ଭୁବନେଶ୍ବର: ବଲାଙ୍ଗୀର ଜିଲ୍ଲା ଆଜି ରାଜ୍ୟର ଉତ୍ତପ୍ତ ପିଣ୍ଡ ପାଲଟିଥିଲା। ଜିଲ୍ଲାର ଦୁଇ ସହର ବଲାଙ୍ଗୀର ଓ ଟିଟିଲାଗଡ଼ ତାପମାତ୍ରା ୪୫ ଡିଗ୍ରି ଅତିକ୍ରମ କରିଯାଇଥିଲା। ବଲାଙ୍ଗୀରରେ ୪୫.୩ ଡିଗ୍ରି ଓ ଟିଟିଲାଗଡ଼ରେ ୪୫.୨ଡିଗ୍ରି ରେକର୍ଡ ହୋଇଛି। ଏହା ପଛକୁ ବୌଦ୍ଧ (୪୪ ଡିଗ୍ରି), ଭବାନୀପାଟଣା (୪୩.୫ ଡିଗ୍ରି) ଓ ମାଲକାନଗିରି (୪୩ ଡିଗ୍ରି) ରହିଥିଲା। ଆଜି ରାଜ୍ୟର ୧୫ ସହର ୪୦ଡିଗ୍ରି ଉପରେ ରହିଥିଲା। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଆସନ୍ତାକାଲି ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୋନପୁର, କଳାହାଣ୍ଡି, ନୂଆପଡ଼ା ଓ ବୌଦ୍ଧ ଆଦି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମ୍ଭାବନା ଥିବାରୁ ଏହି ୭ ଜିଲ୍ଲା ପାଇଁ ହିଟ୍-ୱେଭ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ୧୧ ତାରିଖଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହୋଇପାରେ। ଏଣୁ ୧୧ରୁ ୧୩ ତାରିଖ ୩ଦିନ ପାଇଁ ଏହି ସବୁ ଜିଲ୍ଲାଗୁଡ଼ିକ ପାଇଁ ୟେଲୋୱାର୍ଣ୍ଣିଂ ଜାରି ହୋଇଛି।
ଅପରପକ୍ଷେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି। କେନ୍ଦ୍ରୀୟ ଆରବ ସାଗରର ଆଉ କିଛି ଅଞ୍ଚଳ, ଗୋଆ, ଦକ୍ଷିଣ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ, ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ଆଉ କିଛି ଅଞ୍ଚଳେରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ସକ୍ରିୟ ହେବାର ସମ୍ଭାବନା ରହିଛି। ଆଜି ରାଜଧାନୀ ସମେତ ପ୍ରାୟ ସ୍ଥାନରେ ଦିନସାରା ପାଗ ମେଘୁଆ ରହିଥିଲା। ଆସନ୍ତାକାଲି ମଧ୍ୟ ପାଗ ମେଘୁଆ ରହିପାରେ। ଦିନରେ ସର୍ବୋଚ୍ଚ ୩୫ଡିଗ୍ରି ଓ ସର୍ବନିମ୍ନ ୨୮ ଡିଗ୍ରି ମଧ୍ୟରେ ତାପମାତ୍ରା ରହିବ।