ବଲାଙ୍ଗୀର: ବଲାଙ୍ଗୀର ଶୀତଳଷଷ୍ଠୀ ମହୋତ୍ସବରେ ଶୈବ ପୀଠରୁ ପୂଜା ମଣ୍ଡପ ସବୁଠି ଭକ୍ତଙ୍କ ଭିଡ଼। ବୁଧବାର ମାନବୀୟ ରୀତିନୀତିରେ ବରଯାତ୍ରୀ ଶୋଭାଯାତ୍ରାରେ ବାହାରିଥିଲେ ଦେବଦମ୍ପତି। ବିଳମ୍ବିତ ରାତିରେ ସମ୍ପନ୍ନ ହେଲା ଶିବ-ପାର୍ବତୀଙ୍କ ବାହାଘର। ଗୁରୁବାର ଦେବଦମ୍ପତିଙ୍କ ଯୁଗଳ ଦର୍ଶନ କରୁଛନ୍ତି ଭକ୍ତ। ବଲାଙ୍ଗୀର ସହର ଭିତରେ ଜମୁଛି ଶୀତଳଷଷ୍ଠୀ ଯାତ୍ରା। ବଲାଙ୍ଗୀର ସହରର ସାଗରପଡ଼ାରୁ ବାହାରିଥିଲା ବାଳୁଙ୍କେଶ୍ଵର ବାବାଙ୍କ ବରାତି ଶୋଭାଯାତ୍ରା। ପ୍ୟାଲେସ ଲାଇନ ଦୁର୍ଗା ମଣ୍ଡପରେ ବିବାହ ସଂପନ୍ନ ହୋଇଥିଲା ଏବଂ ଦେବ ଦମ୍ପତି ଯୁଗଳ ଦର୍ଶନ ଦେଇଥିଲେ।
ସେହିପରି ସାଲେପାଲି ଟାଙ୍ଗେଶ୍ୱର ବାବାଙ୍କ ବିବାହ ପରେ ଯୁଗଳ ଦର୍ଶନ ଦେଇଥିଲେ। କଂସାରିପଡ଼ାରୁ ଚନ୍ଦ୍ରଶେଖର ବାବା ରାଧାରାଣୀ ପଡ଼ାକୁ ଯାଇ ସେଠାରେ ଯଗୁଳ ଦର୍ଶନ ଦେଇଥିଲେ। ଗାନ୍ଧୀନଗର ପଡ଼ାରୁ ଲୋକନାଥ ବାବା ସୁଦପଡ଼ାକୁ ଯାଇ ସେଠାରେ ବିବାହ ପରେ ଯୁଗଳ ଦର୍ଶନ ଦେଇଥିଲେ। ଏ.ବି.ଏସ୍.ଏସ୍. ପଡ଼ାରୁ ସିଦ୍ଧେଶ୍ୱର ବାବାଙ୍କ ବରାତି ଶୋଭାଯାତ୍ରା ବାହାରି ମାଲପଡ଼ା ପହଞ୍ଚିଥିଲା। ସେଠରେ ବିବାହ ପରେ ଯୁଗଳ ଦର୍ଶନ ଦେଇଥିଲେ। ସହରରେ ଛୋଟ ବଡ଼ ପ୍ରାୟ ୧୦ଟି ସ୍ଥାନରେ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେଉଛି।