ବଲାଙ୍ଗୀର ‘ହିଟ୍‌ ଆଣ୍ଡ ରନ୍‌’ ଘଟଣା: ପୂର୍ବଶତ୍ରୁତା, ଜମି ବିବାଦରୁ ହତ୍ୟା

ମାଷ୍ଟରମାଇଣ୍ଡ ଚିତ୍ତ ମହାନ୍ତି କୋର୍ଟଚାଲାଣ

ବଲାଙ୍ଗୀର : ବଲାଙ୍ଗୀର ‘ହିଟ୍‌ ଆଣ୍ଡ ରନ୍‌’ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ। ପୂର୍ବ ଶତ୍ରୁତା ଓ ଜମିବିବାଦରୁ ହତ୍ୟା କରାଯାଇଛି। ଏହାକୁ ଦୁର୍ଘଟଣାର ରୂପ ଦେବାପାଇଁ ଚେଷ୍ଟା କରାଯାଇଛି ବୋଲି ବଲାଙ୍ଗୀର ଏସ୍‌ପି ନିତିନ କୁଶଳକର କହିଛନ୍ତି। ଏହି ଘଟଣାରେ ବରଗଡ଼ର ଶ୍ରୀକାନ୍ତ ବାଗଙ୍କ ମୃତ୍ୟୁ ଘଟିଛି ଏବଂ ବଲାଙ୍ଗୀରର ସାନୁ ନାୟକ ଗୁରୁତର ଆହତ ହୋଇଛନ୍ତି।

ପୁଲିସ ପ୍ରଥମେ ଏକ ଦୁର୍ଘଟଣା ମାମଲା ରୁଜୁ କରିଥିଲା। ସିସିଟିଭି କ୍ୟାମେରା ଫୁଟେଜ୍‌ ମିଳିବା ପରେ ଏହାକୁ ହତ୍ୟା ମାମଲ‌ାରେ ରୂପାନ୍ତର କରି ତଦନ୍ତ କରୁଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଚିତ୍ତ ମହାନ୍ତିଙ୍କୁ ସୋମବାର ଅପରାହ୍ନରେ କୋର୍ଟଚାଲାଣ କରାଯାଇଛି। ଚିତ୍ତଙ୍କ ଗୋଡ଼ ଭାଙ୍ଗିଯାଇଥିବାରୁ ପୁଲିସ ଆମ୍ବୁଲାନ୍ସରେ ଆଣି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଇଥିଲା। ମାଜିଷ୍ଟ୍ରେଟଙ୍କ ନିକଟକୁ ଷ୍ଟ୍ରେଚରରେ ନିଆଯାଇଥିଲା। ତେବେ କୋର୍ଟ ପକ୍ଷରୁ ଜୁନ୍‌ ୩ ତାରିଖ ଯାଏ ତାକୁ ବିଚାରବିଭାଗୀୟ ହାଜତକୁ ରିମାଣ୍ଡରେ ପଠାଇବା ସହ ଚିକିତ୍ସା କରାଇବାକୁ ମାଜିଷ୍ଟ୍ରେଟ ନିର୍ଦ୍ଦେଶ ଦେଇଥିବା ସରକାରୀ ଓକିଲ ହରେଶ ସୁନାନୀ କହିଛନ୍ତି। ଓକିଲ ଶ୍ରୀ ସୁନାନୀ କହିଛନ୍ତି, ଟାଉନ ଥାନା ପିଏସ୍‌ କେସ ନଂ- ୨୫୨/ ୨୧.୫.୨୦୨୨, ଆଇପିସି ୨୭୯, ୩୩୭, ୩୩୮, ୩୦୪-ଏ ଆଇପିସିରେ ପ୍ରଥମେ ମାମଲା ରୁଜୁ ହୋଇଥିଲା। ତଦନ୍ତ ସମୟରେ ଏହା ଆଇପିସି ୩୦୨, ୩୦୭, ୧୨୦-ବି କୁ ରୂପାନ୍ତରିତ ହୋଇଥିଲା। ଅଭିଯୁକ୍ତ ଚିତ୍ତ ମହାନ୍ତି ପକ୍ଷରୁ କେହି ବି ଜାମିନ ପାଇଁ ଆବେଦନ କରିନଥିବା ସେ ସୂଚନା ଦେଇଛନ୍ତି।

ଘଟଣା ସମ୍ପର୍କରେ ଏସ୍‌ପି ବିସ୍ତୃତ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚିତ୍ତ ମହାନ୍ତି ଓ ନାୟକ ପରିବାର ଭିତରେ ପୂର୍ବଶତ୍ରୁତା ରହିଥିଲା। ଜମିକୁ ନେଇ ବିବାଦ ଥିଲା। ଯାହାକୁ ନେଇ ଚିତ୍ତ ହିଁ ସାନୁଙ୍କୁ ଗାଡ଼ି ମଡ଼ାଇ ମାରିବାକୁ ଯୋଜନା କରିଥିଲା। କିନ୍ତୁ ଗାଡ଼ି କିଏ ଚଳାଉଥିଲା ତାହା ସ୍ପଷ୍ଟ କରିନାହାନ୍ତି ଏସ୍‌ପି।

ସମ୍ବନ୍ଧିତ ଖବର