ବଲାଙ୍ଗୀର ଜେଲ୍‌କୁ ସ୍ଥାନାନ୍ତର ହେବ ସୁଶାନ୍ତ ଧଳସାମନ୍ତ

କଟକ : ସୁଶାନ୍ତ ଧଳସାମନ୍ତକୁ ବଲାଙ୍ଗୀର ଜେଲକୁ ସ୍ଥାନାନ୍ତର କରାଯିବ। ଏଥି ପାଇଁ କଟକ ଜେଏମ୍‌ଏଫ୍‌ସି(ରୁରାଲ) ଅଦାଲତ ଅନୁମତି ପ୍ରଦାନ କରିଛନ୍ତି। ଅଦାଲତଙ୍କ ଅନୁମତି ମିଳିବା ପରେ ଝାରପଡା ଜେଲରେ ଥିବା ସୁଶାନ୍ତକୁ ଖୁବ୍‌ ଶୀଘ୍ର ବଲାଙ୍ଗୀର ଜେଲକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ। ଅନ୍ୟପକ୍ଷରେ ତା’ ବିରୋଧରେ ବିଚାରାଧୀନ ମାମଲାର ଶୁଣାଣି ସମୟରେ ସୁଶାନ୍ତର ହାଜିରା ସୁନିଶ୍ଚିତ କରିବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ବଲାଙ୍ଗୀର ଜେଲରୁ ସୁଶାନ୍ତକୁୁ କଟକକୁ ଆଣି ସବୁ ତାରିଖରେ ଅଦାଲତରେ ହାଜର କରିବା ଏକ କଷ୍ଟକର କାର୍ଯ୍ୟ ହୋଇଥିବା ବେଳେ ଅଧିକାଂଶ ତାରିଖରେ ଭିଡିଓ କନଫରେନି୍ସଂ ବ୍ୟବସ୍ଥା ମାଧ୍ୟମରେ ତାଙ୍କୁ ହାଜର କରାଯିବ ବୋଲି ଜଣା ପଡିଛି।

ବିଜେନ ପାଲ ହତ୍ୟା ଉଦ୍ୟମ ଘଟଣାର ତଦନ୍ତ ବେଳେ ମିଳିଥିବା ତଥ୍ୟ ଆଧାରରେ ସୁଶାନ୍ତକୁ ବଲାଙ୍ଗୀର ଜେଲ କିମ୍ବା ପଶ୍ଚିମ ଓଡ଼ିଶାର ଅନ୍ୟ କୌଣସି ଜେଲକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ପ୍ରାର୍ଥନା କରି ସଦର ଥାନା ପକ୍ଷରୁ ଅଦାଲତରେ ଆବେଦନ କରାଯାଇଥିଲା। ଆବେଦନରେ ଦର୍ଶାଯାଇଥିଲା ଯେ ପରିବର୍ତ୍ତିତ ପରିସ୍ଥିତିରେ ସୁଶାନ୍ତକୁୁ ଝାରପଡା ଜେଲରେ ରଖିବା ଉଚିତ ହେବ ନାହିଁ। ଝାରପଡା ସ୍ୱତନ୍ତ୍ର ଜେଲରେ ଥିବା ସୁରକ୍ଷା ବ୍ୟବସ୍ଥା ଭେଦ କରି ସୁଶାନ୍ତ ଧଳସାମନ୍ତ ବିଜେନ ପାଲଙ୍କୁ ହତ୍ୟା କରିବାକୁ ଯୋଜନା ପ୍ରସ୍ତୁତ କରିଥିଲା। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ୍‌ ପ୍ରସିକ୍ୟୁଟର ବିଶ୍ୱଜିତ ବରାଳ, କବି ନାରାୟଣ ଜେନା ଓ ରଜନୀକାନ୍ତ ମିଶ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର