ବଲାଙ୍ଗୀର : ଗରିବଙ୍କ ଜମି ଠକେଇ ସିଣ୍ଡିକେଟର ମାଷ୍ଟରମାଇଣ୍ଡ ତହସିଲଦାରଙ୍କ ପାଇଁ ଅଡୁଆ ବଢ଼ିଛି। ତହସିଲଦାର ମଘବାନ ବାଗଙ୍କ ସମେତ ୯ ଜଣଙ୍କ ନାଁରେ ସଦର ଥାନାରେ ମାମଲା ରୁଜୁ ହୋଇଥିବାବେଳେ ଆଜି ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତହସିଲଦାର ମଘବାନ ବାଗ ଓ ଅତିରିକ୍ତ ତହସିଲଦାର ହରେକୃଷ୍ଣ ରାଉତଙ୍କୁ ସରକାର ନିଲମ୍ବନ କରିଛନ୍ତି। ଏଥିସହିତ, ତହସିଲ କାର୍ଯ୍ୟାଳୟର ରେକର୍ଡକିପର୍ ମକରଧ୍ୱଜ କାଲସାଏଙ୍କୁ ପୁଲିସ ଗିରଫ କରିଛି।
ମୃତ ବ୍ୟକ୍ତିଙ୍କ ନାଁରେ ନକଲି ଜମି ମାଲିକ ଆଣି ଗରିବ ଲୋକଙ୍କ ଜମି ହଡ଼ପ କରାଯାଇଥିଲା। ଏହି ଘଟଣା ଜଣାପଡ଼ିବା ପରେ ଜିଲ୍ଲାପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା। ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ନିର୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ ଓ ଉପଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କୁ ନେଇ ତଦନ୍ତ କମିଟି ଗଠନ କରାଯାଇଥିଲା। ଜମି କେଳେଙ୍କାରୀର ତଦନ୍ତ ପରିପ୍ରେକ୍ଷୀରେ ବିଳମ୍ବିତ ରାତି ଯାଏ ତହସିଲର ଅନେକ କର୍ମଚାରୀ ଓ ଅଧିକାରୀଙ୍କୁ ଡାକି ଏହି ଟିମ୍ ଜେରା କରିଥିଲେ। ଅଭିଯୁକ୍ତ ତହସିଲଦାର ମଘବାନ ବାଗ ବି ନିଜ ପକ୍ଷ ରଖିଥିଲେ। ଏହି ଦୁଇଜଣିଆ ତଦନ୍ତକାରୀ ଟିମ୍ ଗୋଟିଏଦିନରେ ଘଟଣାର ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଥିଲେ। ନିୟମ ଅନୁଯାୟୀ, ଜଣେ ପ୍ରାଶାସନିକ ଅଧିକାରୀ ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ସରକାରଙ୍କୁ ସୁପାରିସ କରିପାରିବେ। ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେବେ। ସେହି ଆଧାରରେ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଥିଲେ। ରାଜ୍ୟ ସରକାର ବୁଧବାର ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।
ଏ ସମ୍ପର୍କରେ ଜିଲ୍ଲାପାଳ ଚଞ୍ଚଳ ରାଣା କହିଛନ୍ତି, ପ୍ରାଥମିକ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପଠାଯାଇଛି। ସେହି ଆଧାରରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି।