ବଲାଙ୍ଗୀରରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ! ହତ୍ୟାର ଧାରାବିବରଣୀ ଦେଲା ହତ୍ୟାକାରୀ

ଧାରୁଆ ଅସ୍ତ୍ରରେ ତଣ୍ଟି କାଟିଲେ, ପେଟ୍ରୋଲ୍‌ ଢାଳି ଜାଳିଲେ
ଶବ ଜଳୁଥିଲା ବେଳେ ଭିଡିଓ ଲାଇଭ୍‌ କରୁଥିଲେ

ବଲାଙ୍ଗୀର : କେମିତି ମାରିଲା? କାହାକୁ ମାରିଲା? କେଉଁ ଧାରୁଆ ଅସ୍ତ୍ରରେ ମାରିଲା? ଏସବୁ କେଉଁ ନାଟକର ସଂଳାପ ନୁହେଁ। ହତ୍ୟାକାଣ୍ଡ ଘଟାଇବା ସମୟରେ ଦୁଇ ଅପରାଧୀମାନଙ୍କର ଏହା ହେଉଛି ଲାଇଭ୍‌ କମେଣ୍ଟ୍ରି ବା ସିଧା ଧାରାବିବରଣୀ। ଏହି ଧାରାବିବରଣୀକୁ ବି ଭିଡିଓ କରାଯାଇଛି। ଏପଟେ ଲାଇଭ୍‌ ଭିଡିଓ, ସେପଟେ ଘଟଣାସ୍ଥଳରେ ହୁତୁ ହୁତୁ ହୋଇ ଜଳୁଛି ମୃତଦେହ। ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପିଜି ହଷ୍ଟେଲ ପଛପଟେ ଘଟିଥିବା ହତ୍ୟାକାଣ୍ଡ ଘଟଣାର ଏହି ଲାଇଭ୍‌ ଭିଡିଓ ଭାଇରାଲ୍‌ ହେବାପରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓକୁ ଯିଏ ବି ଦେଖୁଛନ୍ତି, ସେମାନେ ଆଶ୍ଚର୍ଯ୍ୟ ବି ହେଉଛନ୍ତି। ଅପରାଧପ୍ରବଣ ରାଜ୍ୟ ବିହାର କିମ୍ବା ଉତ୍ତରପ୍ରଦେଶ ଭଳି ଘଟଣା କ’ଣ ଆମ ରାଜ୍ୟରେ ସମ୍ଭବ, ଏହିଭଳି ଏକ ପ୍ରଶ୍ନ‌ରେ ବି ଛନ୍ଦି ହେଉଛନ୍ତି।

ଗତ ୨୩ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା। ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପଛପଟେ ତିନିବନ୍ଧୁ ବିଶ୍ୱଦେବ ସାହୁ, ଅମିତ ମନହୀରା ଓ ଶୁଭମ ସିଂହ ଏକା ସାଙ୍ଗରେ ଗଞ୍ଜେଇ ପିଇଥିଲେ। ତା’ପରେ ପୂର୍ବ ଯୋଜନା ମୁତାବକ ବିଶ୍ୱଦେବଙ୍କ ପଛପଟ ମୁଣ୍ଡରେ ସକ୍‌ଅପ୍‌ ରଡ୍‌ରେ ଆକ୍ରମଣ କରିଥିଲା ଅଭିଯୁକ୍ତ ଅମିତ। ତାକୁ ସହାୟତା କରିଥିଲା ଶୁଭମ୍‌। ଅଚେତ ହୋଇଯିବା ପରେ ଧାରୁଆ ଅସ୍ତ୍ରରେ ତଣ୍ଟି କାଟିଥିଲେ ଦୁହେଁ। କିନ୍ତୁ ଏତିକିରେ ମାନିନଥିଲା ମନ।

ପେଟ୍ରୋଲ ୩ଲିଟର କିଣି ଆଣିଥିଲେ। ଶବକୁ ବାଡ଼ ଆରପଟକୁ ଫିଙ୍ଗି ଦେଇ ପେଟ୍ରୋଲ ଢାଳି ପୋଡ଼ିଦେଇଥିଲେ। ଆଉ ପୂରା ଘଟଣାକୁ ଶୁଭମ ସୋସିଆଲ ମିଡିଆରେ ସେହିଦିନ ଲାଇଭ୍‌ କରିଥିବା ଜଣାପଡ଼ିଛି। ନିଜେ ସୁଟିଂ କରିଥିବା ଭିଜୁଆଲରେ ଶୁଭମ ଓ ଅମିତ ଚେହେରା ଦେଖାଦେଇଛି। ବିଶ୍ୱଦେବଙ୍କୁ କେମିତି ହତ୍ୟା କରି ପୋଡ଼ିଥିଲେ, ଦୁଇ ଅଭିଯୁକ୍ତ ତାହାର ପୂରା ଭିଡିଓ ସେମାନେ ଲାଇଭ୍‌ କରିଥିଲେ। ଏପରିକି ଆଉ ଜଣକୁ ଲାଇଭ୍‌ କରି ଚେତାବନୀ ବି ଦେଇଥିଲେ। ଭିଡିଓରେ ‘ଲାଇଭ୍‌ ମର୍ଡର୍‌’ର ପ୍ରତିଟି ମୁହୂର୍ତ୍ତକୁ ନିଜ ପାଟିରେ ଅଭିଯୁକ୍ତ କମେଣ୍ଟ୍ରି କରୁଥିବା ଦେଖିବାକୁ ମିଳିଛି। କେମିତି ମାରିଲା? କାହାକୁ ମାରିଲା? କେଉଁ ଧାରୁଆ ଅସ୍ତ୍ରରେ ମାରିଲା? ସବୁକିଛି ଡେମୋ କରୁଛି। ଆଉ ଘଟଣାସ୍ଥଳରେ ହୁତୁ ହୁତୁ ହୋଇ ଜଳୁଛି ବିଶ୍ୱଦେବଙ୍କ ମୃତଦେହ। ଖାଲି ସେତିକି ନୁହେଁ, ‘ ଗୁରୁ ଅବ୍‌ ତେରି ବାରି…’ ବୋଲି ଅଭିଯୁକ୍ତ କହୁଛି। ଏଠି ପ୍ରଶ୍ନ ଉଠୁଛି ଅଭିଯୁକ୍ତର ଟାର୍ଗେଟରେ ଆଉ କିଏ ? ପୁଲିସ ପ୍ରେମ୍‌ ପାଇଁ ମର୍ଡର୍‌ ବୋଲି କହୁଥିବାବେଳେ ଆଉ କିଛି କାରଣ ନିହାତି ଥାଇପାରେ। ନହେଲେ ଆଉ ଜଣଙ୍କୁ କାହିଁକି ଚେତାବନୀ ଦେଇଛନ୍ତି ଦୁଇ ଅଭିଯୁକ୍ତ? ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ, ଏଭଳି ଛାତିଥରା ଭିଡିଓ ଦେଖିବା ପରେ ମୃତ ବିଶ୍ୱଦେବଙ୍କ ପରିବାର ଲୋକ ଭୟଭୀତ ହୋଇଯାଇଛନ୍ତି। ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିସାରିଥିବା ବେଳେ ଉଭୟଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ପାଇଁ ମୃତ ବିଶ୍ୱଦେବଙ୍କ ମା’ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର