ବଲାଙ୍ଗୀର/ଭୁବନେଶ୍ବର : ବଲାଙ୍ଗୀର ଜ୍ବାଇଁ ଜଷ୍ଟିସ୍ ପ୍ରଶାନ୍ତ ମିଶ୍ର ସୁପ୍ରିମକୋର୍ଟ ବିଚାରପତି ଭାବେ ଶୁକ୍ରବାର ଦିନ ଶପଥ ଗ୍ରହଣ କରିଛନ୍ତି। ଜଷ୍ଟିସ୍ ମିଶ୍ର ବଲାଙ୍ଗୀର ସହର ମାଲପଡ଼ା ନିବାସୀ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶୋଭାକର ଗୁରୁଙ୍କ ସାନ ଝିଅ ସୁଚେତାଙ୍କୁ ବିବାହ କରିଛନ୍ତି। ଓଡ଼ିଶା ସହିତ ଜଷ୍ଟିସ୍ ମିଶ୍ରଙ୍କ ଆଉ ଏକ ଘନିଷ୍ଠ ସମ୍ବନ୍ଧ ହେଲା ତାଙ୍କ ପୂର୍ବ ପୁରୁଷ ପୁରୀ ଜିଲ୍ଲା ବୀରରାମଚନ୍ଦ୍ରପୁର ମୂଳବାସିନ୍ଦା ଥିଲେ। ପ୍ରାୟ ଦେଢ଼ଶହ ବର୍ଷ ପୂର୍ବେ ଛତିଶଗଡ଼ର ରାଇଗଡ଼କୁ ସ୍ଥାନାନ୍ତର ହୋଇ ସେଠାରେ ସ୍ଥାୟୀଭାବେ ବସବାସ କରିଥିଲେ।
୧୯୬୪ ମସିହା ଅଗଷ୍ଟ ୨୯ରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ୍ ମିଶ୍ର ମିଶ୍ର ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟରୁ ଏଲ୍ଏଲ୍ବି ଡିଗ୍ରି ହାସଲ କରିଥିଲେ। ୧୯୮୭ରେ ସେ ଜଣେ ଆଡଭୋକେଟ୍ ହୋଇଥିଲେ। ପ୍ରଥମେ ସେ ଅବିଭକ୍ତ ମଧ୍ୟପ୍ରଦେଶ ହାଇକୋର୍ଟର ପ୍ରମୁଖ ବେଞ୍ଚ ଜବଲପୁରରେ ଓକିଲାତି କରିଥିଲେ। ମଧ୍ୟପ୍ରଦେଶ ଦୁଇ ଭାଗ ହେବା ପରେ ଛତିଶଗଡ଼ ହାଇକୋର୍ଟ ବିଳାସପୁରରେ ପ୍ରତିଷ୍ଠା ହୋଇଥିଲା ଓ ୨୦୦୦ ମସିହାରେ ଏଠାକୁ ଆସି ଓକିଲାତି ଆରମ୍ଭ କରିଥିଲେ। ସେ ଛତିଶଗଡ଼ର ଆଡଭୋକେଟ୍ ଜେନେରାଲ ଓ ଛତିଶଗଡ଼ ବାର୍ ଆସୋସିଏସନ୍ର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ। ୨୦୦୯ ଡିସେମ୍ବର ୧୦ରେ ଛତିଶଗଡ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ଓ ୨୦୨୧ ଅକ୍ଟୋବର ୧୩ରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ। ଜଷ୍ଟିସ ମିଶ୍ରଙ୍କ ବାପା ବିଦ୍ୟାଧର ମିଶ୍ର ଛତିଶଗଡ଼ ଉଚ୍ଚନ୍ୟାୟାଳୟର ଜଣେ ଜଣାଶୁଣା ଆଇନଜୀବୀ ଥିଲେ। ଜଷ୍ଟିସ ମିଶ୍ରଙ୍କ ବଡ଼ଭାଇ ରାଇଗଡ଼ର ଜଣେ ଜଣାଶୁଣା ଡାକ୍ତର। ଭାରତର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ତାଙ୍କୁ ୧୯ ତାରିଖ ଦିନ ସୁପ୍ରିମକୋର୍ଟ ବିଚାରପତି ଭାବେ ଶପଥ ପାଠ କରାଇଛନ୍ତି।