ବଲାଙ୍ଗୀର : ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କର ସଂପୃକ୍ତି ଅଭିଯୋଗ କରିବା ସହ ତାଙ୍କ ବହିଷ୍କାର ଦାବିରେ ଆନ୍ଦୋଳନ ତେଜିଛି। ବଲାଙ୍ଗୀର ଜିଲ୍ଲା ସାରା ଗୁରୁବାର ବିଜେପି ପକ୍ଷରୁ ବନ୍ଦ ପାଳନ କରାଯାଇଛି। ବିଜେପିର ୧୨ ଘଣ୍ଟିଆ ବନ୍ଦ ଡାକରା ସଫଳ ହୋଇଛି। ଜିଲ୍ଲାର ବଲାଙ୍ଗୀର, ପାଟଣାଗଡ଼, ଟିଟିଲାଗଡ, କଣ୍ଟାବାଞ୍ଜି, ତୁରେକେଲା, ସଇନ୍ତଳା, ତୁଷୁରା, ଲୋଇସିଂହା, ଆଗଲପୁର ଆଦି ଅଞ୍ଚଳରେ ବନ୍ଦ ସଫଳ ହୋଇଛି। ଦୋକାନବଜାର, ଯାନବାହନ ଚଳାଚଳ, କୋର୍ଟକଚେରି, ବ୍ୟାଙ୍କ, ବୀମା ଓ ସରକାରୀ କାର୍ଯ୍ୟାଳୟ ସଂପୂର୍ଣ୍ଣ ବନ୍ଦ ରହିଥିବା ଦେଖାଯାଇଥିଲା।

Advertisment

publive-image

ସକାଳୁ ସକାଳୁ ବିଜେପିର ନେତା କର୍ମୀମାନେ ସହରରେ ପିକେଟିଂ ଆରମ୍ଭ କରିଥିଲେ। ସବୁ ଅଫିସ ବନ୍ଦ କରାଇଥିଲେ। ବନ୍ଦ ଶାନ୍ତିପୂର୍ଣ୍ଣ ଓ ସ୍ୱତଃପ୍ରବୃତ୍ତ ଥିବା ଲକ୍ଷ୍ୟ କରାଯାଇଥିଲା। ଜିଲ୍ଲାର ଜଣେ ଯୁବତୀଙ୍କୁ ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ ସ୍କୁଲର ସଭାପତି ଗୋବିନ୍ଦ ସାହୁ ଷଡ଼୍‌ଯନ୍ତ୍ରକରି ଅପହରଣ ପରେ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଛି। ଗୋବିନ୍ଦ ସହିତ ଜୁନାଗଡ଼ ବିଧାୟକ ତଥା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ସଂପର୍କ ଥିବା ନେଇ ବିଜେପି ଅଭିଯୋଗ ଉଠାଇଛି। ମନ୍ତ୍ରୀ ବାରବାର କଲେଜକୁ ଯିବାଆସିବା କରୁଥିଲେ ଏବଂ ସେଠାରେ ସେକ୍ସ ସ୍କାଣ୍ଡାଲରେ ସେ ବି ଲିପ୍ତ ଥିଲେ ବୋଲି ବିଜେପି କର୍ମୀ ଅଭିଯୋଗ କରିଛନ୍ତି। ଆଜି ଦଳର ବରିଷ୍ଠ ନେତା ଶଶିଭୂଷଣ ଶତପଥୀ, ପ୍ରଭାସ ପାଣିଗ୍ରାହୀ, ସୁରମ୍ୟ ମିଶ୍ର, ଗୋପାଳଜୀ ପାଣିଗ୍ରାହୀ, ଅନନ୍ତ ଦାସ, ଉପସଭାପତି ରାକେଶ ମିଶ୍ର, ପୀତାମ୍ବର ଖମାରୀ, ଚିତ୍ତ ମିଶ୍ର, ଦୀନେଶ ଶର୍ମା, ଆରତୀ ଗୁରୁ, ସୁନୀଳ ମିଶ୍ର, ରଶ୍ମିରେଖା ଦାନୀ, ବନଶ୍ରୀ ଆଚାର୍ଯ୍ୟ, ଅନୁସୟା ବେଜ, ଛନ୍ଦାରାଣୀ ନାଏକ, ସରିତା ଯୋଷୀ, ଅନୀତା ମିଶ୍ର, ରାଜକିଶୋର ନାଏକ ପ୍ରମୁଖଙ୍କ ନେତୃତ୍ୱରେ ପିକେଟିଂ କରାଯାଇ ବଲାଙ୍ଗୀର ସହରରେ ବନ୍ଦ ପାଳନ କରାଯାଇଥିଲା। ଜିଲ୍ଲାରେ ସମସ୍ତ ଘରୋଇ ବସ, ଟ୍ରକ ଓ ଅନ୍ୟାନ୍ୟ ଚାରିଚକିଆ ଯାନ ବନ୍ଦ ରହିଥିବା

ଦେଖାଯାଇଥିଲା। ମୋଟ ଉପରେ ଜିଲ୍ଲା ସଂପୂର୍ଣ୍ଣ ଠପ୍‌ ହୋଇ ବଲାଙ୍ଗୀର ବନ୍ଦ ସଫଳ ହୋଇଛି। ବିଜେପି ଅଭିଯୋଗ କରିଛି ଯେ ଅଭିଯୁକ୍ତ ଗୋବିନ୍ଦକୁ ମନ୍ତ୍ରୀ ଅହେତୁକ ଅନୁକମ୍ପା ଓ ଅନୁଗ୍ରହ ଦେଖାଉଥିଲେ। ତାର ମୁଖ୍ୟ କାରଣ ଗୋବିନ୍ଦର କଳାକାରନାମାକୁ ପ୍ରୋତ୍ସାହିତ କରୁଥିଲେ। ମମିତା ପାଖରେ ନିହାତି ମନ୍ତ୍ରୀ ଓ ତାଙ୍କ ସାଥୀ ଗୋବିନ୍ଦଙ୍କ କଳାକାରନାମାର କିଛି ତଥ୍ୟ ରହିଥିଲା। ଯାହାକୁ ନେଇ ଉଭୟ ମନ୍ତ୍ରୀ ଓ ଗୋବିନ୍ଦ ଭୟଭୀତ ହୋଇ ମମିତାଙ୍କୁ ଷଡ଼୍‌ଯନ୍ତ୍ର କରି ରାସ୍ତାରୁ ହଟାଇ ଦେଇଛନ୍ତି। ଗୃହ ରାଷ୍ଟ୍ରମନ୍ତ୍ରୀ ଥିବା ପର୍ଯ୍ୟନ୍ତ ତଦନ୍ତ ନିରପେକ୍ଷ ହେବ ନାହିଁ। ଏଣୁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ଦାବି କରିଛି।