି ନିଜର ଦର୍ଶାଇ ଫସଲ ବୀମା କରାଇଛନ୍ତି ବୋଲି ଜଣା ପଡିଥିଲା। କେତେକ ବ୍ୟକ୍ତି ଜାଲ କାଗଜପତ୍ର ପ୍ରସ୍ତୁତ କରି ଆବେଦନକାରୀଙ୍କ ଜମିକୁ ନିଜର ଦର୍ଶାଇ ଫସଲ ବୀମା ପାଇଁ ଆବେଦନ କରିବା ସହିତ ଏ ବାବଦ ଲାଭ ନେଉଥିବା ଆବେଦନକାରୀ ଜାଣିବାକୁ ପାଇଥିଲେ। ଏଭଳି ସ୍ଥିତିରେ ଜାଲ ହିତାଧିକାରୀଙ୍କୁ ଫସଲ ବୀମା ବାବଦ ଅର୍ଥ ପ୍ରଦାନ ତୁରନ୍ତ ବନ୍ଦ ରଖାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଘଟଣାର ତଦନ୍ତ ପାଇଁ ମୁରିବାହାଲ ଥାନାରେ ଏତଲା ଦିଆଯାଇଥିବା ବେଳେ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଜାଲିଆତିରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ମାମଲାରେ କେନ୍ଦ୍ର ସରକାର, ରାଜ୍ୟ କୃଷି ସଚିବ, ବଲାଙ୍ଗୀର ଜିଲ୍ଲାପାଳ, ଏସପି, ମୁରିବାହାଲ ଆଆଇସି, ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ, ଏଗ୍ରିକଲଚର ଇନସ୍ୟୁରାନ୍ସ କମ୍ପାନି ଅଫ୍ ଇଣ୍ଡିଆ, ମୁଖ୍ୟ ଆଞ୍ଚଳିକ ପରିଚାଳକ, ରୟାଲ ସୁନ୍ଦରମ ଫସଲ ବୀମା ପ୍ରକଳ୍ପ ମୁଖ୍ୟଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର