ଲଘୁଚାପ ସୃଷ୍ଟି, ବାଂଲାଦେଶ ମୁହାଁ ହେବ: ୪୦ ଡିଗ୍ରି ଡେଇଁଲା ବଲାଙ୍ଗୀର

ଭୁବନେଶ୍ବର: ଓଡ଼ିଶାରେ ତାତି ଡେଇଁଲା ୪୦ ଡିଗ୍ରି। ଏକାଥରେ ୩ଟି ସହରର ତାପମାତ୍ରା ୪୦ ଡିଗ୍ରି ଓ ତା’ଠାରୁ ଅଧିକ ରହିଛି। ପ୍ରଥମ ଥର ଲାଗି ଚଳିତବର୍ଷ ଗ୍ରୀଷ୍ମ ସମୟରେ ସର୍ବୋଚ୍ଚ ତାପମାତ୍ରା ବଲାଙ୍ଗୀରରେ ରେକର୍ଡ କରାଯାଇଛି। ଏଠାରେ ତାପମାତ୍ରା ୪୦.୫ ଡିଗ୍ରି ରହିଥିବା ବେଳେ ଟିଟିଲାଗଡ଼ରେ ୪୦.୨ ଓ ଅନୁଗୁଳରେ ୪୦ ଡିଗ୍ରି ରହିଥିଲା। ଗୁରୁବାର ମଧ୍ୟ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ସୋନପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ନୟାଗଡ଼, ବା‌ଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ଉକ୍ତ ଜିଲ୍ଲାଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ ସର୍ବୋଚ୍ଚ ତାପାମତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ୧୮ ତାରିଖରେ ମଧ୍ୟ ସୋନପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ ଓ ସମ୍ବଲପୁରର କିଛି ସ୍ଥାନରେ ହିଟ୍‌ୱେଭ୍‌ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ତାହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି)ଙ୍କ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷରେ ଭାରତୀୟ ମହାସାଗର ଓ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ମାର୍ଚ୍ଚ ୧୬ ଭୋର ୩ଟା ସୁଦ୍ଧା ଏହା ଦକ୍ଷିଣ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି। ଏହା କ୍ରମଶଃ ପୂର୍ବ, ଉତ୍ତର-ପୂର୍ବ ଦିଗରେ ଗତି କରି ୧୯ ତାରିଖ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୦ ତାରିଖ ସୁଦ୍ଧା ଆଣ୍ଡାମାନ ଓ ନିକୋବର ଉପକୂଳରେ ଏକ ଅବପାତରେ ପରିଣତ ହୋଇ ପରଦିନ ଅର୍ଥାତ ମାର୍ଚ୍ଚ ୨୧ ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ବାତ୍ୟା ରୂପ ନେବ। ୨୨ ତାରିଖ ପର୍ଯ୍ୟନ୍ତ ଏହା ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଧୀରେ ଧୀରେ ଉତ୍ତର-ପୂର୍ବ ଦିଗରେ ଗତି କରି ୨୩ ତାରିଖରେ ବାଂଲାଦେଶ ଓ ମିଆଁମାର ଉପକୂଳରେ ପହଞ୍ଚିବା ନେଇ ଆକଳନ କରାଯାଇଛି। ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି।

ସମ୍ବନ୍ଧିତ ଖବର