ଭୁବନେଶ୍ବର : ସ୍ଥାନୀୟ କୃଷି ଭବନଠାରେ ବଳରାମ ଯୋଜନାର ଭାଗୀଦାରମାନଙ୍କର ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଲୋଚନାରେ ନାବାର୍ଡର ମୁଖ୍ୟ ମହା ପ୍ରବନ୍ଧକ ସି. ଉଦୟଭାସ୍କର, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ଇମେଜ୍ର ମୁଖ୍ୟ ନିର୍ଦ୍ଦେଶକ ମଧୁସୂଦନ ମିଶ୍ରଙ୍କ ସମେତ କୃଷି ବିଭାଗ ଏବଂ ବ୍ୟାଙ୍କର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ସମୀକ୍ଷା ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲା ମାନଙ୍କର ଏଲଡିଏମ ଏବଂ ଡିଡିଏମ୍ମାନେ ମଧ୍ୟ ଆଭାସି ମାଧ୍ୟମରେ ଯୋଗଦାନ କରିଥିଲେ। ରାଜ୍ୟରେ ଭାଗଚାଷୀମାନଙ୍କୁ ମିଳିତ ଦେୟ ଗୋଷ୍ଠୀ ମାଧମରେ ଫସଲ ଋଣ ପ୍ରଦାନ କରିବା ବଳରାମ ଯୋଜନାର ମୁଖ୍ୟ ଲକ୍ଷ୍ୟ। ୨୦୨୦-୨୨ ମସିହା ମଧ୍ୟରେ ୧ ଲକ୍ଷ ମିଳିତ ଦେୟ ଗୋଷ୍ଠୀଙ୍କୁ ଆନୁଷ୍ଠାନିକ ଫସଲ ଋଣ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଏଯାବତ ୧୯୧୧୩ଟି ମିଳିତ ଦେୟ ଗୋଷ୍ଠୀ ଗଠନ କରାଯାଇ ୬୧୩୩ଟି ଗୋଷ୍ଠୀଙ୍କୁ ଫସଲ ଋଣ ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ମିଳିତ ଦେୟ ଗୋଷ୍ଠୀ ମାନଙ୍କୁ ଫସଲ ଋଣ ପ୍ରଦାନରେ ହେଉଥିବା ମୁଖ୍ୟ ସମସ୍ୟା ଯେପରି ବିଭିନ୍ନ ବ୍ୟାଙ୍କ ଦ୍ବାରା ନିଆଯାଉଥିବା ସିବିଲ୍ ଚାର୍ଜରେ ତାରତମ୍ୟ, ଋଣ ମଞ୍ଜୁରୀ ନିମନ୍ତେ ଆବଶ୍ୟକୀୟ ଦସ୍ତାବିଜ, ପରିଶୋଧ ସମ୍ବନ୍ଧରେ ଥିବା ବ୍ୟାଙ୍କମାନଙ୍କ ଆଶଙ୍କା ତଥା ବଳରାମ ଯୋଜନା ବାବଦରେ ସମସ୍ତ ଭାଗୀଦାରମାନଙ୍କ ସଚେତନତା ଏବଂ ବିଷୟ ଜ୍ଞାନ ସମ୍ପର୍କରେ ଆଲୋଚନା କରାଯାଇଥିଲା।
ଏହି ଯୋଜନା ପ୍ରଣୟନରେ ଉପୁଜୁଥିବା ସମସ୍ୟା ଗୁଡ଼ିକର ସମାଧାନ ନିମନ୍ତେ ବ୍ୟାଙ୍କର ମୁଖ୍ୟ ଅଧିକାରୀ, ରିଜର୍ଭ ବ୍ୟାଙ୍କର ଅଧିକାରୀ ଏବଂ ରାଜ୍ୟ ସରକାରଙ୍କ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କ ମଧ୍ୟରେ ବୈଠକ କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ମିଳିତ ଦେୟ ଗୋଷ୍ଠୀ ଗଠନରେ ସହାୟତା କରିଥିବା କୃଷକସାଥୀମାନଙ୍କୁ ପ୍ରଥମ ଦଫାରେ ନାବାର୍ଡ ଦ୍ବାରା ୧୩ ଲକ୍ଷ, ୮୪ଟଙ୍କା ପ୍ରୋତ୍ସାହନ ରାଶି ବାବଦରେ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ନାବାର୍ଡ ଡିଜିଏମ ଆର. ସି ସାହୁ, ଏଜିଏମ ନିରଞ୍ଜନ ଭୂୟାଁ, କୃଷି ବିଭାଗ ଉପ ନିର୍ଦ୍ଦେଶକ ଡ. ରାଜେଶ ଦାସ ଓ ଇମେଜ୍ର ଯୋଜନା ଅଧିକାରୀ ଲିଲିବାଳା ମହାପାତ୍ର ଯୋଗ ଦେଇଥିଲେ।