ବଲାଙ୍ଗୀର : ରାଜ୍ୟରେ ଚାଷ ଅମଳକୁ ନେଇ ରାଜ୍ୟ ସରକାର କେନ୍ଦ୍ରରୁ ପୁରସ୍କୃତ ହେଉଛନ୍ତି। ଏପଟେ ମଣ୍ଡିଗୁଡ଼ିକରେ ଲକ୍ଷ ଲକ୍ଷ ବସ୍ତା ଧାନ ପଡ଼ିରହିଛି। ତାକୁ କିଣିବାକୁ ଅସମର୍ଥ ପ୍ରକାଶ କରୁଛନ୍ତି। ଏପରିକି ଚାଷୀମାନଙ୍କୁ ମଣ୍ଡିଗୁଡ଼ିକରେ କଟନି ଛଟନି କରି ଶୋଷଣ କରାଯାଉଛି। ଧାନ କିଣାରେ ବି ବଡ଼ ଧରଣର ଦୁର୍ନୀତି ଚାଲିଛି ବୋଲି କହିଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର।
ଚାଷୀମାନଙ୍କ ସମସ୍ୟା ଓ ବଲାଙ୍ଗୀରର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ସ୍ଥାନୀୟ ସର୍କିଟ ହାଉସଠାରେ ବିଧାୟକ ଶ୍ରୀ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ସରକାରୀ ରିପୋର୍ଟ ଅନୁସାରେ ଜଳସେଚିତ ଜମିରେ ୩୫ରୁ ୪୦ ବସ୍ତା ଧାନ ଅମଳ ହେଉଥିବା ବେଳେ ଅଣଜଳସେଚିତ ଜମିରେ ଅତି କମରେ ୨୦ରୁ ୨୫ ବସ୍ତା ଧାନ ଅମଳ ହେଉଛି। ତେବେ ସରକାର କିପରି ଜଳସେଚିତ ଜମିରୁ ୧୮ କ୍ୱିଣ୍ଟାଲ ଧାନ ଓ ଅଣଜଳସେଚିତ ଜମିରୁ ୧୩ କ୍ୱିଣ୍ଟାଲ ଧାନ କିଣିବା ପାଇଁ ନିଷ୍ପତ୍ତି ନେଲେ ବୋଲି ପ୍ରଶ୍ନ କରିଥିଲେ। ଜମିର ପରିମାଣକୁ ନେଇ ଚାଷୀ ଧାନ ବିକିବା ପାଇଁ ରେଜିଷ୍ଟ୍ରେସନ କରିଥାଏ ଏବଂ ସରକାର ଜମି ତଥା ଅମଳର ପରିମାଣକୁ ନେଇ ଧାନ କିଣିବାର ଟାର୍ଗେଟ ନେଇଥାଏ। କିନ୍ତୁ ଦୁଃଖର ବିଷୟ ଅମଳ ଏବଂ ଟାର୍ଗେଟ ଅଧାଭାଗ ଧାନ ମାତ୍ର ଏ ପର୍ଯ୍ୟନ୍ତ ସରକାର କିଣିଛନ୍ତି। ବାକିତକ ଧାନ ପାଇଁ କେବେ ଟାର୍ଗେଟ ଆସିବ ତାର ଉତ୍ତର କାହା ପାଖରେ ନାହିଁ। ଏପରିକି ଛୋଟ ଛୋଟ ଚାଷୀଙ୍କ ଧାନକୁ ମିଲ ମାଲିକ ତଥା ଦଲାଲମାନେ ଗୋଡ଼ିବାଲି ଦରରେ କିଣି ସାରିଛନ୍ତି। ଏପରିକି ପୂର୍ବତନ ସାଂସଦ ଯିଏକି ଶାସକ ଦଳରେ ଅଛନ୍ତି ସେ ସରକାରଙ୍କ ଧାନକିଣା ନୀତିକୁ ନେଇ ସମାଲୋଚନା କରିବା ସହ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି ବୋଲି ସ୍ୱୀକାର କରିସାରିଲେଣି। ଧାନକିଣାକୁ ନେଇ ସରକାର ସମ୍ପୂର୍ଣ୍ଣ ବିଫଳ ବୋଲି ସ୍ପଷ୍ଟ ହୋଇସାରିଲାଣି। ତେଣୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଥିଲେ।
ବିଜେପି ଦ୍ୱାରା ଧାନକିଣା ସମସ୍ୟାକୁ ନେଇ ସମ୍ବଲପୁର ଥାନାରେ ଧାରଣାକୁ ଶ୍ରୀ ମିଶ୍ର ତୀବ୍ର ନିନ୍ଦା କରିଥିଲେ। ଯେଉଁ ଜାଗାରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ସମସ୍ତ ଧାନ କିଣିବାର କ୍ଷମତା ଅଛି ସେ ଜାଗାରେ ଆନ୍ଦୋଳନ କରି ପ୍ରହତ୍ସନ କାହିଁକି କରୁଛନ୍ତି। କେନ୍ଦ୍ର ସରକାର ଓ ଭାରତୀୟ ଖାଦ୍ୟ ନିଗମ ଚାଷୀଙ୍କ ସମସ୍ତ ଧାନ କିଣିବା କଥା। କିନ୍ତୁ ତାହା ନକରି ସେମାନେ ଧାନକିଣାକୁ ନେଇ ଆନ୍ଦୋଳନ କରିବା ଅତି ହାସ୍ୟାସ୍ପଦ ବୋଲି ଶ୍ରୀ ମିଶ୍ର କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ସେ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ନିକଟରେ ଘଟିଥିବା ଜରାସିଂହା ଡବଲ ମର୍ଡର ଘଟଣା, କୁଡ଼ାସିଂହା ଡକାୟତି, ସିଲେଟକାନିରେ ନାବାଳକ ନିଖୋଜ ଘଟଣା ଲୋକଙ୍କ ମନରେ ଦେଓଗାଁ ପୁଲିସ ପ୍ରତି ବିଶ୍ୱାସ ହଟିଯାଉଛି ବୋଲି କହିଥିଲେ। ଏପରିକି କିଛି ଡକାୟତି ଘଟଣାରେ ଡକାୟତମାନେ ଧରାପଡ଼ିଲା ପରେ ମଧ୍ୟ ଡକାୟତି ହୋଇଥିବା ବହୁଳ ପରିମାଣର ଟଙ୍କା ଓ ସୁନା ଜବତ ହୋଇପାରୁନଥିବା ଦୁଃଖର ବିଷୟ ବୋଲି କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କିଷାନ କିଂଗ୍ରେସ ସଭାପତି ସାନନ୍ଦ ମିଶ୍ର, ମହିଳା କଂଗ୍ରେସ ସଭାନେତ୍ରୀ ମିଳନୀ ସାହୁ, ଉପସଭାପତି ସନ୍ତକ ବହିଦାର, ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ର, ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ ମଞ୍ଚାସୀନ ଥିଲେ।