ବଲାଙ୍ଗୀର : ‘‘ମା’କୁ ନିର୍ଯାତନା ଦେବାରୁ ମାରିଦେଲି। ମା’କୁ ନିର୍ଯାତନା ଦେଲେ ଓ ହଇରାଣ କଲେ, ଯାହାକୁ ବି ମୁଁ ହତ୍ୟା କରିପାରେ’’। ବଲାଙ୍ଗୀର ସହରରେ ଘଟିଥିବା ବୀଭତ୍ସ ରିଙ୍କୁ ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସାନଭାଇ ଶଙ୍କର ଭବାନୀ ମେହେର ଓରଫ ପିଙ୍କୁ ଆଜି ଏହା ଗଣମାଧ୍ୟମ ନିକଟରେ ପ୍ରକାଶ କରିଛି। ଏହି ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡର ରହସ୍ୟ ଉପରୁ ଆଜି ପରଦା ହଟାଇଛି ପୁଲିସ। ପିଙ୍କୁକୁ ଶନିବାର ଦିନ ପୁଲିସ ଗିରଫ କରିଛି। ଘଟଣାସ୍ଥଳକୁ ପିଙ୍କୁକୁ ନେଇ ଶନିବାର ଦିନ ପୁଲିସ ସିନ୍‌ ରିକ୍ରିଏସନ୍‌ କରିଥିଲା।

Advertisment

ପୁଲିସର ସୂଚନା ଅନୁସାରେ, ତାଲାରୁ ଏହି ହତ୍ୟାକାଣ୍ଡର ସୁରାକ ମିଳିଥିଲା। କାରଣ ବାହାର ଲୋକ ଆସିଲେ ନୂଆ ତାଲା ନେଇ ଆସିବେ। କିନ୍ତୁ ଘରର ପୁରୁଣା ତାଲାକୁ ଦେଖି ଘର ଲୋକ ହତ୍ୟାକାଣ୍ଡରେ ସାମିଲ ଥିବା ସନ୍ଦେହ କରିଥିଲା ପୁଲିସ। ସେହିପରି ବଲାଙ୍ଗୀର ଡାକ୍ତରଖାନାର ଆଉଟ୍‌ଡୋର୍‌ ଟିକଟ ବି ପୁଲିସର ସନ୍ଦେହକୁ ଆହୁରି ଦୃଢ଼ୀଭୂତ କରିଥିଲା। ଏବେ ପୁଲିସ ତଦନ୍ତ ଅନୁଯାୟୀ, ଗତ ଏପ୍ରିଲ ୨୦ ତାରିଖରେ ବାପାଙ୍କୁ ମାଡ଼ମାରି ବଡ଼ ଭାଇ ମୃତ ରିଙ୍କୁ ଲହୁଲୁହାଣ କରିଥିଲେ। ସାନ ଭାଇ ପିଙ୍କୁ ବାପାଙ୍କୁ ନେଇ ବହୁ ଦିନ ଧରି ବୁର୍ଲାରେ ଚିକିତ୍ସା କରାଇବା ପରେ ଗତ ୧୦ ତାରିଖରେ ଘରକୁ ଆଣିଥିଲା।

publive-image

କିନ୍ତୁ ପୁଣି ରିଙ୍କୁ, ବାପା ଓ ମା’ଙ୍କୁ ଗାଳିଗୁଲଜ କରିବା ସହ ଆଗ ଭଳି ମାଡ଼ ମାରିବାକୁ ଧମକ ଦେଇଥିଲେ। ତେଣୁ ଗତ ୧୩ ତାରିଖ ରାତିରେ ବାପାଙ୍କୁ ବଲାଙ୍ଗୀର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଆଉ ୧୪ ତାରିଖ ଦିନବେଳା ଘର ଭିତରେ ରିଙ୍କୁକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ପିଙ୍କୁ। ହତ୍ୟା ପରେ ଟାଙ୍ଗିଆ ଓ ବ୍ଲେଡ୍‌ ସାହାଯ୍ୟରେ ଶବକୁ ଆଠଖଣ୍ଡ କରି ଏକ ବଡ଼ ବ୍ୟାଗ୍‌ରେ ପୂରାଇଥିଲା। କିନ୍ତୁ ବ୍ୟାଗ୍‌ର ଚେନ୍‌ ଖରାପ ଥିବାରୁ ଶବକୁ ବାହାରକୁ ଫୋପାଡ଼ିବା ପାଇଁ ନେଇ ନପାରି ଘରେ ତାଲା ପକାଇ ବାପାଙ୍କ ପାଖକୁ ହସ୍‌ପିଟାଲକୁ ଚାଲିଯାଇଥିଲା। ପୁନର୍ବାର ୧୫ ତାରିଖରେ ଛୋଟ ଛୋଟ ପଲିଥିନ ନେଇ ଘରକୁ ଆସିଥିଲା। କିନ୍ତୁ ଖରା ଦିନ ଯୋଗୁଁ ଶବରୁ ଦୁର୍ଗନ୍ଧ ବାହାରିବା ଆରମ୍ଭ ହୋଇଥିବାରୁ ଶବକୁ ଛାଡ଼ି ଚାଲିଯାଇଥିଲା।

ହତ୍ୟା ଅଭିଯୁକ୍ତ ପିଙ୍କୁ ପୁଲିସ ଆଗରେ ସିନ୍‌ ରିକ୍ରିଏସନ ସମୟରେ ପୂରା ଘଟଣା ସଂପର୍କରେ କହିଛି। କାହିଁକି ମାରିଲା? କେମିତି ମାରିଲା? କେଉଁଥିରେ ମାରିଲା? କେତେବେଳେ ମାରିଲା? ଆଉ ମାରିଲା ପରେ ଶବକୁ କାହିଁକ ଆଠଖଣ୍ଡ କଲା? ସବୁ ଗୋଟି ଗୋଟି ବର୍ଣ୍ଣନା କରିଛି। ବଡ଼ଭାଇକୁ ହତ୍ୟା କରିଥିଲେ ବି ସାନଭାଇ ମନରେ ଟିକିଏ ବି ଦୁଃଖ କି ଅନୁଶୋଚନା ନଥିବା ଦେଖାଯାଇଛି।