ବଲାଙ୍ଗୀର ମେଡିକାଲ କଲେଜ ଉଦ୍‌ଘାଟନ ଆଜି : ବିଜେଡି-ବିଜେପି ମୁହାଁମୁହିଁ

ଶୁଭାରମ୍ଭ ପାଇଁ ଆଜି ଆସିବେ ନବୀନ ଓ ନଡ୍ଡା, ଛାଇଦେଲେ ପୋଷ୍ଟର, ବ୍ୟାନର

ବଲାଙ୍ଗୀର : ଦୁଇ ଦଶନ୍ଧି ଧରି ବଲାଙ୍ଗୀର ଜିଲ୍ଲାବାସୀ ସରକାରୀ ମେଡିକାଲ କଲେଜ ନେଇ ଯେଉଁ ଅପେକ୍ଷା ରଖିଥିଲେ ତାର ଅନ୍ତ ଘଟିବ। ଶୁକ୍ରବାର ବିଧିବଦ୍ଧ ଭାବେ ଭୀମଭୋଇଙ୍କ ନାମରେ ନାମିତ ସରକାରୀ ମେଡିକାଲ କଲେଜର ଶୁଭାରମ୍ଭ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି.ନଡ୍ଡା ଯୋଗଦେବାର କାର୍ଯ୍ୟକ୍ରମ ଚୁଡାନ୍ତ ହୋଇଛି। ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲର ଶୁଭାରମ୍ଭ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ସଜାଗ ରହିଥିବା ବେଳେ ତୁହାକୁ ତୁହା ପ୍ରସ୍ତୁତି ବୈଠକ କରାଯାଉଛି। ସୁରଖୁୁରୁରେ ଓ କୌଣସି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହେବ ସେଥିପାଇଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନଡ୍ଡାଙ୍କ ପାଇଁ ହେଲିପ୍ୟାଡର ବ୍ୟବସ୍ଥା କରାଯାଇଛି। ସେମାନେ ଦିନ ୧୧ଟା ମଧ୍ୟରେ ବଲାଙ୍ଗୀରରେ ପହଞ୍ଚିବା ପରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କୁ ମେଡିକାଲ କଲେଜକୁ ପାଛୋଟି ନିଆଯିବ। ସେଠାରେ କଲେଜର ଶୁଭାରମ୍ଭ କରିବା ପରେ ଅଡିଟୋରିୟମରେ ପ୍ରଥମ ବ୍ୟାଚ୍‌ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଭାବ ବିନିମୟ କରିବେ। ଦିନ ୧୧ଟାରୁ ୧୨ଟା ଯାଏ କାର୍ଯ୍ୟକ୍ରମ ରହିଥିବା ବେଳେ ସେମାନେ ନିର୍ଦ୍ଧାରିତ ସମୟରେ ଗସ୍ତ ସାରି ଫେରିଯିବେ ବୋଲି ଜଣାପଡିଛି। ପୁଲିସ ପକ୍ଷରୁ ୬ଜଣ ଡିଏସ୍‌ପି, ୨୦ଜଣ ଇନ୍ସପେକ୍ଟର ଓ ୧୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଉଥିବା ଏସ୍‌ପି କେ.ସିଭା ସୁବ୍ରମଣି ସୂଚନା ଦେଇଛନ୍ତି।

ଭୀମଭୋଇ ମେଡିକାଲ କଲେଜର ଶୁଭାରମ୍ଭକୁ ନେଇ ବଲାଙ୍ଗୀରରେ ରାଜନୈତିକ ଉଷ୍ମତା ମଧ୍ୟ ପରିଲକ୍ଷିତ ହେଉଛି। ୧୯୯୯ ମସିହାରେ ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ତତ୍କାଳୀନ ଅଧ୍ୟକ୍ଷ ତଥା ବର୍ତ୍ତମାନର ସଦର ବିଧାୟକ ନରସିଂହ ମିଶ୍ର ମେଡିକାଲ କଲେଜ ପାଇଁ ଭିତ୍ତିପ୍ରସ୍ତର ଦେଇଥିବାରୁ କଂଗ୍ରେସ ଦଳ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ବଡ ବଡ ହୋର୍ଡିଂ ଲଗାଯାଇଛି। ସ୍ୱପ୍ନ ସାକାର ହୋଇଛି ବୋଲି ଏହି ହୋର୍ଡିଂଗୁଡ଼ିକରେ ଦର୍ଶାଯାଇଥିବା ବେଳେ ବିଜେଡି ଓ ବିଜେପି ବି ପଛରେ ନାହାନ୍ତି। ମେଡିକାଲ କଲେଜର ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କୁ ଦେଇ ବିଜେଡି ପକ୍ଷରୁ ବିଭିନ୍ନ ସ୍ଥାନରେ ହୋର୍ଡିଂ ଲଗାଯାଇଛି। ଅନ୍ୟପଟେ କେନ୍ଦ୍ରରେ ଥିବା ବିଜେପି ସରକାର ଯୋଗୁଁ ମେଡିକାଲ କଲେଜ କାମ ଚୁଡାନ୍ତ ହୋଇଥିବା ଦର୍ଶାଇ ବିଜେପି ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନଡ୍ଡାଙ୍କୁ ସ୍ୱାଗତ କରି ବ୍ୟାନର ଲଗାଯାଇଛି ବିଭିନ୍ନ ସ୍ଥାନରେ। ସେହିପରି ଭାଗିରଥୀ ଛକରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ ଥିବା ରାସ୍ତା ମଧ୍ୟ ଡିଭାଇଡର୍‌ରେ ବିଜେଡି ଓ ବିଜେପି ପକ୍ଷରୁ ଝଣ୍ଡା ଲଗାଇ ଶକ୍ତି ପ୍ରଦର୍ଶନ କରାଯାଇଛି। ଆଗକୁ ନିର୍ବାଚନ ଥିବା ବେଳେ କୌଣସି ରାଜନୈତିକ ଦଳ ସେମାନଙ୍କ ପତିଆରା ପ୍ରଦର୍ଶନରେ ପଛଘୁଞ୍ଚା ଦେଉ ନଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେ ଉପରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି। ତିନି ବର୍ଷ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ସମୟରେ କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ ସହ ଅଣ୍ଡା ମାଡ କରାଯାଇଥିଲା। ତେଣୁ ଏଥର ସେଭଳି କିଛି ନଘଟିବ ସେଥିପାଇଁ ଦଳୀୟ ନେତାଙ୍କ ସହ ପ୍ରଶାସନ ଓ ପୁଲିସ ପକ୍ଷରୁ ଆଲୋଚନା କରାଯିବା ସହ କୌଣସି ଆଇନଶୃଙ୍ଖଳା ପରିସ୍ଥିତି ଯେମିତି ସୃଷ୍ଟି ନହୁଏ ସେଦିଗରେ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଥିବା ଜଣାପଡିଛି।

ବଦଳିଲା ନିମନ୍ତ୍ରଣ ପତ୍ର

ଭୁବନେଶ୍ୱର : ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଉଦ୍‌ଘାଟନ କାର୍ଯ୍ୟକ୍ରମ ଲାଗି ଦୁଇ ଦୁଇଟି ନିମନ୍ତ୍ରଣ ପତ୍ର ପ୍ରସ୍ତୁତ ହୋଇଥିବା ଜଣାପଡିଛି। ସରକାର ପୂର୍ବରୁ ଏକ ନିମନ୍ତ୍ରଣ ପ୍ରସ୍ତୁତ କରିଥିଲେ। ହେଲେ ଶେଷ ମୁହୂର୍ତରେ ଆଜି ଆଉ ଏକ ନିମନ୍ତ୍ରଣ କାର୍ଡ ବଣ୍ଟାଯାଇଛି।

ସ୍ୱାସ୍ଥ୍ୟ ବିଭାଗ କହିଛି, କେନ୍ଦ୍ରମନ୍ତ୍ରୀ ଶ୍ରୀ ନଡ୍ଡାଙ୍କ ଯୋଗଦାନ ନେଇ ସମ୍ମତି ପତ୍ର ମିଳିନଥିଲା। ଏଣୁ ପୂର୍ବରୁ ବଣ୍ଟାଯାଇଥିବା ନିମନ୍ତ୍ରଣ ପତ୍ର କାର୍ଡରେ ତାଙ୍କ ନାମ ନ ଥିଲା। ମାତ୍ର ଗତକାଲି କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟାଳୟ ଶ୍ରୀ ନଡ୍ଡାଙ୍କ ଯୋଗଦାନ ସଂପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରିଥିଲେ। ଏଣୁ ତୁରନ୍ତ ଏକ ନୂତନ ନିମନ୍ତ୍ରଣ ପତ୍ର ପ୍ରସ୍ତୁତ କରାଯାଇଥିଲା ଓ ଆଜି ଏହା ବଣ୍ଟାଯାଇଛି।

ଉଲ୍ଲେଖଯୋଗ୍ୟ, ଏମ୍‌ସ କାର୍ଯ୍ୟକ୍ରମରେ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ନିମନ୍ତ୍ରଣ ପତ୍ରରେ ନଥିଲା କି ସେଦିନ ଶିଳାନ୍ୟାସ ଫଳକରେ ବି ମନ୍ତ୍ରୀଙ୍କୁ ସ୍ଥାନ ମିଳିନଥିଲା। ବାଲେଶ୍ୱରରେ ଏମ୍‌ସର ସାଟେଲାଇଟ୍‌ ଶାଖା ଉତ୍ସବକୁ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇନଥିଲା। ବରଂ ଏମ୍‌ସ ଉତ୍ସବରେ ଅନ୍ୟମାନଙ୍କ ତୁଳନାରେ ମନ୍ତ୍ରୀଙ୍କୁ ଦୁଇ ମିନିଟ୍‌ ଲାଗି ଭାଷଣ ଦେବାକୁ ସୁଯୋଗ ଦିଆଯାଇଥିଲା। ଏଣୁ ସ୍ୱାଭାବିକ ଭାବେ ବଲାଙ୍ଗୀର ମେଡିକାଲ କଲେଜରେ କେନ୍ଦ୍ର ସରକାରଙ୍କ ଅନୁଦାନ ଥିବାରୁ ଅତିଥି ଓ ନିମନ୍ତ୍ରଣ ପତ୍ରକୁ ନେଇ ଗୋଟିଏ ଗୋଷ୍ଠୀ ବିବାଦ ଉଠାଇଥିଲେ। ଶ୍ରୀ ନଡ୍ଡା ଅତିଥି ହୋଇ ଆସୁଥିଲେ ହେଁ, କାହିଁକି ତାଙ୍କ ନାମ ନିମନ୍ତ୍ରଣ ପତ୍ରରେ ନଥିଲା ବୋଲି ଆପତ୍ତି ଉଠିଥିଲା।

ସମ୍ବନ୍ଧିତ ଖବର