୪୪ ଡିଗ୍ରି ସହ ବଲାଙ୍ଗୀର ଉତ୍ତପ୍ତ ସହର, ରାଜ୍ୟର ୨୭ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ

ଭୁବନେଶ୍ବର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସକାଳ ୮ଟା ହେବା ମାତ୍ରେ ମୁଣ୍ଡ ଫଟା ଖରା ଆରମ୍ଭ ହୋଇଯାଉଛି। ପୂର୍ବ ଓଡ଼ିଶାରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖରାର ପ୍ରଭାବ ରହୁଥିବା ବେଳେ ଆଗ୍ୟନ୍ତର ଓଡ଼ିଶାରେ ଅପରାହ୍ନ ସାଢ଼େ ୫ଟା ପରେ ଯାଇ ଘରୁ ବାହାରିବା ସହଜ ହେଉଛି। ସ୍ଥାନୀୟ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି ୪୪ ଡ଼ିଗ୍ରି ତାତି ସହ ବଲାଙ୍ଗୀର ରାଜ୍ୟର ଉତ୍ତପ୍ତ ସହର ଭାବେ ତାପମାତ୍ରା ରେକର୍ଡ କରାଯାଇଛି। ରାଜ୍ୟର ୨୭ଟି ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରି କିମ୍ବା ଅଧିକ ରେକର୍ଡ ହୋଇଛି। ସେହିଭଳି ୧୬ଟି ସହରରେ ୪୨ ଡ଼ିଗ୍ରି କିମ୍ବା ଅଧିକ ରେକର୍ଡ ହୋଇଥିବା ବେଳେ ୮ଟି ସହରରେ ୪୩ ଡ଼ିଗ୍ର କିମ୍ବା ଅଧିକ ତାପମାତ୍ରା ରେକର୍ଡ କରାଯାଇଛି।

 

ଆଗାମୀ ୫ଦିନ ରାଜ୍ୟର ଅନେକ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏଥିପାଇଁ ଅନେକ ଜିଲ୍ଲାକୁ ଭୁବ‌ନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଆସନ୍ତା ୨୪ ଘଣ୍ଟା ପାଇଁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ଅନୁଗୁଳ, ସୁବର୍ଣ୍ଣପୁର,ବୌଦ୍ଧ, କଟକ, ନୟାଗଡ଼ ଓ ଖୋର୍ଧା ରହିଛି। ଏହି ଗ୍ରୀଷ୍ମ ପ୍ରବାହ ସମୟରେ ନବଜାତ, ବୃଦ୍ଧ ଓ ଅସୁସ୍ଥ ଲୋକଙ୍କ ଅଧିକ ଯତ୍ନ ନେବାକୁ ହେବ। ଜରୁରୀ ନଥିଲେ ଦିନ ୧୧ରୁ ୩ଟା ପର୍ଯ୍ୟନ୍ତ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି।

ସେହିପରି ଏପ୍ରିଲ ୨୬ରୁ ୨୭ ତାରିଖ ମଧ୍ୟରେ ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ବଲାଙ୍ଗୀର ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଏପ୍ରିଲ ୨୭ରୁ ୨୮ ତାରିଖ ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗୀର, ଅନୁଗୁଳ ଓ ବୌଦ୍ଧ ଆଦି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ହେତୁ ୟେଲୋ ୱାର୍ଣ୍ଣିଂ କରାଯାଇଛି।  ଏଥିସହିତ ଏପ୍ରିଲ ୨୯ରୁ ୩୦ ତାରିଖ ମଧ୍ୟରେ ବଲାଙ୍ଗୀର, ଖୋର୍ଧା, ସୁବର୍ଣ୍ଣପୁର, ବୌଦ୍ଧ ଓ ନୂଆପଡ଼ା ଆଦି ଜିଲ୍ଲାକୁ ବି ଗ୍ରୀଷ୍ମ ପ୍ରବାହ ପାଇଁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସମ୍ବନ୍ଧିତ ଖବର