ବଲାଙ୍ଗୀରରେ ବଦଳୁନି ଚିତ୍ର, ଭାଇରାଲ୍ ଭିଡିଓରେ ଭିଏଡବ୍ଲୁଙ୍କ କାରନାମା

ବଲାଙ୍ଗୀର : ଦୁଇ ହଜାର ଟଙ୍କା ସହାୟତା ପାଇଁ ଦୁଇ ଶହ ଟଙ୍କା, ପାଞ୍ଚ ହଜାର ପାଇଁ ପାଞ୍ଚ ଶହ। ତା’ଠାରୁ ଅଧିକ ଟଙ୍କା ଦେଇ ପାରିଲେ ୧୦ ହଜାର ଟଙ୍କା ସହାୟତା ପାଇବେ। ବନ୍ୟା କ୍ଷତିଗ୍ରସ୍ତଙ୍କଠାରୁ ଏମିତି ଭାବେ ଲାଞ୍ଚ ନେଉଥିଲେ ପୁଇଁନ୍ତଲା ବ୍ଲକ ଭିଏଡବ୍ଲୁ ଶୁଭେନ୍ଦୁ ବେହେରା। ଶ୍ରୀ ବେହେରା ନିଜ ଘରେ କାର୍ଯ୍ୟାଳୟ ଖୋଲି ଚାଷୀଙ୍କ ସହ ମୂଲଚାଲ କରିବା ଭିଡିଓ ଲୋକଲୋଚନକୁ ଆସିଛି। ଭିଡିଓରେ ସେ ଚାଷୀ କେତେ ଟଙ୍କା ଲାଞ୍ଚ ଦେଲେ କେତେ ଟଙ୍କା ପାଇବେ ବୁଝାଉଛନ୍ତି। ଘଟଣା ଜିଲ୍ଲାପାଳଙ୍କ ନଜରକୁ ଆସିବା ପରେ ଆଜି ତାଙ୍କୁ ନିଲମ୍ବିତ କରାଯାଇଛି। ଏହାସହ ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ବନ୍ୟାରେ ହଜାର ହଜାର ହେକ୍ଟର ଜମିର ଫସଲ ନଷ୍ଟ ହୋଇଛି। ଗରିବ ଲୋକଙ୍କ ଘରଦ୍ୱାର ବି ଭାଙ୍ଗିଯାଇଛି। ଏହାରି ଭିତରେ ସରକାରୀ ସହାୟତା ପାଇଁ ଆରମ୍ଭ ହୋଇଛି ଯାଞ୍ଚ ପ୍ରକ୍ରିୟା। ଅଧିକାରୀମାନେ ସରକାରଙ୍କୁ ରିପୋର୍ଟ ଦେଲେ ଟଙ୍କା ଆକାଉଣ୍ଟଗୁଡ଼ିକରେ ଜମା ହେବ। ବନ୍ୟା କ୍ଷୟକ୍ଷତି ଆକଳନ ପ୍ରକ୍ରିୟାରେ ଭିଏଡବ୍ଲୁ ଶ୍ରୀ ବେହେରା ଲାଞ୍ଚ ମାଗୁଥିବା ଭିଡିଓ ସାମ୍ନାକୁ ଆଣିଛନ୍ତି ଜଣେ ଚାଷୀ। ଶ୍ରୀ ବେହେରା ଛତାପିପଲ ପଂଚାୟତରେ ନିଯୁକ୍ତ ହୋଇଥିବା ବେଳେ ଆଉ ଦୁଇଟି ନିକଟସ୍ଥ ପଂଚାୟତ ଦାୟିତ୍ୱରେ ମଧ୍ୟ ରହିଛନ୍ତି। ଘରେ ମଧ୍ୟ ଶ୍ରୀ ବେହେରା ଏକ କାର୍ଯ୍ୟାଳୟ ଖୋଲି ଚାଷୀମାନଙ୍କୁ ଡାକି ମୂଲଚାଲ କରୁଛନ୍ତି। ଏବେ ଗତ ଅଗଷ୍ଟ ବନ୍ୟାର ହିସାବକିତାବ ସବୁ ଚାଲିଛି। ଜଣେ ସଚେତନ ଚାଷୀ ଭାବରେ ଉତ୍ତରବାହାଲ ଗାଁର ଚାଷୀ ନାରାୟଣ ଅମାତ ଭିଏଡବ୍ଲୁଙ୍କ କାରନାମା ସବୁର ଭିଡିଓ ରେକର୍ଡିଂ ନିଜ ମୋବାଇଲରେ କରିଥିଲେ।

ଆଜି ଭିଡିଓ ଲୋକଲୋଚନକୁ ଆସିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଚାଷୀ ନାରାୟଣଙ୍କ କହିବାନୁସାରେ, ତାଙ୍କ ଗାଁ ସହ ପଂଚାୟତର ସବୁ ଗାଁର ଚାଷୀଙ୍କଠାରୁ ସେ ଲାଞ୍ଚ ନେଉଛନ୍ତି। ଯିଏ ଲାଞ୍ଚ ନ ଦେଲେ ତାଙ୍କୁ କ୍ଷତିପୂରଣ ସହାୟତାରେ ସାମିଲ ମଧ୍ୟ କରାଯାଉ ନାହିଁ। ସେ ଭିଏଡବ୍ଲୁଙ୍କ ନିକଟକୁ ଯିବା ପରେ ତାଙ୍କୁ ମଧ୍ୟ ଭିଏଡବ୍ଲୁ ଅନ୍ୟ ଚାଷୀଙ୍କ ଭଳି ଟଙ୍କା ଧରି ଆସିବାକୁ କହିଥିଲେ। ଯାହାକୁ ସେ ନିଜ ମୋବାଇଲରେ ରେକର୍ଡ କରିଥିବା କହିଛନ୍ତି। ଭିଡିଓଟି ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କ ନଜରକୁ ଆସିବା ପରେ ଭିଏଡବ୍ଲୁ ଶ୍ରୀ ବେହେରାଙ୍କୁ ନିଲମ୍ବିତ କରାଯାଇଛି। ଜିଲ୍ଲା କୃଷି ଉପନିର୍ଦ୍ଦେଶକ ଶ୍ରୀଧର ବେହେରାଙ୍କୁ ଯୋଗାଯୋଗ କରିବାରୁ କହିଛନ୍ତି, ଏଭଳି ଘଟଣା ଦୁର୍ଭାଗ୍ୟଜନକ। ଘଟଣାର ସବିଶେଷ ତଦନ୍ତ କରାଯିବ। ଏବେ ନିଲମ୍ବନ କରାଯାଇଛି। ତଦନ୍ତ ପରେ ପ୍ରମାଣକୁ ଭିତ୍ତିକରି ବହିଷ୍କାର ମଧ୍ୟ କରାଯିବ ବୋଲି ସେ କହିଛନ୍ତି।

ଲାଞ୍ଚ କାରବାର ଭିଡିଓର ଲମ୍ବା ତାଲିକା
ବଲାଙ୍ଗୀର ଜିଲ୍ଲାରେ ଅଧିକାରୀମାନଙ୍କ ପିସି କାରବାର ଭିଡିଓ ଲୋକଲୋଚନକୁ ଆସିବା ଘଟଣା ପ୍ରଥମ ନୁ‌େହଁ। ନିକଟରେ ଏଭଳି ଅନେକ ଘଟଣା ଘଟିଗଲାଣି। ବିନା ଲାଞ୍ଚରେ ଜିଲ୍ଲାରେ ଫାଇଲ ଆଗକୁ ଯାଉନି। ପୁଇଁନ୍ତଲା ବ୍ଲକର ଜେଇ ସତ୍ୟନାରାୟଣ ତ୍ରିପାଠୀଙ୍କ କାରନାମା ବିଗତ ଦିନରେ ସାମ୍ନାକୁ ଆସିଥିଲା। କ୍ୟାମେରାରେ କଏଦ ଚିତ୍ର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଚେଇଁଥିଲା ଜିଲ୍ଲା ପ୍ରଶାସନ। ତଦନ୍ତ ହୋଇଥିଲା ଓ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ ହୋଇଥିଲା। ସେହିପରି ପାଟଣାଗଡ଼ ବ୍ଲକ କାର୍ଯ୍ୟାଳୟରେ ଜେଇ ମହେଶଲାଲ ଅଗ୍ରୱାଲ ସିଗାରେଟ ଟାଣି ପିସି କାରବାର ନେଇ ଖୋଲା ଆଲୋଚନା କରିବା ଭିଡିଓ ସାମ୍ନାକୁ ଆସିଥିଲା। ଏହା ପରେ ତାଙ୍କୁ ବଦଳି ହୋଇଥିଲା। ଉଭୟ ଘଟଣାରେ ସତ୍ୟତା ଥିବା ବେଳେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ ହୋଇଥିଲା। ସେହିପରି ଦୁଇ ଦିନ ତଳେ କଣ୍ଟାବାଞ୍ଜିର ଜଣେ ହାବିଲଦାର ଟ୍ରକ୍‌ ଚାଳକଙ୍କ ପାଖରୁ ଟଙ୍କା ମାଗିବା ଘଟଣାର ଭିଡିଓ ଲୋକଲୋଚନକୁ ଆସିଥିଲା। ଏଭଳି ଅନେକ ଘଟଣାର ଭିଡିଓ ଗୋଟିଏ ପରେ ଗୋଟିଏ ଆସିବା ପରେ ଜିଲ୍ଲାରେ ୫-ଟି କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର