ବଲାଙ୍ଗୀର : ବଲାଙ୍ଗୀର ସଦର ବିଧାନସଭା ଆସନର ସ୍ବତନ୍ତ୍ରତା ସବୁବେଳେ ରହିଛି। ଏହି ଆସନରୁ ବିଜୟୀ ବିଧାୟକ ରାଜ୍ୟ ସରକାରଙ୍କ ମନ୍ତ୍ରିମଣ୍ଡଳରେ କେତେବେଳେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିଅନ୍ତି ତ ଆଉ କେତେବେଳେ ବିରୋଧୀ ଦଳକୁ ନେତୃତ୍ୱ ଦିଅନ୍ତି। ୨୫ ବର୍ଷ ଧରି ଏହି ଆସନରୁ ଅନଙ୍ଗ ଉଦୟ ସିଂହଦେଓ ପ୍ରତିନିଧିତ୍ବ କରିଥିଲେ। ସେ ଥିଲେ ରାଜ୍ୟ ରାଜନୀତିରେ ଜଣେ ଜଣାଶୁଣା ଚେହେରା। ତାଙ୍କ ପୂର୍ବରୁ ଏହି ଆସନରୁ ନିର୍ବାଚିତ ମହମ୍ମଦ ମୁଜାଫର ହୁସେନ ଖାନ କଂଗ୍ରେସ ସରକାରରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ଥିଲେ। ପୂର୍ବରୁ ଲୋଇସିଂହା ଓ ବିନିକା ଆସନରେ ପ୍ରତିନିଧିତ୍ୱ କରିଥିବା ନରସିଂହ ମିଶ୍ର ୨୦୧୪ରୁ ବଲାଙ୍ଗୀର ଆସନର ବିଧାୟକ। ପ୍ରଥମ ପାଳିରେ ବିରୋଧୀଦଳର ନେତା ଥିବା ବେଳେ ଦ୍ୱିତୀୟ ପାଳିରେ କଂଗ୍ରେସ ବିଧାୟକ ଦଳର ନେତା। କିନ୍ତୁ ଏବେ ବଲାଙ୍ଗୀର ବିଧାନସଭା ଆସନରେ ଚେହେରାକୁ ନେଇ ଚିତ୍ର ପ୍ରାୟତଃ ଅସ୍ପଷ୍ଟ।

Advertisment

୨୦୧୪ ନିର୍ବାଚନ ହାରିବା ପରେ ଆଉ ରାଜନୀତିରେ ସେତେଟା ସକ୍ରିୟ ନାହାନ୍ତି ବିଜେଡି ଭେଟରାନ ଅନଙ୍ଗ ଉଦୟ ସିଂହଦେଓ। ଆଗାମୀ ନିର୍ବାଚନରେ ନରସିଂହ ନିର୍ବାଚନ ଲଢ଼ିବାକୁ ନେଇ ଅନିଚ୍ଛା ପ୍ରକାଶ କଲେଣି। ଯଦିଓ ରାଜନୀତିରୁ ଅବସର ନେବେ ନାହିଁ ବୋଲି ଘୋଷଣା କରିଥିଲେ, ନିଜ ସ୍ୱାସ୍ଥ୍ୟକୁ ନେଇ ଅଧିକ ସେବା କରିବା ଅସମ୍ଭବ ବୋଲି ନରସିଂହ କହିଛନ୍ତି। ଇଏ ତ ଥିଲା ଭେଟରାନଙ୍କ କଥା। ୨୦୧୯ ମସିହାରେ ରାଜନୀତିରେ ଡେବ୍ୟୁ କରିଥିବା ବିଜେଡି ପ୍ରାର୍ଥୀ ଅର୍କେଶ ନାରାୟଣ ସିଂହଦେଓ ବି ମଇଦାନରୁ ଗାଏବ। ଅର୍କେଶ ନିଜ ପତ୍ନୀ ଅଦ୍ରିଜା ସିଂହଦେଓଙ୍କ ସହିତ ପାରିବାରିକ ସମସ୍ୟା ଯୋଗୁଁ ଆଉ ରାଜନୀତିରେ ସେତେଟା ସକ୍ରିୟ ନଥିବା କହାଯାଉଛି। ଅନ୍ୟପଟେ ୨୦୧୯ରେ ଜିଲ୍ଲା କଂଗ୍ରେସ ରାଜନୀତିରୁ ଡେବ୍ୟୁ କରି ସାଂସଦ ପ୍ରାର୍ଥୀ ହୋଇଥିବା ସମରେନ୍ଦ୍ର ମିଶ୍ର ଏବେ ବ୍ୟବସାୟିକ କାରଣରୁ ଅଧିକାଂଶ ସମୟ ଭୁବନେଶ୍ୱରରେ ରହୁଛନ୍ତି।

ଏ ସବୁ ଭିତରେ ବଲାଙ୍ଗୀର ବିଧାନସଭା ନିର୍ବାଚନମଣ୍ଡଳୀରୁ ସକ୍ରିୟ ଥିବା ଦୁଇଟି ଚେହେରାକୁ ନେଇ ଚର୍ଚ୍ଚା। ବିଜେଡିର ପୂର୍ବତନ ସାଂସଦ ତଥା ବର୍ତ୍ତମାନ ହାଉସିଂ ବୋର୍ଡର ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଏବଂ ବରିଷ୍ଠ ଓକିଲ ଅମରେନ୍ଦ୍ର ମିଶ୍ର ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଅଛନ୍ତି। ଯଦିଓ କଂଗ୍ରେସ ଦଳର କୌଣସି ଦଳୀୟ କାର୍ଯ୍ୟକ୍ରମରେ ସାମ୍ନାକୁ ଆସି ନାହାନ୍ତି ଅମରେନ୍ଦ୍ର, ବିଧାୟକ ବାପା ନରସିଂହଙ୍କ ସଂଗଠନର ଦାୟିତ୍ୱ ସମ୍ଭାଳି ଆସୁଛନ୍ତି। କଂଗ୍ରେସ କର୍ମୀଙ୍କୁ ଭେଟି ଦଳ ପାଇଁ ଯୋଜନା ବି ପ୍ରସ୍ତୁତ କରନ୍ତି। ଦଳୀୟ କର୍ମୀ ବି ସବୁ କଥା ଅମରେନ୍ଦ୍ରଙ୍କୁ ଜଣାନ୍ତି।

ଠିକ ସେମିତି, ବିଗତ ବର୍ଷମାନଙ୍କର କ୍ଷମତା କେନ୍ଦ୍ର ଶୈଲଶ୍ରୀ ପେଲେସରେ ଏବେ ଏକମାତ୍ର ଚେହେରା ଲାଲସାହେବ କଳିକେଶ ନାରାୟଣ ସିଂହଦେଓ। ନିୟମିତ ବ୍ୟବଧାନରେ ବଲାଙ୍ଗୀର ଆସୁଛନ୍ତି। ବିଧାୟକଙ୍କ ବିରୋଧରେ ଗର୍ଜନ ବି କରୁଛନ୍ତି। ଗଣମାଧ୍ୟମରେ ପ୍ରଶ୍ନ ବି ପଚାରୁଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଲୋକଙ୍କ ସହିତ ମିଶୁଛନ୍ତି। ତେଣୁ ଖାଲି ଥିବା ମୈଦାନରେ ଆଗାମୀ ଦିନରେ ମୁହାଁମୁହିଁ ହେବେ କି କଳିକେଶ ଓ ଅମରେନ୍ଦ୍ର? ଏଠାରେ ସୂଚନାଯୋଗ୍ୟ, ଅମରେନ୍ଦ୍ର ମିଶ୍ର ବିଧାୟକ ନରସିଂହ ମିଶ୍ରଙ୍କ ବଡ଼ ପୁଅ ହୋଇଥିବା ବେଳେ କଳିକେଶ ନାରାୟଣ ସିଂହଦେଓ ବିଜେଡି ଭେଟରାନ ଅନଙ୍ଗ ଉଦୟ ସିଂହଦେଓଙ୍କ ବଡ଼ ପୁଅ।

ଉପରକୁ ଏପରି ଏକ ସମୀକରଣ ଦେଖାଯାଉଥିଲେ ମଧ୍ୟ ବାସ୍ତବତାଠାରୁ ଏହା ଦୂରରେ ବୋଲି କିଛି ଜାଣିବାଣୁଣିବା ଲୋକ ମତ ଦିଅନ୍ତି। ଗତ ପୌର ନିର୍ବାଚନରେ ସହରରେ କଂଗ୍ରେସଠାରୁ ବିଜେଡି ପ୍ରାୟ ପନ୍ଦର ହଜାର ଅଧିକ ଭୋଟ୍ ପାଇଥିଲା। ତେଣୁ ଏଥର ଏହି ଆସନରୁ ଜିତିବା ସହଜ ଲାଗୁଥିବାରୁ ଲୋକସଭା ବଦଳରେ କଳିକେଶ ଏହି ବିଧାନସଭା ଆସନରୁ ଲଢ଼ିବାକୁ ଚାହିବେ। ହେଲେ ବିଜେଡି ଥିଙ୍କଟ୍ୟାଙ୍କ ସହ ତାଙ୍କ ଅସହଜ ଭାବ ଏଥିରେ ଅନ୍ତରାୟ ହେବାର ଆଶଙ୍କା ରହୁଛି। ଲୋକସଭା ଆସନ ପାଇଁ ବିଜୟ ସମ୍ଭାବନା ଥିବା ଅନ୍ୟ ଜଣେ ଗ୍ରହଣୀୟ ଚେହେରା ନମିଳିଲେ କଳିକେଶଙ୍କୁ ବିଧାନସଭା ଆସନ ଛାଡ଼ିବାକୁ ବିଜେଡି ରାଜି ହେବ ତ ବୋଲି ପ୍ରଶ୍ନ ଉଠୁଛି। ଅନ୍ୟପକ୍ଷରେ ବାପାଙ୍କ ପରି କଂଗ୍ରେସ ଟିକଟରେ ନିଜେ ଜିତିବା ସମ୍ଭାବନା କ୍ଷୀଣ ଜାଣି ଅମରେନ୍ଦ୍ର ବିଜେଡି ପ୍ରାର୍ଥୀ ହେବାକୁ ବାପାଙ୍କ ପତିଆରା ଉପଯୋଗ କରିବା ସମ୍ଭାବନାକୁ ସମ୍ପୂର୍ଣ୍ଣ ଏଡ଼ାଇ ହେବନାହିଁ ବୋଲି ମଧ୍ୟ ଆଲୋଚନା ହେଉଛି।