ବଲାଙ୍ଗୀର ପୁଲିସର ସ୍ପେସାଲ ଡ୍ରାଇଭ, ୨୦୦ ୱାରେଣ୍ଟି ଗିରଫ

୯ ବର୍ଷ ପରେ ଗିରଫ ଦୁଇ ହତ୍ୟା ଅଭିଯୁକ୍ତ, ଡକାୟତି ଓ ଦୁଷ୍କର୍ମ ଅଭିଯୁକ୍ତ ବି ଗିରଫ

ବଲାଙ୍ଗୀର : ୱାରେଣ୍ଟିମାନଙ୍କୁ ଧରିବାକୁ ବଲାଙ୍ଗୀର ଜିଲ୍ଲା ପୁଲିସ ଚଳାଇଥିଲା ଅପରେସନ। ସ୍ପେସାଲ ଡ୍ରାଇଭ କରି ପୁଲିସ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରୁ ୱାରେଣ୍ଟିଙ୍କୁ ଗିରଫ କରିଚାଲିଥିଲା। ଗତ ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଡ୍ରାଇଭରେ ମୋଟ ୨୦୦ ଜଣ ୱାରେଣ୍ଟିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଭିତରେ ଅଛନ୍ତି ଅନେକ ହାର୍ଡକୋର ଅପରାଧୀ। ଗତ ୯ ବର୍ଷ ପରେ ଉମରିଆ ଗାଁର ନୃପ ଗୁରାଣ୍ଡି ହତ୍ୟା ମାମଲାର ଫେରାର ଥିବା ଦୁଇ ଅଭିଯୁକ୍ତ ସୁଦାମ ଗୁରାଣ୍ଡି ଓ ପିଙ୍କୁ ପ୍ରଧାନଙ୍କୁ ପୁଲିସ ଗିରଫ କରିଛି।

ଗତ ୨୦୧୨ ମସିହା ଅଗଷ୍ଟ ୨୨ ତାରିଖରେ ପୁଇଁତଲା ଥାନା ଅନ୍ତର୍ଗତ ଉମରିଆ ଗାଁର ନୃପଙ୍କୁ ହତ୍ୟା କରାଯାଇଥିଲା। ଜମିବିବାଦକୁ ନେଇ ହତ୍ୟାକାଣ୍ଡ ହୋଇଥିଲା। ଉକ୍ତ ମାମଲାରେ ୪ ଜଣ ଅଭିଯୁକ୍ତଙ୍କ ସଂପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଥିଲା। ସେମାନଙ୍କ ଭିତରୁ ସେ ସମୟରେ ଦୁଇଜଣ ନାରାୟଣ ଗୁରାଣ୍ଡି ଓ ବାହାଦୁର ଗୁରାଣ୍ଡିଙ୍କୁ ପୁଲିସ ଗିରଫ କରିଥିଲା। ଏବେ ନାରାୟଣଙ୍କ ପୁଅ ସୁଦାମ ଓ ସଂପର୍କୀୟ ପିଙ୍କୁଙ୍କୁ ପୁଲିସ ଗିରଫ କରିଛି। ଠିକ୍‌ ସେହିପରି ୨୦୧୨ ମସିହାରେ ତୁରେକେଲା ଥାନା କୁଶପାଲି ଗାଁର ଏକ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଥିବା ରଘୁନାଥ ମାଝୀକୁ ପୁଲିସ ଗିରଫ କରିଛି। ଟିଟିଲାଗଡ଼ ଥାନାର ଏକ ଡକାୟତି ମାମଲାର ଅଭିଯୁକ୍ତ କୁର୍ଲାଭଟା ଗାଁର ଭରତ ନାଗକୁ ପୁଲିସ ଗିରଫ କରିଛି।

ପୁଲିସର ଏହି ସ୍ପେସାଲ ଡ୍ରାଇଭ ପରେ ୱାରେଣ୍ଟିଙ୍କ ଭିତରେ ଭୟର ମାହୋଲ ଦେଖାଦେଇଛି। ଏଭଳି ପ୍ରୟାସ ଜାରି ରହିଲେ ଆଗକୁ ବି ଅନେକ ଅପରାଧୀ ଧରାପଡ଼ି ଜେଲ ଯିବେ ଏଥିରେ ସନ୍ଦେହ ନାହିଁ। କିନ୍ତୁ ସଂଗିନ ମାମଲାଗୁଡ଼ିକରେ ପୁଲିସ କଣ ପାଇଁ ଏତେ ବର୍ଷ ଧରି ଅଭିଯୁକ୍ତମାନଙ୍କୁ ଧରୁନଥିଲା ତାକୁ ନେଇ ବି ପ୍ରଶ୍ନ ଉଠିଲାଣି। କାରଣ ଅନେକ ହାର୍ଡକୋର ଅପରାଧୀ ବର୍ଷ ବର୍ଷ ହେଲା ବାହାରେ ବୁଲୁଥିଲେ।

ସମ୍ବନ୍ଧିତ ଖବର