ବଲାଙ୍ଗୀର ‘ହିଟ୍‌ ଆଣ୍ଡ୍‌ ରନ୍‌’: ଦୁର୍ଘଟଣା ନୁହେଁ, ହତ୍ୟା

ହତ୍ୟା ମାମଲା ରୁଜୁ କଲା ପୁଲିସ, ମାଷ୍ଟରମାଇଣ୍ଡ ଚିତ୍ତ ମହାନ୍ତି ଅଟକ

ବଲାଙ୍ଗୀର : ବଲାଙ୍ଗୀର ଆର୍‌ଟିଓ ଛକ ‘ ହିଟ୍‌ ଆଣ୍ଡ ରନ୍‌’ ଘଟଣାର ସବୁ ସତ ସାମ୍ନାକୁ ଆଣିଛି ସିସିଟିଭି ଫୁଟେଜ। ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ଏହି ମାମଲାର ମାଷ୍ଟରମାଇଣ୍ଡ ଚିତ୍ତ ମହାନ୍ତି ଓ ତାଙ୍କ ସହ ଥିବା ଦୁଇ ଜଣ ସହଯୋଗୀଙ୍କୁ ଅଟକ ରଖିଛି। ଆଇପିସିର ଦଫା ୩୦୨, ୩୦୭, ୧୨୦-ବିରେ ପୁଲିସ ମାମଲା ରୁଜୁ କରି ତଦନ୍ତକୁ ତ୍ୱରାନ୍ୱିତ କରାଯାଇଥିବା ସୂଚନା ଦେଇଛନ୍ତି ଏସ୍‌ଡିପିଓ ତୋଫାନ ବାଗ। ଶନିବାର ଦିନସାରାର ଘଟଣାବଳୀକୁ ନେଇ ଏହା ଦୁର୍ଘଟଣା ନୁହେଁ, ହତ୍ୟା ବୋଲି ‘ସମ୍ବାଦ’ ଅନୁମାନ କରିଥିଲା। ଏହି ଅନୁମାନ ସତ ବୋଲି ସ୍ପଷ୍ଟ ହୋଇଛି।

ଗତକାଲି ୨୬ନମ୍ବର ଜାତୀୟ ରାଜପଥ, ବଲାଙ୍ଗୀର ଆର୍‌ଟିଓ ଛକରେ ହଠାତ୍‌ ଏକ ମିନିଟ୍ରକ୍‌ ବାଇକ୍‌କୁ ଧକ୍କା ଦେଇଥିଲା। ବାଇକ୍‌ରେ ଥିବା ଦୁଇଜଣଙ୍କ ମଧ୍ୟରୁ ଶ୍ରୀକାନ୍ତ ବାଗଙ୍କର ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ଜଣେ ସାନୁ ନାୟକ ଗୁରୁତର ଆହତ ହୋଇଥିଲେ। ସିସିଟିଭ୍‌ ଫୁଟେଜ୍‌ରୁ ଏହାପଛର ପ୍ରକୃତ ସତ ସାମ୍‌ନାକୁ ଆସିଛି। ଦୁର୍ଘଟଣା ଭଳି ଲାଗୁଥିଲେ ବି ଏହାପଛରେ ଥିବା ଜଘନ୍ୟ ଅପରାଧ ବି ସ୍ପଷ୍ଟ ହୋଇଯାଇଛି। ଫୁଟେଜ୍‌ରୁ ଜଣାପଡ଼ିଛି ଯେ, ଶ୍ରୀକାନ୍ତ ଓ ସାନୁ ତାଙ୍କ ଘରପଟୁ ବାଇକ୍‌ରେ ଆସୁଛନ୍ତି। ଦୁହିଁଙ୍କୁ ଅନୁସରଣ କରି ଏକ ମିନିଟ୍ରକ୍‌ ଦ୍ରୁତ ଗତିରେ ମାଡ଼ି ଆସୁଛି। ସାନୁ ନାୟକଙ୍କୁ ଟାର୍ଗେଟ୍‌ କରି ବାଇକ୍‌କୁ ଧକ୍କା ଦେଉଛି। ତା’ପରେ ଫେରାର ହେବାପାଇଁ ଉଦ୍ୟମ କଲା ସମୟରେ ମିନିଟ୍ରକ୍‌ଟି ରାସ୍ତାକଡ଼ ଗଛରେ ସାମାନ୍ୟ ପିଟିହୋଇ ଭାରସାମ୍ୟ ହରାଇଛି ଏବଂ ସାମ୍ନାପଟୁ ଆସୁଥିବା ଗହମ ବୋଝେଇ ଟ୍ରକ୍‌ ସହ ତା’ର ଧକ୍କା ହୋଇଛି। ଯୋଜନାବଦ୍ଧ ଭାବେ ଦୁର୍ଘଟଣା ନଁାରେ ହତ୍ୟା କରାଯାଇଥିବା ସିସିଟିଭି ଫୁଟେଜ୍‌ରୁ ସ୍ପଷ୍ଟ ହୋଇଯାଇଛି।

ଏସ୍‌ଡିପିଓ ଶ୍ରୀ ବାଗ ବି କହିଛନ୍ତି ଯେ ଏହା ଦୁର୍ଘଟଣା ନୁହେଁ; ହତ୍ୟା ମାମଲା। ପୁଲିସ୍‌ ୨ ସହଯୋଗୀ ସହ ମାଷ୍ଟର୍‌ମାଇଣ୍ଡ୍‌ ଚିତ୍ତ ମହାନ୍ତିଙ୍କୁ ଅଟକ ରଖିଛି। ଚିତ୍ତ ହସ୍ପିଟାଲରୁ ଫେରାର ମାରିଥିବାବେଳେ ବିଳମ୍ବିତ ରାତିରେ ଆନ୍ଧ୍ର-ଓଡ଼ିଶା ସୀମା ଥିରୁବାଲିଠାରୁ ପୁଲିସ ଟିମ୍‌ ତାଙ୍କୁ ଧରିଥିଲା। ଆଉ ଚିତ୍ତଙ୍କୁ ବଲାଙ୍ଗୀର ଆଣି ପୁଲିସ ନିଜ ହେପାଜତରେ ରଖିଛି। ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଚିତ୍ତ ମହାନ୍ତିଙ୍କ ଚିକିତ୍ସା ଚାଲୁଥିବା ଏସ୍‌ଡିପିଓ ସୂଚନା ଦେଇଛନ୍ତି। ଚିତ୍ତ ହିଁ ମିନିଟ୍ରକ୍‌କୁ ଚଳାଉଥିବା ପୁଲିସ୍‌ କହିଛି। ପୂରା ହତ୍ୟା ଷଡ଼୍‌ଯନ୍ତ୍ରରେ ଚିତ୍ତ ସହ ଆଉ କେଉଁମାନେ ସଂପୃକ୍ତ ତାକୁ ନେଇ ପୁଲିସ ଛାନଭିନ କରୁଛି। ଏପରିକି ପୂର୍ବରୁ ସାନୁ ନାୟକଙ୍କ ବଡ଼ଭାଇଙ୍କୁ ସମାନ ଢଙ୍ଗରେ ଆକ୍ରମଣ ହୋଇଥିଲା। ସେହି ମାମଲା ବି ତଦନ୍ତ ପରିସରରେ ରହିଥିବା ଏସ୍‌ଡିପିଓ ଶ୍ରୀ ବାଗ କହିଛନ୍ତି।

ସମ୍ବନ୍ଧିତ ଖବର