ରାସ୍ତା ପ୍ରଶସ୍ତିକରଣ ଓ ଉନ୍ନତିକରଣ ନାଁରେ ୩୨ କୋଟିର ଦୁର୍ନୀତି

ବଲାଙ୍ଗୀର-ପାଟଣାଗଡ଼-କଣ୍ଟାବାଞ୍ଜି ରାସ୍ତା କଦର୍ଯ୍ୟ

ପାଟଣାଗଡ଼: ଆଦିବାସୀ ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲାରେ ଗମନାଗମନର ସୁବିଧା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଛି। ହେଲେ ଜିଲ୍ଲାର ବଲାଙ୍ଗୀର-ପାଟଣାଗଡ଼-କଣ୍ଟାବାଞ୍ଜି ପ୍ରମୁଖ ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିକରଣ ନାଁରେ ଦୁର୍ନୀତି ହୋଇଥିବା ଏବେ ସାମନାକୁ ଆସିଛି। ଏହି ରାସ୍ତା ପାଇଁ ୩୨ କୋଟି ବ୍ୟୟ ବରାଦ ହୋଇଥି‌ବାବେଳେ କାମ ସରିବାର ୩ ବର୍ଷ ଭିତରେ ରାସ୍ତା ସମ୍ପୂର୍ଣ୍ଣ କଦର୍ଯ୍ୟ ହୋଇପଡିଥିବା ଏଭଳି ଦୁର୍ନୀତିକୁ ସ୍ପଷ୍ଟ କରୁଛି। ରାସ୍ତା ନିର୍ମାଣ ପରେ କିଛି ମାସ ପୂର୍ବରୁ ଯେଉଁ ପିଚୁ ପ୍ୟାଚିଂ କରାଯାଇଥିଲା ଅଧିକାଂଶ ସ୍ଥାନରେ ତାହା ଛାଡ଼ିଯାଇଛି। ଯଦି ପିଚୁ ଛାଡିଗଲା ତେବେ ରାସ୍ତା ପ୍ରଶାସ୍ତିକରଣ କିଭଳି ହୋଇଥିବା ତାକୁ ନେଇ ଏବେ ପ୍ରଶ୍ନ ଉଠିଥିବାବେଳେ ଏହି ରାସ୍ତା ତିଆରିରେ ବଡ ଧରଣର ଦୁର୍ନୀତି ହୋଇଥିବା ସନ୍ଦେହ ଦୃଢ଼ୀଭୂତ ହେବାରେ ଲାଗିଛି।

ବଲାଙ୍ଗୀର ଜିଲ୍ଲାର ପ୍ରମୁଖ ରାଜ୍ୟ ରାଜପଥ ମଧ୍ୟରୁ ବଲାଙ୍ଗୀର-ପାଟଣାଗଡ଼-କଣ୍ଟାବାଞ୍ଜି-ବଙ୍ଗୋମୁଣ୍ଡା-ଚାନ୍ଦୁତରାର ପ୍ରମୁଖତା ରହିଛି। ଏହି ରାସ୍ତାର ୩୬.୫୦୦ କିମିରୁ ୭୫.୦୦ କିମି ପର୍ଯ୍ୟନ୍ତ ପ୍ରାୟ ୩୯ କିମି ରାସ୍ତା ଉନ୍ନତିକରଣ ତଥା ପ୍ରଶସ୍ତିକରଣ ପାଇଁ ୨୦୧୬-୧୭ରେ ପାଖାପାଖି ୩୨ କୋଟି ( ୩୧ କୋଟି ୯୮ ଲକ୍ଷ ୯ ହଜାର ୧୧୨ ) ଟଙ୍କା ବ୍ୟୟ ବରାଦ ହୋଇଥିଲା। ଏହି ରାସ୍ତା କାମ ୨୦୧୯ ପର୍ଯ୍ୟନ୍ତ ସରି ନ ଥିଲା। ରାସ୍ତା କାମ ସରିବା ପରେ ପରେ ଏଥିରୁ ପରସ୍ତ ପରସ୍ତ ପିଚୁ ଛାଡ଼ିବା ଆରମ୍ଭ ହୋଇଥିଲା। ସମ୍ପୂର୍ଣ୍ଣ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇପଡିଥିଲା। ପରେ ଏହାର ମରାମତି ନାମରେ ଏବେ ପ୍ୟାଚିଂ ଚାଲିଛି। ଯେତେ ପ୍ୟାଚିଂ କଲେ ବି ଛାଡିଯାଉଛି। ତେଣୁ ଏହି ରାସ୍ତା କାର୍ଯ୍ୟ ନିମ୍ନମାନର ବୋଲି ଜାଣିବାକୁ ମିଳିଥିବାବେଳେ ରାସ୍ତାର ଭବିଷ୍ୟତ ନେଇ ପ୍ରଶ୍ନ ଉଠିଛି।

ପାଟଣାଗଡ଼ରୁ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ଏହି ୩୯ କିମି ରାସ୍ତାର ପ୍ରାୟ ୩୦ କିମି ସମ୍ପୂର୍ଣ୍ଣ କଦର୍ଯ୍ୟ ହୋଇପଡିଛି। ଏହି ରାସ୍ତା ସବୁବେଳେ ବ୍ୟସ୍ତ ବହୁଳ ରହୁଥିବା ବେଳେ ପ୍ରତ୍ୟହ ସହସ୍ରାଧିକ ଛୋଟବଡ ଗାଡି ଯାତାୟାତ କରୁଛି। ପାଟଣାଗଡ଼ ସହର ମଧ୍ୟ ଦେଇ ଯାଇଥିବା ଉକ୍ତ ରାସ୍ତା ସମ୍ପୂର୍ଣ୍ଣ ଖାଲ ଖମାରେ ଭର୍ତ୍ତି ହୋଇଛି। ଯାହାଦ୍ବାରା ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ପ୍ରତ୍ୟହ ଛୋଟବଡ ଦୁର୍ଘଟଣା ଘଟୁଛି।

ଏ ସମ୍ପର୍କରେ ବିଭିନ୍ନ ବ୍ୟକ୍ତି ତଥା ସଂଗଠନ ପକ୍ଷରୁ ବିଭାଗୀୟ ଅଧିକାରୀ ଓ ପ୍ରଶାସନକୁ ବାରମ୍ବାର ଅବଗତ କରାଯାଇଛି। ଏପରିକି ରାସ୍ତା ତିଆରି ସମୟରେ ମୁଖ୍ୟଯନ୍ତ୍ରୀଙ୍କଠାରେ ମଧ୍ୟ ଅଭିଯୋଗ ହୋଇଥିଲା। ଏହା ସତ୍ତ୍ବେ କୌଣସି ସୁଫଳ ମିଳି ନ ଥିଲା। କେହି ଏଥିପ୍ରତି ଦୃଷ୍ଟି ନଦେବାରୁ ରାସ୍ତାର ଅବସ୍ଥା ଆଜି ଏଭଳି ହୋଇଛି ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ଅଭିଯୋଗ ଉଠିଛି। ଠିକା ସଂସ୍ଥା ଓ ବିଭାଗୀୟ ଅଧିକରୀଙ୍କ ମଧ୍ୟରେ ସଲାସୁତରା ହୋଇ ରାସ୍ତା ନିର୍ମାଣରେ ବଡ ଧରଣର କେଳେଙ୍କାରୀ ହୋଇଥିବା ଉପରୋକ୍ତ ଅଭିଯୋଗରୁ ସୂଚନା ମିଳୁଛି। ତେଣୁ ଏ ଦିଗରେ ଉଚ୍ଚ ପଦାଧିକାରୀ ତଥା ବିଭାଗ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବି ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର