ପୂର୍ତ ବିଭାଗ ପକ୍ଷରୁ ତୁରନ୍ତ ମରାମତି, ଛାତ୍ରାବାସ ପାଇଁ ଜମି ଚିହ୍ନଟ ନିର୍ଦେଶ

ବଲାଙ୍ଗୀର ମେଡିକାଲ କଲେଜ ଛାତରୁ ପାଣି ଗଳିବା ପ୍ରସଙ୍ଗ

ଭୁବନେଶ୍ବର: ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ କଲେଜ ଛାତରୁ ପାଣି ଗଳୁଥିବା ଘଟଣା ବିଧାନସଭାରେ ଉଠିବା ପରେ ଏହାର ତୁରନ୍ତ ସମାଧାନ ପାଇଁ ପୂର୍ତ ବିଭାଗ ପଦକ୍ଷେପ ନେଇଛି। ପାଣି ଗଳୁଥିବା ସ୍ଥାନକୁ ପୂର୍ତ ବିଭାଗ ପକ୍ଷରୁ ମରାମତି କରାଯାଇଛି। ଏହାସହ ମେଡିକାଲ କଲେଜ ପାଇଁ ଆସନ୍ତା ବର୍ଷ ଛାତ୍ରାବାସର ଆବଶ୍ୟକତା ଥିବାରୁ ତୁରନ୍ତ ଜମି ଚିହ୍ନଟ ସହିତ କାର୍ଯ୍ୟ ଆରମ୍ଭ ଲାଗି କୁହାଯାଇଛି। ଏହାସହ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ ପଦବି ପୂରଣ ଦିଗରେ ପଦକ୍ଷେପ ଗ୍ରହଣ କରିବା ଲାଗି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ମେଡିକାଲ କଲେଜ ସଂକ୍ରାନ୍ତରେ ଆଜି ପୂର୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିଧାନସଭା ପ୍ରକୋଷ୍ଠରେ ସମୀକ୍ଷା ହୋଇଥିଲା। ଏଥିରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କରିଥିବା ଅଭିଯୋଗଗୁଡ଼ିକର ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ, ପୂର୍ତ ବିଭାଗ ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ସମେତ ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ ମେହେର୍ଦା, ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ମେଡିକାଲ କଲେଜର ଅଧୀକ୍ଷକ, ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ସ୍ବାସ୍ଥ୍ୟସେବା ନିର୍ଦେଶକଙ୍କ ସମେତ ମୁଖ୍ୟଯନ୍ତ୍ରୀ(କୋଠାବାଡ଼ି)ଙ୍କ ସମେତ ଦୁଇ ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର