ସମ୍ବଲପୁର : ଗତମାସ ବରଗଡ଼-ନୂଆପଡ଼ା ନୂଆ ରେଳ ଲାଇନ୍ର ଫାଇନାଲ୍ ଲୋକେସନ୍ ସର୍ଭେ ପାଇଁ ମଞ୍ଜୁରି ମିଳିଥିଲା। ମାସେ ପରେ ଏବେ ବଲାଙ୍ଗୀର-ନୂଆପଡ଼ା (ବଲାଙ୍ଗୀର-ଲଖନା) ୧୦୦ କିଲୋମିଟର୍ ଲମ୍ବା ନୂତନ ରେଳପଥର ଫାଇନାଲ୍ ଲୋକେସନ୍ ସର୍ଭେ ପାଇଁ ରେଳବାଇ ବୋର୍ଡ ଅନୁମତି ଦେଇଛି। ଏଥିପାଇଁ ୨.୫ କୋଟି ଟଙ୍କାର ବ୍ୟୟ ଅଟକଳ ମଧ୍ୟ ମଞ୍ଜୁର ହୋଇଛି। ଗତ ୧ ତାରିଖରେ ଉପସ୍ଥାପିତ କେନ୍ଦ୍ରୀୟ ବଜେଟ୍ରେ ଏ ସଂପର୍କରେ ଉଲ୍ଲେଖ ନଥିଲେ ମଧ୍ୟ ୮ ତାରିଖରେ ରେଳବାଇ ବୋର୍ଡ ପକ୍ଷରୁ ପୂର୍ବତଟ ରେଳବାଇ ମହାପ୍ରବନ୍ଧକଙ୍କୁ ଏ ସଂକ୍ରାନ୍ତ ମଞ୍ଜୁରି ପତ୍ର ପଠାଯାଇଛି। ଅଶ୍ବିନୀ ବୈଷ୍ଣବ ରେଳମନ୍ତ୍ରୀ ଦାୟିତ୍ବ ନେବାପରେ ଓଡ଼ିଶାର ରେଳ ଭିତ୍ତିଭୂମିରେ ବିକାଶ ପାଇଁ ଦେଇଥିବା ପ୍ରତିଶ୍ରୁତି ସବୁ ପୂରଣ କରିବା ଦିଗରେ ନିଜ ପ୍ରୟାସ ଆରମ୍ଭ କରିଛନ୍ତି। ପ୍ରାରମ୍ଭିକ ସର୍ଭେରେ ସ୍ବଳ୍ପ ରେଟ୍ ଅଫ୍ ରିଟର୍ନ (ଅଣଲାଭପ୍ରଦ ପ୍ରକଳ୍ପ) କହା ଯାଇଥିଲେ ବି ଏହାର ଚୂଡ଼ାନ୍ତ ସର୍ଭେ ପାଇଁ ମଞ୍ଜୁରି ଏହି ପ୍ରୟାସର ପ୍ରତିଫଳନ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ପୂର୍ବତଟ ରେଳପଥ ସମ୍ବଲପୁର ମଣ୍ଡଳ ଅନ୍ତର୍ଗତ ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲା ଦେଇଯିବାକୁ ଥିବା ଏହି ୧୦୦ କିଲୋମିଟର୍ ଲମ୍ବା ଲାଇନ୍ ଏକ ଲିଙ୍କ୍ ଲାଇନ୍ର କାମ କରିବ। ଏହା ଖୋର୍ଧା ରୋଡ୍-ବଲାଙ୍ଗୀର ଲାଇନ୍କୁ ଟିଟିଲାଗଡ଼-ରାୟପୁର ମୁଖ୍ୟ ଲାଇନ୍ ସହ ଯୋଡ଼ିବ। ଏହି ରେଳ ସେକ୍ସନ ବଲାଙ୍ଗୀରରୁ ଆରମ୍ଭ ହୋଇ ନୂଆପଡ଼ା ପୂର୍ବରୁ ଲଖନା ଷ୍ଟେସନ୍ଠାରେ ଟିଟିଲାଗଡ଼-ରାୟପୁର ଲାଇନ୍ରେ ମିଶିବ। ଏହି ଲାଇନ୍ରେ ପଡ଼ିବାକୁ ଥିବା ଷ୍ଟେସନ୍ ଗୁଡ଼ିକ ହେଲା ବଲାଙ୍ଗୀର, ହରଡ଼ାଟାଲ, ଚୁଡ଼ାପାଲି, ଭଇଁଷା, ପାଟଣାଗଡ଼, ଗମ୍ଭାରୀ, ହରିଶଂକର ଓ ଲଖନା। ପ୍ରାଥମିକ ସର୍ଭେ ରିପୋର୍ଟ ଅନୁଯାୟୀ ଏହି ଲାଇନ୍ରେ ୮ଟି ଷ୍ଟେସନ୍, ୧୧ଟି ବୃହତ୍ ପୋଲ, ୧୯୯ଟି କ୍ଷୁଦ୍ର ପୋଲ, ୨ଟି ଲେଭେଲ୍ କ୍ରସିଂ ରହିବ। ଏହି ଲାଇନ୍ ପାଇଁ ଚାଷ ଜମି, ସଂରକ୍ଷିତ ଜଙ୍ଗଲ ଜମି, ଖୋଲା/ଘଞ୍ଚ ଜଙ୍ଗଲ ଜମି ଆଦି ମୋଟ ୭୯୬ ହେକ୍ଟର ଜମି ଆବଶ୍ୟକ ହେବ। ନିର୍ମାଣ ଖର୍ଚ୍ଚ (ଜମି ଖର୍ଚ୍ଚକୁ ବାଦ ଦେଇ) ୭୮୭.୩୪୪ କୋଟି ଟଙ୍କା ହେବ।
/sambad/media/post_attachments/wp-content/uploads/2022/02/railway.jpg)
ଉଲ୍ଲେଖଯୋଗ୍ୟ, ଓଡ଼ିଶାର ରାଜଧାନୀ ଭୁବନେଶ୍ବର ଓ ଛତିଶଗଡ଼ର ରାଜଧାନୀ ରାୟପୁର ମଧ୍ୟରେ ଦୂରତା ହ୍ରାସ ତଥା ଏକ ବୃହତ୍ ଅନୁନ୍ନତ ଅଞ୍ଚଳକୁ ରେଳ ସଂଯୋଗ ପ୍ରଦାନ ପାଇଁ ବରଗଡ଼-ନୂଆପଡ଼ା ଭଳି ବଲାଙ୍ଗୀର-ନୂଆପଡ଼ା ରେଳ ଲାଇନ୍ ନିର୍ମାଣ ନିମନ୍ତେ ବହୁ ଦିନରୁ ଦାବି ହୋଇ ଆସୁଥିଲା। ଏହାପରେ ରେଳ ବିଭାଗ ପକ୍ଷରୁ ଏହାର ପ୍ରାରମ୍ଭିକ ସର୍ଭେ କରା ଯାଇଥିଲା। ୨୦୧୪ ମାର୍ଚ୍ଚ ୨୪ ତାରିଖ ଦିନ ରେଳ ବୋର୍ଡ ନିକଟରେ ଦାଖଲ ହୋଇଥିବା ପ୍ରାରମ୍ଭିକ ସର୍ଭେ ରିପୋର୍ଟରେ ଏହି ପ୍ରକଳ୍ପର ରେଟ୍ ଅଫ୍ ରିଟର୍ନ ୮.୯୭% ମିଳିବ ବୋଲି ଦର୍ଶା ଯାଇଥିଲା। କୌଣସି ନୂଆ ପ୍ରକଳ୍ପ ପାଇଁ ଅତି କମ୍ରେ ୧୪% ରିଟର୍ନର ନିୟମ ଦୃଷ୍ଟିରୁ ରେଳ ବୋର୍ଡ ଏହି ପ୍ରକଳ୍ପ ନ ଆଗେଇବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଦୀର୍ଘ ୮ ବର୍ଷ ପରେ ପୁଣିଥରେ ଏହି ଫାଇଲ୍ ଖୋଲିଛି। ଓଡ଼ିଶାର ସାଂସଦ ଶ୍ରୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ମୃତପ୍ରାୟ ଏହି ପ୍ରକଳ୍ପକୁ ସଂଜୀବନୀ ମିଳିଛି। ଫାଇନାଲ୍ ଲୋକେସନ୍ ସର୍ଭେ ସହ ଏହି ପ୍ରକଳ୍ପ ସାକାର ରୂପ ନେବ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଆଶା ସଂଚାର ହୋଇଛି।
ଭୁବନେଶ୍ବରରୁ ରାୟପୁରକୁ ୧୫୦ କିଲୋମିଟର୍ କମିବ
ବଲାଙ୍ଗୀର-ନୂଆପଡ଼ା ନୂଆ ଲାଇନ୍ କାର୍ଯ୍ୟକାରୀ ହେଲେ ଓଡ଼ିଶାର ରାଜଧାନୀ ଭୁବନେଶ୍ବର ଓ ଛତିଶଗଡ଼ର ରାଜଧାନୀ ଭୁବନେଶ୍ବର ମଧ୍ୟରେ ଦୂରତା ପ୍ରାୟ ୧୫୦ କିଲୋମିଟର୍ ହ୍ରାସ ପାଇବ। ସେହିପରି ନୂଆପଡ଼ାରୁ ଭୁବନେଶ୍ବର ମଧ୍ୟରେ ଦୂରତା ମଧ୍ୟ ସେତିକି କମିଯିବ। ବର୍ତ୍ତମାନ ରେଳ ଯୋଗେ (ଏକ୍ସପ୍ରେସ୍) ଭୁବନେଶ୍ବରରୁ ରାୟପୁର ଯିବାକୁ ପ୍ରାୟ ୧୨ ଘଣ୍ଟା ସମୟ ଲାଗୁଥିଲାବେଳେ ଏହି ଲାଇନ୍ କାର୍ଯ୍ୟକାରୀ ହେଲେ ମାତ୍ର ୯ ଘଣ୍ଟା ଲାଗିବ। ଫଳରେ ସେହି ମାର୍ଗରେ ଆଗକୁ ପଡ଼ୁଥିବା ନାଗପୁର, ସିରିଡି, ନାସିକ୍, ମୁମ୍ବାଇ, ଭୋପାଲ ସମେତ ଗୁଜରାଟ ଓ ରାଜସ୍ଥାନର ବିଭିନ୍ନ ସହରକୁ ମଧ୍ୟ ଯାତ୍ରା ସମୟ ସେହି ଅନୁପାତରେ ହ୍ରାସ ପାଇବ। ବର୍ତ୍ତମାନ ଭୁବନେଶ୍ବରରୁ ରାୟପୁର ଯିବାକୁ ହେଲେ ଅନୁଗୁଳ, ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ଼, ଲଖନା, ନୂଆପଡ଼ା ହୋଇ ଯିବାକୁ ହେଉଛି ଯାହାର ଦୂରତା ପ୍ରାୟ ୬୯୦ କିମି। କିନ୍ତୁ ଉଭୟ ଖୋର୍ଧା-ବଲାଙ୍ଗୀର ତଥା ବଲାଙ୍ଗୀର-ନୂଆପଡ଼ା ଲାଇନ୍ କାର୍ଯ୍ୟକାରୀ ହେଲେ ଜଣେ ଭୁବନେଶ୍ବରରୁ ଖୋର୍ଧା ରୋଡ୍, ନୟାଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗୀର, ପାଟଣାଗଡ଼, ଲଖନା, ନୂଆପଡ଼ା ହୋଇ ରାୟପୁର ଯାଇ ପାରିବ। ଏହି ମାର୍ଗରେ ଭୁବନେଶ୍ବରରୁ ଖୋର୍ଧା ୨୦ କିମି, ଖୋର୍ଧାରୁ ବଲାଙ୍ଗୀର ୨୯୦ କିମି, ବଲାଙ୍ଗୀରରୁ ଲଖନା (ପ୍ରସ୍ତାବିତ ଲାଇନ୍) ୧୦୦ କିମି, ଲଖନାରୁ ରାୟପୁର ୧୩୦ କିମି ଏଭଳି ମୋଟ ୫୪୦ କିଲୋମିଟର୍ ପଡ଼ିବ। ଏତିକି ବାଟ ରେଳ ଯୋଗେ ଅତିକ୍ରମ ପାଇଁ ପ୍ରାୟ ୯ ଘଣ୍ଟା ସମୟ (ଘଣ୍ଟା ପିଛା ହାରାହାରି ୬୦ କିମି ଗତିରେ) ଲାଗିବ।