ଭୂମିହୀନ ଚାଷୀଙ୍କ ପାଇଁ ‘ବଳରାମ’

୧୦୪୦ କୋଟି ଟଙ୍କାର ଋଣ ଦେବାକୁ ଯୋଜନା, ୨ ବର୍ଷରେ ୭ ଲକ୍ଷ ଚାଷୀ ଉପକୃତ ହେବେ

ଭୁବନେଶ୍ବର : ‘କାଳିଆ’ ପରେ ‘ବଳରାମ’। ଚାଷୀଙ୍କ ଆକାଉଣ୍ଟ୍‌କୁ ସିଧା ଟଙ୍କା ପଠାଇବା ପାଇଁ ଆରମ୍ଭ ହୋଇଥିଲା ‘କାଳିଆ’ ଯୋଜନା। ଏବେ ଭୂମିହୀନ ଓ ଭାଗ ଚାଷୀଙ୍କୁ ଋଣ ଦେବାକୁ ଆରମ୍ଭ ହେବ ‘ବଳରାମ’ ଯୋଜନା। ଜମି ନ ଥିବାରୁ ସାଧାରଣତଃ ଏହି ଚାଷୀମାନେ ଋଣ ପାଇପାରନ୍ତି ନାହିଁ। ଏଣିକି ‘ବଳରାମ’ ଯୋଜନା ମାଧ୍ୟମରେ ସେମାନେ ଋଣ ପାଇପାରି‌ବେ। ଦୁଇ ବର୍ଷରେ ପ୍ରାୟ ୭ ଲକ୍ଷ ଚାଷୀଙ୍କୁ ୧୦୪୦ କୋଟି ଟଙ୍କାର କୃଷି ଋଣ ଦିଆଯିବ।

ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆୟୋଜିତ ଏକ ବୈଠକରେ ଏହାର ରୂପରେଖ ପ୍ରସ୍ତୁତ କରାଯାଇଥିଲା। ରାଜ୍ୟ ସ୍ତରରେ ‘ଇମେଜ୍’ ଓ ଜିଲ୍ଲା ସ୍ତରରେ ‘ଆତ୍ମା’ ଏହି ଯୋଜନାର ନୋଡାଲ୍‌ ଏଜେନ୍ସି ରହିବେ। ବର୍ତ୍ତମାନ ଗ୍ରାମାଞ୍ଚଳ ଓ ଛୋଟ ଛୋଟ ସହରାଞ୍ଚଳରେ ବିଭିନ୍ନ ବ୍ୟାଙ୍କ ଓ ପ୍ରାଥମିକ କୃଷି ସମବାୟ ସଂସ୍ଥାର ପ୍ରାୟ ୭୦୦୦ ଶାଖା ଅଛି। ପ୍ରତି ବର୍ଷ ଗୋଟିଏ ବ୍ୟାଙ୍କ ଶାଖା ଅତି କମ୍‌ରେ ୧୦ ଜଏଣ୍ଟ୍‌ ଲିଆବିଲିଟି ଗ୍ରୁପ୍‌(ଜେଏଲ୍‌ଜି)ଙ୍କୁ ଋଣ ପ୍ରଦାନ କରିବେ। ଫଳରେ ଚଳିତ ବର୍ଷ ପ୍ରାୟ ୭୦ ହଜାର ଗ୍ରୁପ୍ କୃଷି ଋଣ ପାଇପାରିବେ। ଗୋଟିଏ ଗ୍ରୁପ୍‌ରେ ୫ ଜଣ ଚାଷୀ ରହିବେ। ବର୍ଷକୁ ୩.୫ ଲକ୍ଷ ଚାଷୀ ହିସାବରେ ଦୁଇ ବର୍ଷ ମଧ୍ୟରେ ପ୍ରାୟ ୭ ଲକ୍ଷ ଭୂମିହୀନ ଚାଷୀ ଋଣ ପାଇପାରିବେ ବୋଲି ଆକଳନ କରାଯାଇଛି।

କୃଷକ ସାଥୀ ଓ ଗ୍ରାମ କୃଷି କର୍ମଚାରୀ(ଭିଏଡବ୍ଲ୍ୟୁ) ଗ୍ରୁପ୍ ଗଠନ କରି ସେମାନଙ୍କୁ ବ୍ୟାଙ୍କମାନଙ୍କ ସହ ସଂଯୋଜିତ କରିବେ। ଋଣ ଯୋଗାଣ ଓ ଋଣ ପଇଠ ଆଦି କାର୍ଯ୍ୟରେ ସେମାନେ ସହଯୋଗ କରିବେ। ଏହି କାର୍ଯ୍ୟ ପାଇଁ ସେମାନଙ୍କୁ ଆତ୍ମା ସଂସ୍ଥା ମାଧ୍ୟମରେ ପ୍ରୋତ୍ସାହନ ଦିଆଯିବ। ଭୂମିହୀନ ଚାଷୀଙ୍କୁ ଏହି ଋଣ ସାଧାରଣ କୃଷି ଋଣ ଆକାରରେ ଦିଆଯିବ। ଏହାର ସୁଧ ହାର ଓ ସୁଧ ରିହାତି ଆଦି ରାଜ୍ୟ ସରକାରଙ୍କ କୃଷି ଋଣ ନିୟମ ଅନୁଯାୟୀ ହେବ।

ଜଏଣ୍ଟ୍‌ ଲିଆବିଲିଟି ଗ୍ରୁପ୍‌(ଜେଏଲ୍‌ଜି) ମାଧ୍ୟମରେ ଭୂମିହୀନ ଚାଷୀଙ୍କୁ ଋଣ ଦେବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ବାରୋପ କରିଥିଲେ। ବିଭିନ୍ନ ସ୍ତରରେ ଏହି ଯୋଜନାର ଠିକ୍ ସମନ୍ବୟ ଓ ତଦାରଖ ପାଇଁ ଆବଶ୍ୟକ ଖସଡ଼ା ପ୍ରସ୍ତୁତ କରିବାକୁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ। କୃଷି କ୍ଷେତ୍ରରେ ଉତ୍ପାଦନ ବଢ଼ାଇବା ପାଇଁ ଏହି ଯୋଜନା ଏକ ଦୃଢ଼ ପଦକ୍ଷେପ ହେବ ବୋଲି ସେ ଆଶାପ୍ରକଟ କରିଥିଲେ।

ବୈଠକରେ କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ ନାବାର୍ଡ ସହଯୋଗରେ ଏହି ପ୍ରସ୍ତାବିତ ଯୋଜନାର ବିଭିନ୍ନ ଦିଗ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଏସ୍‌ଏଲ୍‌ବିସି ମାଧ୍ୟମରେ ବ୍ୟାଙ୍ଗଗୁଡ଼ିକୁ ଭୂମିହୀନ ଚାଷୀ ଓ ଭାଗ ଚାଷୀମାନଙ୍କୁ ଋଣ ଦେବା ପାଇଁ ପ୍ରବର୍ତ୍ତାଇବାର ଆବଶ୍ୟକତା ରହିଛି ବୋଲି ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ ମୀନା କହିଥିଲେ। ଉନ୍ନୟନ କମିସନର୍‌ ସୁରେଶ ଚନ୍ଦ୍ର ମହାପାତ୍ର ଏହି ଯୋଜନାକୁ ବାସ୍ତବ ରୂପ ଦେବା ପାଇଁ କୃଷକ ସାଥୀ ଓ ଭିଏଡବ୍ଲ୍ୟୁମାନଙ୍କୁ ଉପଯୁକ୍ତ ତାଲିମ୍‌ ଦେବାକୁ ପରାମର୍ଶ ଦେଇଥିଲେ।

ନାବାର୍ଡର ଓଡ଼ିଶା ମୁଖ୍ୟ ମହାପ୍ରବନ୍ଧକ ଏ ଚନ୍ଦ୍ରଶେଖର କହିଥିଲେ ଯେ ରାଜ୍ୟ ସରକାରଙ୍କ ଏହି ଯୋଜନା ଏକ ଅଭିନବ ପ୍ରୟାସ। ଅନ୍ୟ କୌଣସି ରାଜ୍ୟରେ ଏହା କାର୍ଯ୍ୟକାରୀ ହୋଇ ନାହିଁ। ଏହି ଯୋଜନା ସଫଳ ହେଲେ ସମଗ୍ର ଦେଶ ପାଇଁ ଏହା ଏକ ମଡେଲ୍‌ ହେବ। ବୈଠକରେ ଯୋଗାଣ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବଙ୍କ ସମେତ ରାଜ୍ୟ ସମବାୟ ବ୍ୟାଙ୍କ, ରାଜ୍ୟସ୍ତରୀୟ ବ୍ୟାଙ୍କ ସମନ୍ବୟ କମିଟି ଏବଂ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର