ବୋଲେରୋ ଧକ୍କାରେ ବାଇକ ଜଳିଯିବା ଘଟଣା : ବାପା-ପୁଅ ପରେ ହସ୍ପିଟାଲରେ ଆଖି ବୁଜିଲେ ମା’
କ୍ଷତିପୂରଣ ଦାବିରେ ପରିିବାର ଲୋକଙ୍କ ଟାୟାର ଜାଳି ରାସ୍ତାରୋକ
ଗୁଡ଼ଭେଲା: ତୁଷୁରା ଥାନା ଜମ୍ଭେଲ ଛକର ମିଶ୍ର ଢ଼ାବା ନିକଟରେ ହୋଇଥିବା ବାଇକ-ବୋଲେରୋ ଦୁର୍ଘଟଣାରେ ଘଟଣାସ୍ଥଳରେ ବାପା ଓ ପୁଅଙ୍କ ମୃତ୍ୟୁ ହୋଇଥିଲା। ବାଇକ ଆରୋହୀ ତରଣୀସେନ ବିଶି(୩୭ବର୍ଷ) ଓ ବଡ଼ପୁଅ ଶମ୍ଭୁ ବିଶି (୪ବର୍ଷ)ଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ନିକିତା ବିଶି (୩୫ବର୍ଷ) ଓ ସାନପୁଅ ସୋମ ବିଶି (୪ ମାସ)ଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ତୁଷୁରା ଓ ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ଚିକିତ୍ସାଧୀନ ଅବସ୍ଥାରେ ନିକିତା ବିଶିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଏହି ଘଟଣାକୁ ନେଇ ଡାକ୍ତରଖାନା ସମ୍ମୁଖରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ଟାୟାର ଜାଳି ତୁଷୁରା-ଗୁଡ଼ଭେଲା ରାସ୍ତା ଉପରେ ଆନ୍ଦୋଳନ କରିଛନ୍ତି ପରିବାର ଲୋକେ। ପରିବାର ଲୋକଙ୍କ ସହ ସ୍ଥାନୀୟ ଲୋକ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଧକ୍କା ଦେଇଥିବା ଗାଡିଟି ତୁଷୁରା ଡାକ୍ତରଖାନାରେ କୋଭିଡ ଡ୍ୟୁଟିରେ ଲାଗିଥିବା ସୂଚନା ମିଳିଛି।
ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲା କରଳାମୁଣ୍ଡା ବ୍ଲକ ରିଷିଡା ଗାଁର ତରଣୀସେନ ବିଶି(୩୫) ସ୍ତ୍ରୀ ନିକିତା ବିଶି (୨୮),ବଡ଼ପୁଅ ଶମ୍ଭୁ ବିଶି (୪ବର୍ଷ) ଏବଂ ସାନପୁଅ ସୋମ ବିଶି (୪ ମାସ)ଙ୍କ ସହ ତୁଷୁରାରୁ ଏକ ବାଇକ ଯୋଗେ ଘରକୁ ଫେରୁଥିଲେ | ଫେରିବା ବେଳେ ଡାହିମାଳ- କଳାହାଣ୍ଡି ରାସ୍ତାର ଜମ୍ଭେଲ ଛକ ନିକଟ ମିଶ୍ର ଢାବା ସମ୍ମୁଖରେ ସାମ୍ନାପଟରୁ ଆସୁଥିବା ବୋଲେରୋ (ଓଡି ୧୭ ସି ୬୭୬୭) ସହ ତାଙ୍କ ବାଇକ୍ର ଧକ୍କା ହୋଇଥିଲା। ଦୁର୍ଘଟଣାରେ ଘୋଷାଡ଼ି ହୋଇ ବାଇକ୍ରେ ନିଆଁ ଲାଗି ଯିବା ଦେଖି ବୋଲେରୋ ଚାଳକ ଘଟଣାସ୍ଥଳରୁ ଫୋରାର ହୋଇଯାଇଥିଲା।
ଖବର ପାଇ ତୁଷୁରା ପୁଲିସ ଓ ଗୁଡ଼ଭେଲା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଭୟ ବିଭାଗର ଗାଡ଼ିରେ ସେମାନଙ୍କୁ ତୁଷୁରା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତରଣୀସେନ ଓ ଶମ୍ଭୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସଂକଟାପନ୍ନ ଥିବା ନିକିତା ଓ ସୋମଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ସେଠାରେ ନିକିତାଙ୍କ ମୃତ୍ୟୁ ଘଟିଛି।