ଭୁବନେଶ୍ବର: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମତଦାନ ହୋଇଛି। ପ୍ରଚାର ମଇଦାନରେ କଂଗ୍ରେସର କୌଣସି ହେଭିୱେଟ୍ଙ୍କୁ ଦେଖିବାକୁ ମିଳି ନ ଥିଲା। ହେଲେ ଦ୍ବିତୀୟ ପର୍ଯ୍ୟାୟ ବେଳକୁ କଂଗ୍ରେସର ପ୍ରଚାର ଜମିବ। ଆସନ୍ତା ୧୫ ତାରିଖରେ ଓଡ଼ିଶା ଆସୁଛନ୍ତି ସାଂସଦ ରାହୁଲ ଗାନ୍ଧୀ। ବାଇକ୍ ଶୋଭାଯାତ୍ରା ସହ ବଲାଙ୍ଗୀରରେ ଏକ ଜନସଭାରେ ଯୋଗ ଦେବେ। ଏହା ପଛକୁ ୧୬ ତାରିଖରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼୍ଗେ ଓଡ଼ିଶାରେ ପ୍ରଚାର କରିବେ ବୋଲି କହିଛନ୍ତି ଓଡ଼ିଶା ପ୍ରଭାରୀ ଅଜୟ କୁମାର।
ଶ୍ରୀ କୁମାର କହିଛନ୍ତି ଯେ ୧୫ ତାରିଖରେ ରାହୁଲ ଦିନ ୧୧ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ପରେ ସିଧାସଳଖ ବଲାଙ୍ଗୀର ଅଭିମୁଖେ ଯାତ୍ରା କରିବେ। ବଲାଙ୍ଗୀର ସଭା ଶେଷ ହେବା ଦିଲ୍ଲୀ ଫେରିଯିବେ। ବଲାଙ୍ଗୀରରୁ କଂଗ୍ରେସ ପ୍ରାର୍ଥୀ ମନୋଜ ମିଶ୍ର ଏଥର ଲୋକସଭାରେ ବିଜୟୀ ହୋଇ ସଂସଦରେ ପ୍ରତିନିଧିତ୍ବ କରିବେ। ଏହାସହ ୧୬ରେ ଶ୍ରୀ ଖଡ଼୍ଗେ କନ୍ଧମାଳରେ ଦଳ ପାଇଁ ପ୍ରଚାର କରିବେ। ଆସନ୍ତାକାଲି ବରିଷ୍ଠ ନେତା ଜୟରାମ ରମେଶ ଆସନ୍ତାକାଲି ଓଡ଼ିଶାରେ ଏକ ସାମ୍ବାଦିକ ସମ୍ମିଳନୀ ରହିଛି ବୋଲି ଶ୍ରୀ କୁମାର ସୂଚନା ଦେଇଛନ୍ତି।
ଉଲ୍ଲେଖ ଯେ ଗତମାସରେ ରାହୁଲ ଗାନ୍ଧୀ ସାଲେପୁର ସମାବେଶରେ କଂଗ୍ରେସ ପାଇଁ ନିର୍ବାଚନ ବିଗୁଲ ବଜାଇଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଯାହାକୁ ନେଇ କଂଗ୍ରେସ କର୍ମୀ ବେଶ ଉତ୍ସାହିତ ରହିଥିଲା। ପରେ ରାୟଗଡ଼ାରେ ତାଙ୍କର ଏକ ସମାବେଶ ରହିଥିଲେ ହେଁ ନିଜେ ନାମାଙ୍କନ ଭରୁଥିବା କାରଣରୁ ଆସିପାରି ନ ଥିଲେ। ତେଣୁ ସମାବେଶକୁ ଆଭାସୀ ଜରିଆରେ ଯୋଡ଼ି ହୋଇଥିଲେ। ଆଗକୁ ଅନ୍ୟ କଂଗ୍ରେସ ନେତା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି।